Unknown

 

 

 

 

 

 

 

 

 

 

ସାରଳା ମହାଭାରତ

ମୂଷଳୀପର୍ବ

ଆଦିକବି ସାରଳା ଦାସ

 

ସୂଚୀପତ୍ର

 

ବିଷୟ

୧।

ଶ୍ରୀକୃଷ୍ଣଙ୍କର ଭାବନା, ଅକ୍ରୂରକୁ ଜ୍ଞାନୋପଦେଶ ଏବଂ ଅକ୍ରୂରର ଏକାମ୍ର କାନନେ ଗମନ

୨।

ଦ୍ୱାରିକାରେ ନାନା ଉତ୍ପାତ ଦର୍ଶନ, ଯଦୁବଂଶ ଧ୍ୱଂସ ଏବଂ ବଳରାମଙ୍କ ଦେହତ୍ୟାଗ

୩।

ଶ୍ରୀକୃଷ୍ଣଙ୍କୁ ଜାରାଶବରର ଶରାଘାତ ଓ ଶବର,ଶବରୁଣୀଙ୍କ ସ୍ତୁତି

୪।

ଜାରାଶବର ଇନ୍ଦ୍ରପ୍ରସ୍ଥେ ଶ୍ରୀକୃଷ୍ଣଙ୍କର ସମ୍ବାଦ ଦେବା ଓ ପାର୍ଥଙ୍କୁ ସଙ୍ଗେ ଘେନି ଆସିବା

୫।

ଜାରାଶବର ସଙ୍ଗେ ଅର୍ଜୁନର ଯୁଦ୍ଧ ଓ ପରାଜୟ

୬।

ଶ୍ରୀକୃଷ୍ଣଙ୍କ ପିଣ୍ଡଦହନ ଓ ଶବରର ନାରାୟଣ ପୂଜା

୭।

ବାଲୁଙ୍କା ନଦୀ ପାରେ ଯଦୁବଂଶ ସ୍ତ୍ରୀ ବାସ ଓ ଅର୍ଜୁନଙ୍କ ଇନ୍ଦ୍ରପ୍ରସ୍ଥେ ଗମନ

୮।

ଶ୍ରୀକୃଷ୍ଣଙ୍କ ପିଣ୍ଡ ଅନ୍ୱେଷଣାର୍ଥେ ଚତୁର୍ଦ୍ଦିଗେ ଦୂତପ୍ରେରଣ ଓ ବାସୁବ୍ରାହ୍ମଣର ମାଧବ ଦର୍ଶନ

୯।

ଗାଲମାଧବ ରାଜାଙ୍କୁ ବାସୁବ୍ରାହ୍ମଣ ମାଧବଦର୍ଶନ ସଂବାଦ ଦେବା ଓ ରାଜାଙ୍କର ସସୈନ୍ୟେ ତହିଁ ପ୍ରବେଶ

୧୦।

ନୀଳସୁନ୍ଦର ବର୍ଣ୍ଣନ ଓ ବଡ଼ଦେଉଳ ତୋଳା କଥା

୧୧।

ମାରକଣ୍ଡ ବ୍ରହ୍ମାଙ୍କ ପୂର୍ବଜନ୍ମ ବୃତ୍ତାନ୍ତ ଓ ଗୋମୁଖୀ ହରଙ୍କ କଥା

୧୨।

ମାରକଣ୍ଡ ବ୍ରହ୍ମାଙ୍କ ପୂର୍ବଜନ୍ମ ବୃତ୍ତାନ୍ତ ଓ ଗୋମୁଖୀ ହରିଙ୍କ କଥା

୧୩।

ବସୁବ୍ରାହ୍ମଣର ମୃତପୁତ୍ର ବଳଦେବଙ୍କ ଦ୍ୱାରା ପୁନର୍ଜୀବନ ପ୍ରାପ୍ତ

 

ଶ୍ରୀକୃଷ୍ଣଂକର ଭାବନା, ଅକ୍ରୂରକୁ ଜ୍ଞାନୋପଦେଶ ଏବଂ
ଅକ୍ରୂରର ଏକାମ୍ର କାନନେ ଗମନ

ୟେଥୁ ଅନନ୍ତରେ ବିଲଂକ ଦେଶ ରାଜା

ଅଗସ୍ତି ମହାଋଷିଂକ ଚରଣେ କଲେ ଦିବ୍ୟପୂଜା।୧।

ବସନ କୁଣ୍ଡଳ ଧୂପ ଦୀପ ନଇବେଦ୍ୟ

ଲକ୍ଷେକ ହୀରା ଦିଲା ସେ ମୁନିଂକର ପାଦ।୨।

ଭୋ ମୁନି ମହାଭାରଥ ଶୁଣିଲି ତବ ମୁଖେ

ତେଜିଲି ମାୟା ମୋହ ବସିବି ସ୍ୱର୍ଗେ ସୁଖେ।୩।

ବିଷ୍ଣୁଂକୁ କହିଣ ହରି ଅର୍ଜୁନ ଅଇଲେ

ସେହୁ ପୁଣ କେବଣ ଚରିତ ବୁଦ୍ଧିକଲେ।୪।

ଶୁଣ ବଇବସୁତ ମନୁ ବଦୟନ୍ତି ବ୍ରହ୍ମବେତ୍ତା

ଶ୍ରୀକୃଷ୍ଣଂର ଚରିତ ଯେ ଅଗୋଚର କଥା।୫।

ଯେବଣ ଦିନୁଂ ଅଇଲେ କୃଷ୍ଣ ବଇକୁଣ୍ଠେ କଥା ହୋଇ

ସେ ନିରାକାର ବିଷ୍ଣୁନାଥରଠାରୁ ଆଗ୍ୟାଂ ପାଇ।୬।

ସେହିଦିନରୁ ହରି ମନରେ ହରଷ

କେମନ୍ତେ ଯାଦବ ବଳ କରିବି ବିନାଶ।୭।

କେସନେକ ତେଜିବଇଂ ୟେ ମଧ୍ୟପୁର ବଇଭୋଗ

ବତିଶ ସହସ୍ର କନ୍ୟାଂକର କେ ସାରିବ ଶୋଗ।୮।

ୟେହି ପୃଥୀରେ ଲକ୍ଷ ଲକ୍ଷ ରାଜା ଭୋଗ କରୁଥିଲେ

ୟେବେ ୟେକାଙ୍ଗ ପୃଥି ହୋଇଲା ମୋହର ନିଶ୍ଚଳେ।୯।

ୟେସନେକ ଭାଳନ୍ତେ କେତେହେଂ ଦିନ ଯାୟେ

ମନେ ମନେ ଶ୍ରୀକୃଷ୍ଣଂକ ବଡ଼ ଚିନ୍ତାଭାବ ହୋୟେ।୧୦।

ଶୁଣ ହୋ ରାଜନ କୃଷ୍ଣଂକର ଦଶ ସହସ୍ର ବରଷ ଭୋଗଗଲା

ଅନୁଭବ ବୋଲିଣ ୟେକଇ ସମ୍ବତ୍ସର ହୋଇଲା।୧୧।

କୃଷ୍ଣପକ୍ଷ ତ୍ରୟୋଦଶୀ ସଉରିବାସର

ଅଶ୍ୱିନୀ ନକ୍ଷତ୍ର ଭୋଗ ଅଟେ ସେଦିନର।୧୨।

ସମ୍ଭର୍ବ ଆସ୍ଥାନେ ଯେ ବିଜୟେ ଚକ୍ରଧାରୀ

ଅନେକ ରତ୍ନ ଦିଅନ୍ତି କଉତୁକ କରି।୧୩।

କେ ଋଷନ୍ତି ବସନ୍ତି କେ ଘେନି ଯାନ୍ତି ବଳେ

ସମୁଦ୍ର ଉଲ୍ଲୋଳ ପ୍ରାୟେ ଶୁଭଇ ଚହଳେ।୧୪।

ଗୁଆ ନଟୀକାଳ ତାଳ ସକଳ ଦ୍ରବ୍ୟମାନ

ସୁବର୍ଣ୍ଣର ଉପହାର ଦେବାଙ୍ଗ ବସନ।୧୫।

କପୂର ତାମ୍ବୋଳ ଯେ ଅନେକ କଉତୁକ ରଙ୍ଗ

କେହୁ ବିଲୋହନ୍ତି ଫରହର ଅନେକ ପାଟନେତ ଦେବାଙ୍ଗ।୧୬।

କୋଟିୟେ ଭଣ୍ଡାର ଧନ ଯେ ଥିଲା ଦ୍ୱାରିକାୟେ

ସବୁ ବିଧଂସିଲେ ଦେବାଧି ଦେବରାୟେ।୧୭।

ଲକ୍ଷେ ଷାଠିଏ ସହସ୍ର ଅଶୀୟେ କୃଷ୍ଣର ନନ୍ଦନ

କୋଟିୟେ ପଞ୍ଚୁ ଅହିବ୍ରତ ହୋୟେ ନାତିଗଣ ମାନ।୧୮।

ମର୍ଭୁତେ ତିନିଲକ୍ଷ ତିନିସହସ୍ର ପଣନାତି

ପଣନାତିଂକର ପୁତ୍ର କେକରୁ ଗଣନ୍ତି।୧୯।

ଚଉଦଲକ୍ଷ ଯାଦବବୀର ଅଛନ୍ତି ଛପନ କୋଟି

ଯଦୁବଂଶ ଭୋଜବଂଶ ଅନ୍ଧକବଂଶ ଘୋଟି।୨୦।

କୁକୁରବଂଶ ବୁଷ୍ଣୀବଂଶ ଚଉହାଣ ବଂଶଆଦି

ଦଶପଦ୍ମ ଯୋଦ୍ଧା ଯେ ପାଦାନ୍ତି ପଦ୍ମେକ ସମ୍ପାଦି।୨୧।

ଦ୍ୱାଦଶ କ୍ଷଉଣୀ ସେ ଘେନିଣ ସଇନ ବଳ

ସମସ୍ତେ ପରି ଅଛନ୍ତି ଆସ୍ତାନର ତଳ।୨୨।

ପୁତ୍ରଂକର ଲେଖା କେ କହୁ ଆଦିକରି

ୟେସନେକ ସମ୍ଭର୍ବ ହୋୟେ ଦ୍ୱାରାବତୀ ପୁରୀ।୨୩।

ଅନେକ ଆନନ୍ଦ ସେ ବନ୍ଧୁ କୁଟମ୍ବନ୍ତ ଦେଖି

ଲୋତକରେ ପୁରିତ ସେ କୃଷ୍ଣର ବେନିଆଖି।୨୪।

ଢଳଇ କ୍ରୋଧଜଳ ମୁକୁତା ଫଳ ପ୍ରାୟେ

ଦେଖିଣ କରପାତ୍ରେ ସମ୍ଭାଳନ୍ତି କୃଷ୍ଣ ଲୋୟେ।୨୫।

ଶ୍ରୀକୃଷ୍ଣ ହୃଦଗତେ ପୂର୍ବ କଥା ସୁମରି

ଆପଣେ ଆପଣେ ଯେ କ୍ରୋଧ ଦେବ କରି।୨୬।

ଅକ୍ରୂର ଚାମର ଧରିଅଛନ୍ତି ସନ୍ନିଧ୍ୟେ

ସେ ଦେଖିଲା କୃଷ୍ଣର ମନ ବହୁତ ଯେ କ୍ରୋଧେ।୨୭।

ଅକ୍ରୂର ବୋଇଲା ଦେବ କେବଣ ଚରିତ୍ର

କିମର୍ଥେ ଶୋକ ଦେବ କରୁପ ଦ୍ମନେତ୍ର।୨୮।

କେବଣ ଅସଂଖ୍ୟ ତୋତେ ହୋଇଲା ଦେବରାଜ

କିଅବା ଛାଡିବ ତୁମ୍ଭେ ୟେ ସକଳ ଅଇଶୂର୍ଯ୍ୟ।୨୯।

ୟେତେ ବୋଲି ସେ ଅକ୍ରୂର ଥୋଇଲା ଆଲଟଇ

ଶ୍ରୀକୃଷ୍ଣ ଚରଣ ତଳେ ଯାଇଣ ଲୋଟଇ।୩୦।

ଅକ୍ରୂରକୁ ଆଶ୍ୱାସନା କରନ୍ତି ଚଉବାହା

ଦ୍ୱାରିକାରେ ବିସ୍ତାର ତୁ ନକର ବାବୁ ୟେହା।୩୧।

ଅକ୍ରୂର ବୋଇଲା ଦେବ କେବଣ ଚରିତ

ବଡାଇ ଅଶ୍ରିଜ ତ ଦେଖିଲି ତୋହର କୃତ।୩୨।

ଅନାଥ ଜନଂକର ନାଥ ତୁ ମୁରାରି

ତୁମ୍ଭେ ଯେ ଜଗତଭୂତ ଦେବ ଦଇତାରି।୩୩।

କାହାକୁ ୟେଡେ ଭୟ ଭ୍ରାନ୍ତି ଯେ ତୋହରି

ତୁହି ଯେ ଚତୁର୍ଦ୍ଦଶ ଭୁବନ ଅଧିକାରୀ।୩୪।

ତୁମ୍ଭେ ସେ ହେଳେ ନିବାରିଲ ମହୀଭାରା

ଯମ ନପଶଇ ୟେଥେ ନାହିଁ ରୋଗ ପୀଡା।୩୫।

ଭାରା ନିବାରଣ ଅର୍ଥେ ଉପୁଜିଲ ମହୀ

ନିଜ ଭୁବନକୁ ଯାଇ ଲୋଡ଼ୁ କି ନକହି।୩୬।

ମୁହିଂ ତୁମର ବାଳୁତ କାଳୁଂ ଭୃତ୍ୟ ମୋତେ କର କ୍ଷମା

ଭୋ କୃଷ୍ଣ ତୁମ୍ଭର ତୁଲେ ଯେବେ ମୋତେ ନେମା।୩୭।

ୟେ ସର୍ବ ଜନକଇଂ ତୁମ୍ଭେ ଆତ୍ମା କରି ଦେଖ

କେବଣ କାରଣେ ଦେବ ହୋଇଲ ବିମୁଖ।୩୮।

ବୋଲନ୍ତି ଶ୍ରୀକୃଷ୍ଣ ତୁ ଅକ୍ରୂର ହୋଇଲୁ କି ବାଇ

ୟେ କୁଟୁମ୍ବ ଭାରା ଛାଡ଼ି କାହିଂ ଯିବି ମୁହିଂ।୩୯।

ୟେ ବଚନ ଅକ୍ରୂର ତୁ ମନେ ନ ଧରିବା

କାହାକୁ ୟେ ବଚନମାନ ପ୍ରଘଟ ନ କରିବା।୪୦।

କାର୍ପୁଣ୍ୟ ବଚନ ଯେ ବୋଲଇ ଅକ୍ରୂର

ମୋତେ ଛାଡ଼ିଣ ହରି ଯିବ କି ନିଜ ପୁର।୪୧।

ଶ୍ରୀକୃଷ୍ଣ ବୋଇଲେ ମୁଂ କହୁଅଛି ତୋତେ

ନିଚୟେ ବଇକୁଣ୍ଠକୁ ମୁଂ ଯିବଇଂ ନିୟତେ।୪୨।

ଅକ୍ରୂର ବୋଇଲା ମୋତେ ନେମା ଯଦୁନାଥ

ମୁହିଂ ତୋହର ଅନେକ କାଳର ଯେ ଭୃତ୍ୟ।୪୩।

ଶ୍ରୀକୃଷ୍ଣ ବୋଇଲେ ତୁ ଗୋପ୍ୟ କରି ଥାଆସି

ଯିବାବେଳେ ଆମ୍ଭର ତୋତେ ନେମା ଆସି।୪୪।

ଆହୋ ଅକ୍ରୂର ପୃଥୀକି ଭାରା ହୋଇଲା ଯେତେବେଳେ

ବିଷ୍ଣୁନାଥକଇଂ ଗୁହାରି କଲେ ଦିଗପାଳେ।୪୫।

ସେ ବିଷ୍ଣୁ ଜାନୁରୁ ଉପାଡିଲେ ବେନି ରୋମ

କଳା ଶୁକଳ ମୂର୍ତ୍ତି ହୋଇଲୁ ଆମ୍ଭେ ବେନି ଜନ୍ମ।୪୬।

ମୀନ ରୂପ ଧରି କରି ଶଙ୍ଖାସୁର ମାରି

ପିତା ମୋହର ବେଦ ପୋଥି ଉଦ୍ଧରିଲୁ ଅବତରି।୪୭।

କୂର୍ମ ରୂପେ ଅବତରିଲୁ ଆମ୍ଭେ ଅତି ଗାଢେ

ଅବନୀ ଦତ୍ୟ ବଧ କଲୁ ବରେହା ରୂପ ଦାଢେ।୪୮।

ନରସିଂହ ରୂପେ ଦେଖି ହିରଣ୍ୟକଶିପୁ

ନହେଣ ବିଦାରିଣ ଭାଙ୍ଗିଲୁ ତାହାର ବପୁ।୪୯।

ବାବନ ରୂପ ଧରି ଚାପିଲୁ ଯେ ବଳୀ

ତିନିପାଦରେ ଘୋଟିଲୁ ସପତ ମହୀସ୍ଥଳୀ।୫୦।

ପ୍ରଶୁରାମ ରୂପେ ଅବତରିଲୁ ଜମଦଗ୍ନିର ଘରେ

ପୃଥିବୀ ନିଛତ୍ର କଲୁ ୟେକବିଂଶ ବାରେ।୫୧।

ଶ୍ରୀରାମ ରୂପରେ ଜନ୍ମିଲୁ ଦଶରଥ ଘରେ

ଯାଗ ରଖି ବିଧଂସିଲୁ ଲଙ୍କାଗଡେ ଦଶ ଶିରେ।୫୨।

ୟେବେ କାହୁଂ ସଂକ୍ରିଷେଣ ବସୁଦେବ ଘରେ

କଂସର ଅଷ୍ଟମଲ୍ଲ ଧଂସିଲୁ ମହୀଭାରେ।୫୩।

ପୁଣ ଆତଯାତ ହେଉ ଆମ୍ଭେ କୁତୂହୋଳେ

ୟେ କୁଟୁମ୍ବ ମାୟା ମୋହ ଲାଗିଲା ୟେତେକାଳେ।୫୪।

ସେକାଳେ ମତ୍ତଗର୍ବେ ବହୁତ ରତି କଲୁ

କୁଟୁମ୍ବ ବଢନ୍ତେ ୟେବେ ମାୟା ମୋହେଣ ପଡ଼ିଲୁ।୫୫।

ଛାଡ଼ି ଯିବାକୁ ଏବେ ନ ବଳଇ ଚିତ୍ତ

ତେଣୁ କରି କ୍ରୋଧେ ନ ଲୋତକ ବହଇ ବେନିନେତ୍ର।୫୬।

କେମନ୍ତ ଅକ୍ରୂର ହୋ ଛାଡ଼ିବାକ ୟେହା

ୟେ ମୋର ପୁତ୍ରନ୍ତ ଯେ ସମର୍ପିବି କାହା।୫୭।

ପିତାମାତା ହିଂ କରିବେ ବହୁତ ଶୋକଇଂ

ବତିଶ ସହସ୍ର କନ୍ୟା ପାଇବେ ଦୁଖହିଂ।୫୮।

ପଦ୍ମନ ପରା ପୁତ୍ର ତେଜିବି କେମନ୍ତେ

ଛାଡ଼ିଯିବାକୁ ମନ ନବଳଇ କଦାଚିତ୍ତେ।୫୯।

ବିଷ୍ଣୁନାଥ ତହୁଂ ମୁଂ ଯେ ଅଇଲି ଆଗ୍ୟାଂ ପାଇ

ସେ କାରଣରେ ମନ ଅଥିର କେମନ୍ତେ ୟେଥୁ ଯାଇଂ।୬୦।

ପରିଣାମି ବହୁତ କହଇ ଅକ୍ରୂର

ତୁମ୍ଭେ ଯେବେ ସ୍ୱାମୀ ଯିବ ବଇକୁଣ୍ଠ ପୁର।୬୧।

ତୁମ୍ଭର ତୁଲେ ମୋତେ ନିଅ ଯଦୁସାଇଂ

ଅନେକ କାଳରୁ ସେବା କରିଛି ଗୋସାଇଂ।୬୨।

ଶ୍ରୀକୃଷ୍ଣ ବୋଲନ୍ତି ତୋତେ ନିଅଇ ସିନା ଅକ୍ରୂର

ୟେ ଦେହ ଘେନି ନ ଯାଇ ବଇକୁଣ୍ଠ ପୁର।୬୩।

ପୁଣ୍ୟ କରିଥିଲେ ବାଟ କଢାଇ ନିଆଇ

ପାପ କରିଥିଲେ ସିନା ଯାଇ ତ ନୁଆରଇ।୬୪।

ଯେ ଯାହାର ପୁଣ୍ୟ ସେ କଢାଇ ନିଅଇ ବାଟ

ଯାଇତ ନୁଆରି ହୋ ପଥ ବଡ଼ାଇ ମୁରାଟ।୬୫।

ଶରୀର ଘେନିଣ ହୋ ଯାଇତ ଲୋକ ନାହିଂ

ଯେବଣ ଲୋକ ହୋ ଅନେକ ପୁଣ୍ୟ କରଇ ମହୀ।୬୬।

ବ୍ରହ୍ମଗ୍ୟାନ ଯେବେ ସାଧି ପାରଇ ଯୋଗୀ

ସେହି ଶରୀର ଘେନି ପରମ ଅଇଶୁର୍ଯ୍ୟ ଭୋଗି।୬୭।

ଆମ୍ଭେ ତୋତେ ବ୍ରହ୍ମଗ୍ୟାନ ବାଟ କହିଥିବୁ

ତାହା ସାଧୁଥାଅ ବଇକୁଣ୍ଠ ଯେବେ ଯିବୁ।୬୮।

ଅନେକ କାଳରୁ ତୁ ଆମ୍ଭନ୍ତ କଲୁ ସେବା

କହିଲେ ବ୍ରହ୍ମଗ୍ୟାନ ଅନାଦି ନାଥଦେବା।୬୯।

ଅକ୍ରୂର ବୋଇଲା ସ୍ୱାମୀ ମୋତେ ବ୍ରହ୍ମଗ୍ୟାନ କହୁ

ତୁହି କିମ୍ପେ ଦେହ ଘେନି ଯୁଗେ ଯୁଗେ ନରହୁ।୭୦।

କୃଷ୍ଣ ବୋଇଲେ ମୁଂ ହୋଇଥିବି ତ୍ରିଜୀବୀ

ଭାରାଭର ନିବାର କେ କରିବାକ ପୃଥିବୀ।୭୧।

ନିଚଳ ଆସନ ଆମ୍ଭର ଅଟଇ ଅଭୟେ ବଇକୁଣ୍ଠ

ସହି ନୁଆରୁ ଆମ୍ଭେ ଦେବତାଂକ କଷ୍ଟ।୭୨।

ପୃଥୀର ନିମନ୍ତେ ଆମ୍ଭେ ମନୁଷ୍ୟ ଜନ୍ମ ହେଉଂ

ମୋହ ବନ୍ଧେ ପଡ଼ି ଅନେକ ଦୁଖ ସହୁ।୭୩।

ବିଷ୍ଣୁନାଥ ବୋଇଲେ ତୁ ବହନ ହୋଇଆସ

କେମନ୍ତ ଛାଡିଯିବି ଅନେକ ମୁହାଂସ।୭୪।

ଶ୍ରୀକୃଷ୍ଣ ବୋଇଲେ ପବନକର ତୁହି ଆହାର

ପ୍ରଳୟ ବିଧାନ ସମାଧି ଅଷ୍ଟ ଯେ ପ୍ରକାର।୭୫।

ପବନ ଶୂନ୍ୟମାର୍ଗେ କରିବୁ ତୁ ବସା

ଛନ୍ଦିଲେ ମନ ପବନ ତାପ ହୋୟେ ଆଶା।୭୬।

ଯୋଗ ଆସନ ଯେ ଚଉଷଠୀ ମୁଦ୍ରା

ପଞ୍ଚମନ ଛନ୍ଦି ତୁ ରହିବୁ ଅନିଦ୍ରା।୭୭।

କାମକଇଂ ବଞ୍ଚାଇବୁ ଦଶ ଦ୍ୱାରକୁ ନିରୋଧି

ପଦ୍ମରେ ପବନ ନେଇ ପକାଇବୁ ସାଧି।୭୮।

ଇଅଂଳା ପିଅଂଳା ଶୁଷୁମୁନା ତିନି ନାଡି ଧରି

ପବନ ନିରୋଧିବୁ ୟେକ ଦ୍ୱାର କରି।୭୯।

ଘଟିକା ଲେଉଟାଇ ଛନ୍ଦ ଖେଚରି ମୁଦ୍ରା

ୟେଣୁ କରି ଅନ୍ତର୍ଗତ ହୁଅଇ ଅନିଦ୍ରା।୮୦।

ନିଦ୍ରା ଛନ୍ଦିଲେଣ ଆଉ ନ ଲାଗଇ ଭୋଖ

ଭୋଖ ନଭେଟିଲେ ଶରୀର ଗୋଟି ରଖ।୮୧।

ଆହାର ନିଦ୍ରା ଯେବେ ହୋଅଇଟି ଉପେକ୍ଷା

ଛାଡଇ ଆସନ ସେ ଶରୀର ହୋୟେ ରକ୍ଷା।୮୨।

ଆହାର ଭାଞ୍ଜନ୍ତେ ଆଉ କାଳ ନୁଆରଇ ଭୋଗୀ

ୟେହା ବୁଝି ସାଧନ କରଇ ଯେ ଯୋଗୀ।୮୩।

ତୁ ଆମ୍ଭର ସୋଦର ହୋ କହିବାନା ତୁକୁ

ଆପଣା ସାଧନା ବାଟ କହିଲେ ଅକ୍ରୂରକୁ।୮୪।

ୟେହିକ୍ଷଣି ଯାଅ ଯା,ନ ରହନି ୟେଥ

ବିଂଝଗିରି ସନ୍ନିଧ୍ୟେ ୟେକାମ୍ବର ବୋଲି ତୀର୍ଥ।୮୫।

ଲାଟକେଶ୍ୱର ଲିଙ୍ଗ ବୋଲି ଅଛଇ ଗହନ ଅଟବ୍ୟା

ତହିଂ ଯାଇଂ ନିଜ ଥାନେ ଯୋଗ ସାଧନ କର ବାବା।୮୬।

ଦେହସିଦ୍ଧ ହୋଇଲେ ସେ ବଇକୁଣ୍ଠପୁର ଯାଇ

ନୋହିଲେ କେବେହେଂ ଯେ ମୁକତ ବାଟନାହିଂ।୮୭।

ଅକ୍ରୂର ବୋଇଲେ ହରି ଯାଉଅଛି ମୁହିଂ

ପୁନରପି ଦ୍ରଶନ ପାଇବଇଂ ତୋତେ କାହିଂ।୮୮।

ଶ୍ରୀକୃଷ୍ଣ ବୋଇଲେ ମଉଦଧି ଉତ୍ତରେ ଯମନିକ ତୀର୍ଥେ

ନୀଳ କଳପବଟେ ନୀଳସୁନ୍ଦର ପରବତେ।୮୯।

ୟେ ପିଣ୍ଡ ୟେହିଠାବରୁ ଘେନିଯିବ ଯମ

ତହିଂଯାଇଂ ଥାପିବନା ଶ୍ରୀପୁରୁଷଉତ୍ତମ।୯୦।

ଗାଲମାଧବ ବୋଲାଇବ ୟେଥିର ରାଜାଗୋଟି

ତହିଂ ମୋତେ ରଖିବ ସେ ତେବେ ତୋତେ ଭେଟି।୯୧।

ଆହୋ ଅକ୍ରୂର ନୀଳମାଧବ ବୋଲି ୟେକଇ ପ୍ରତିମା ଗୋଟି

ତାହାକଇଂ ଦେଖିବ,ମୁଂ ପ୍ରତକ୍ଷେ ସେହିଟି।୯୨।

ୟେ ପିଣ୍ଡ ଆମ୍ଭର ଯେ ହୋଇବ ଦାରୁବ୍ରହ୍ମ

ନୀଳକନ୍ଦରେ ପୂଜା ପାଇବୁ ଚତୁର୍ଦ୍ଧା ରୂପେଣ।୯୩।

ଇନ୍ଦ୍ରଦ୍ୟୁମନ ରାଜା ପ୍ରାସାଦ ତୋଳାଇବ

ଆମ୍ଭର ରୂପ ଗୋଟି ନେଇ ବିଜେ କରାଇବ।୯୪।

ତହିଂ ଦେଖିବୁ ପ୍ରତକ୍ଷେ ମୋର ରୂପ

ଦ୍ରଶନେ ଖଣ୍ଡିବୁଟି ତୁ କୋଟି ଜନ୍ମ ପାପ।୯୫।

ଅକ୍ରୂରକୁ ଶ୍ରୀକୃଷ୍ଣ ଯହିଂ କହିଲେ ସନ୍ଦେହ

ଗୃହବାସେ ନ ଯିବୁଟି ଲାଗିବ ତୋତେ ମୋହ।୯୬।

ରାତ୍ର ଅର୍ଦ୍ଧେ ଦ୍ୱାରିକାରୁ ବାହାର ଅକ୍ରୂର

ଭଗତ ମତ୍ସଳ ନାଥ କରିଦେଲେ ତାକୁ ପାର।୯୭।

ହେ ବୁଧ ଜନମାନେ ବୁଝ କୃଷ୍ଣର କଥା

ଭଗତ ଜନକଇଂ ସେ ୟେସନେକ ଉଦ୍ଧାରନ୍ତା।୯୮।

ପ୍ରଦ୍ୟୁମ୍ନ ପରାପୁତ୍ର ସାତୁକୀ ପ୍ରାୟେ ଭାଇ

ୟେହାନ୍ତ ମୁକ୍ତ ପଥ ସେ ନ ଦିଲେ ଦେଖାଇ।୯୯।

ସେ ହରି ଚରିତ ସର୍ବଦା ଥାଉ ମୋର ଚିତ୍ତେ

ୟେ ମାୟା ମୋହସାଗରୁ ସେ ଉଦ୍ଧରିବେ ଅଚ୍ୟୁତେ।୧୦୦।

ଭକତଜନ ମତ୍ସଳ ଚରଣେ ପରିଣାମି

ଏ ଅନ୍ଧ ପଟଳୁଂ ଉଦ୍ଧରି ଧର ଦେବସ୍ୱାମୀ।୧୦୧।

ମୁହିଂ ତୋହର ଦାସରଦାସ ଭୃତ୍ୟର ଯେ ଭୃତ୍ୟ

ୟେ ତୋହର ଚରିତ ଲେଖି ମୁଁ ହୋଇବି ମୁକତ।୧୦୨।

ସୁଗ୍ୟାନୀ ପୁରୁଷ ଭଗତ ଜନକଂର ବନ୍ଧୁ

ବଦୟନ୍ତି ଶୁଦ୍ରମୁନି ସାରୋଳାଦାସ ଜୀବନ ମୋ ସାଧୁ।୧୦୩।

ହେ ପଣ୍ଡିତଜନେ ସମସ୍ତ ଜଞ୍ଜାଳ ଉପେକ୍ଷିବା

ମନ ବଚନ କର୍ତ୍ତବ୍ୟେ ହରିଂକି କର ସେବା।୧୦୪।

ଅକ୍ରୂର ବୋଲିଣ ଯେହୁ କଂସାସୁର ମନ୍ତ୍ରୀ

ଧନୁଯାତ୍ରା ନିମନ୍ତେ ନେଲା ରାମକୃଷ୍ଣ ଦୁହିଂନ୍ତି।୧୦୫।

ଅନେକ ବିନୋୟିଣ ନନ୍ଦ ଅକ୍ରୂରକୁ କହିଲା

ପୁତ୍ରକଇଂ ଛାଡ଼ିଯାଅ ବୋଲି ଅନେକ ଧନ ଦିଲା।୧୦୬।

ସାମନ୍ୟ ବାଳକ ମୋର କାହୁଂ ସଂକ୍ରିଷେଣ

ୟେ କିସ ଜାଣିମେଟି ମାଲଯୁଦ୍ଧର ବିନ୍ଧାଣ।୧୦୭।

ଅକ୍ରୂର ବୋଇଲା ହୋ ନନ୍ଦ ହୋଇଲୁକି ବାଇ

କଂସରାଜାର ଆଜ୍ଞା ହୋ ମେଣ୍ଟଣ ନ ଯାଇ।୧୦୮।

ନିରାପକ୍ଷ କରିଣ ଯେ ଅକ୍ରୂର ଘେନିଗଲା

ନନ୍ଦଯଶୋଦାକଂର କଥା ଯେ ନ ରହିଲା।୧୦୯।

ଯମୁନା ସ୍ରାହାନେ ସେ ଦେଖିଲା ଚତୁର୍ଭୁଜ

ଶଙ୍ଖ ଚକ୍ର ଗଦା ଶାରଙ୍ଗ ଦେବରାଜ।୧୧୦।

ଜଳ ଭିତରେ ୟେହେନେକ ରୂପ ଦେଖି

କୃଷ୍ଣଂକୁ ଆରାଧନା କଲା ସମସ୍ତଉ ପେକ୍ଷି।୧୧୧।

ଅକ୍ରୂର ବୋଲନ୍ତି ହରି ନେବି ମୁହିଂ ତୋତେ

ନନ୍ଦ ବୋଇଲା ଯେ ଅପାର କରି ମୋତେ।୧୧୨।

କୃଷ୍ଣ ବୋଇଲେ ଅକ୍ରୂର ମାମୁଂଙ୍କ ଧନୁଯାତ

ଦେଖିବାର ଆମ୍ଭର ତାହା ମିଳଇ ଯୁଗତ।୧୧୩।

ହେ ପଣ୍ଡିତ ଜନେ ଅକ୍ରୂର ଗୋଡାଇଲା ସେ ଦିନୁଂ

ଦ୍ୱାପର ଯୁଗଯାକ ଖଟିଲା ୟେକ ମନୁ।୧୧୪।

ସେ କୃଷ୍ଣର ପ୍ରସାଦେ ପାଇଲା ପରମଗତି

ଯୋଗ ଅଭ୍ୟାସି ସେ ଯୁଗେଯୁଗେ ବ୍ରତି।୧୧୫।

ଅକ୍ରୂର ବୋଲିଣ ଯେ ହିଂସା ହୃଦେ ତାର ନାହିଂ

ତେଣୁ କରି ଦୟାକଲେ ଜଗତ ଗୋସାଇଂ।୧୧୬।

ମହାଭାରତ ଯୁଦ୍ଧେ ରହିଲେ ସେ କୃପ ଅଶସ୍ତମା

ଉଦ୍ଧବ ଅକ୍ରୂର ରହିଲେ ସେ ନାରାୟଣଂକ ମହିଂମା।୧୧୭।

ଶ୍ରୀକୃଷ୍ଣ ଅନୁଗ୍ରହେ ତରିଲାକ ଅକ୍ରୂର

ନିଗମେ ରହିଲାକ ସେ ଯାଇ ୟେକାମ୍ର ବନସ୍ତର।୧୧୮।

ହେମ ପଡନ୍ତେଣ ଯେହ୍ନେ ପଦ୍ମବନ ଯାଇ କ୍ଷୟେ

ଦ୍ୱାରିକା ଭୁବନକଇଂ ତେହ୍ନେ ପଡ଼ିଲାଅ ପଚୟେ।୧୧୯।

ଶ୍ରୀକୃଷ୍ଣଙ୍କର ବଇକୁଣ୍ଠ ଯିବାକଇଂ ମନ

ଅଥିର କାୟା ତାଂକର ଚିତ୍ତ ଛନ୍ନଛନ୍ନ।୧୨୦।

 

ଦ୍ୱାରିକାରେ ନାନା ଉତ୍ପାତ ଦର୍ଶନ, ଯଦୁବଂଶ ଧ୍ୱଂସ ଏବଂ
ବଳରାମଙ୍କ ଦେହତ୍ୟାଗ

ୟେଥୁ ଅନନ୍ତରେ କେତେହେଂ ଦିନ ତହିଂ ଗୟେ

ଯିବାକଇଂ ଉଦବେଗ ଶ୍ରୀକୃଷ୍ଣଙ୍କର ନିଜ କାୟେ।୧।

ଭାଳନ୍ତି ଶ୍ରୀକୃଷ୍ଣ ୟେବେ କେଉଂଣ ଉପାୟେ କରିବି

କେବଣ ମତେ ୟେ ସମସ୍ତ କ୍ଷୟ କରାଇବି।୨।

ମୁହିଂ ଅରଜିଅଛି ନାଶ କରିବି କେମନ୍ତେ

ବଡାଇ ଦୁରାପଦ ତ ଲାଗିଲାକ ମୋତେ।୩।

ଶୁଣ ହୋ ରାଜନ ଭାଳିଣ ଶ୍ରୀକୃଷ୍ଣ ଯେ ରଞ୍ଚିଲେକ ଉପାୟେ

ଦ୍ୱାରିକା ଭୁବନକଇଂ ଲାଗିଲାକ କୋକୁଆ ଭୟେ।୪।

ଅଦଭୁତେ ଶୁଭିଲା ଅଇଲା କୋକୁଆ

ଦ୍ୱାରିକା ଲୋକଯାକ ହୋଇଲେ ଅଚାଭୁଆ।୫।

ଭୟେଣ କଅଂଳା ପୋୟେ ରହନ୍ତି ଭିତରେ

ଯାଇଂଣ ପଶନ୍ତି କେହୁ ମାତାଙ୍କ କୋଡରେ।୬।

କୋକୁଆ ଭୟେ ବୋଲି ସମସ୍ତେ ହେଲେ କହି

ବାଳପୋୟେ ଲୁଚିଲେ ଘର କୋଣେ ଯାଇ।୭।

ଦଶବିଂଶ ପଞ୍ଚାଶ ଲୋକେ ଦେଖି କରି ଭାଳି

କୋକୁଆ ବୋଲିଣ ସେ କେମନ୍ତ ମହାବଳୀ।୮।

ଦେବକୀ ପଚାରିଲେ ଶୁଣ ହୋ ବସୁଦେବ

କୋକୁଆ ବୋଲି କରି ସେ ଅଟଇ କେବଣ ଜୀବ।୯।

ଗୋବିନ୍ଦେ ବୋଇଲେ ମା ଗୋ ସତେ ସେ ଅଟଇ କୋକୁଆ

ଅପାର କାଳରୁ ତ ଶୁଣିଲା ଅଛି ୟେହା।୧୦।

ଚାରିଯୁଗ ଯାକେ ଥାଇ ସ୍ୱର୍ଗପୁରେ

ଆମ୍ଭର ପୁରକୁ ଡରେ ଆସି ନୁଆରିଲା ଥରେ।୧୧।

କଳିଯୁଗ ପ୍ରବେଶ ହୋଇଲାକ ଯହୁଂ

ତେଣୁକରି ଦ୍ୱାରିକାକୁ ଅଇଲାକ ତହୁଂ।୧୨।

ଯୋଜନେ ଯୋଜନେ ଭୁଜ ତାର ସପତ ଗୋଟି ଆଖି

ଅନ୍ତରୀକ୍ଷେ ଉଡୁଥାଇ ଅଛଇ ତାର ନବ ପଚ୍ଛୀ।୧୩।

ଯୋଜନେ ଯୋଜନେ ତୁଣ୍ଡ ତାର ପାଞ୍ଚ ଯୋଜନ ଗର୍ଭ

ତିରୀ ପୁରୁଷ ନଯାଇ ପଡ଼ିଲେ ଭକ୍ଷଇ ସର୍ବ।୧୪।

ଶ୍ରୀକୃଷ୍ଣ ମୁଖରୁ ଯହୁଂ ଶୁଣିଲେ ୟେସନେକ ବାଣୀ

ଲାଗିଲା ମହାଭୟେ ସମସ୍ତେ ତହିଂ ଶୁଣି।୧୫।

ଦିବସେ କୋକୁଆ ବୋଲି ଦେଖନ୍ତି ସ୍ୱପନେ

ଅଦଭୂତେ ଡରି ପଡି ଚିଆଂନ୍ତି ସର୍ବଜନେ।୧୬।

କେ ବୋଲଇ ମତେ ଗୋ କୋକୁଆ ଗିଳୁଥିଲା

କେ ବୋଲଇ କାହାକୁ କେଣେ ଗିଳିଗଲା।୧୭।

କେ ବୋଲେଇ ଅନ୍ତରୀକ୍ଷେ ଉଡିଗଲା ଧରି

କେ କାହାକୁ ତ ଆଉ ନୁଆରିଲେ ବାରି।୧୮।

ଶୁଣ ହୋ ରାଜନ ଦ୍ୱାରିକାପୁର ଲୋକେ କାହାକଇଂ ନକରନ୍ତି ଶଙ୍କା

କୋକୁଆ ଭୟ ବୋଲି ସର୍ବେ ହୋଇଲେ ତାଟକା।୧୯।

ବେଳ ପ୍ରହରେକ ଥାଉଂ ପଡ଼ଇ କପାଟ

ରାତ୍ରେ ଡରିକରି କେହୁ ନଚାଲନ୍ତି ବାଟ।୨୦।

ପୁରଯାକ ଲୋକେ ଯେ ଦେଖିଲେ ଅତିହିଂ ସଂକଟ

ରାତ୍ରେ ଡରି କେହି ନ ଫିଟାନ୍ତି କପାଟ।୨୧।

ପୁରଯାକ ସବୁଂକରି ପଡୁଥାୟେ ମାଡି

ପଳାଇ ମନକଲେ ଦ୍ୱାରିକାପୁର ଛାଡି।୨୨।

ଅମର ପଦକୁ କେହି ନକରିନ୍ତି ବାଞ୍ଛା

ଭାଳିଣ ସମସ୍ତେ ମରଣକୁ କଲେ ଇଚ୍ଛା।୨୩।

କେ ବୋଲଇ କେଣିକି ଆମ୍ଭେ ଯିବା ତ ପଳାଇ

କୋକୁଆ ଭୟ ଲାଗିଲାନି ଯିବାକୁ ବାଟ ନାହିଂ।୨୪।

ସମସ୍ତେ ଯାଦବେ ଯାଇ ଶ୍ରୀକୃଷ୍ଣକଇଂ କରନ୍ତି ପୁଚ୍ଛା

ବୋଲନ୍ତି ନାରାୟଣେ ମୋହରେ ନୋହଇ ସେ ରକ୍ଷା।୨୫।

ଅନେକ ମନେ ଚିନ୍ତା କରନ୍ତି ଚକ୍ରପାଣି

ମହାଭୟେ ଲାଗିଲା ଶ୍ରୀହ ରିନିରାଶ ବାକ୍ୟ ଶୁଣି।୨୬।

ବୁଧ ଜନମାନେ ବସି ଭାଳନ୍ତି ବିକଳେ

ଅପୂର୍ବ କଥାୟେ ତ ଶୁଣିଲୁ ବୃଦ୍ଧ କାଳେ।୨୭।

କୋକୁଆ ବୋଲିକରି ହୋ କେବଣ ଜୀବ ଗୋଟି

କେହି ତ କାହାକୁ ଆଉ ନ ଦେଖନ୍ତି ଦୃଷ୍ଟି।୨୮।

କାର୍ତ୍ତିକ କୃଷ୍ଣପକ୍ଷର ଅମାବାସ୍ୟା ଦିନ

ସଉରିବାର ସ୍ୱାତୀ ଆଉ ଋକ୍ଷ ବିଦ୍ୟାମାନ।୨୯।

ନାଗ ନାମରେ କରଣ ଆୟୁଷ୍ମାନ ଯୋଗ

ତୁଳ ସଂକ୍ରାନ୍ତିକି ଅଠର ଦିନ ଭୋଗ।୩୦।

ସେହିଦିନ ରାତିରେ ଯାଦବେ ସମସ୍ତେ ଶୋଇଛନ୍ତି

ଅଦଭୁତେ ଦେଖିଲେ ଯେ କୋକୁଆର ମୃତ୍ତି।୩୧।

ମାର ମାର ବୋଲି ପାଡିଲେକ ବୋବି

ଲଉଡି ବୁଲାଇଣ ମାରନ୍ତି ଅସମ୍ଭବି।୩୨।

ରେ ରେ କାର ଶବଦେ ହୋଇଲେ ବାହାର

ଗୋଡାବନ୍ତି ସମସ୍ତେ କୋକୁଆକୁ ମାର ମାର।୩୩।

କୃଷ୍ଣ ବଳରାମ ଧାମନ୍ତି ତାହାଙ୍କର ତୁଲେ

ଯମୁନା ନଦୀକୂଳ ଯାୟେ ଗୋଡାଇଣ ଗଲେ।୩୪।

କାଳନ୍ଦୀ ତୀରେ ଯାଇ କଦମ୍ବ ବୃକ୍ଷ ମୂଳେ

ଲଉଡିମାନ ଧରି ଧାମନ୍ତି ଗୋପାଳେ।୩୫।

କଡା ମର୍ଦ୍ଦଳ ବାଜେ ବିଜିଘୋଷ ଦାଉଣ୍ଡି

ମତ୍ତା ରସେ ନାଚନ୍ତି ଖେମଟା ନାଟ ଖଣ୍ଡି।୩୬।

ବୁଲାଇ ଲଉଡି କେହୁ ହୁଅନ୍ତି ପିଟାପିଟି

ଭାଞ୍ଜିଣ ଲଉଡିମାନ ଗୁଣ୍ଡା ହୋଇଉଠି।୩୭।

ଲଉଡି ସାଧନ୍ତି ସମର୍ଥ ଶାମ ସାତୁକୀ

ଅସ୍ତୁକାର ବାକ୍ୟରେ ହୁଅନ୍ତି ଡକା ଡକି।୩୮।

ବୁଲାଇଣ ଲଉଡି ଶାମ ପ୍ରହାର ଯେ କଲା

ଦେଖିଣ ସାତୁକୀ ତହୁଂ ଆଡ ହୋଇଗଲା।୩୯।

ଶାମର ଲଉଡି ଘାତ କଦମ୍ବ ବୃକ୍ଷରେ ବାଜିଲା

ଫେନକୃତ ଆକାରେ କ୍ଷୀର ତହୁଂ ସବିଲା।୪୦।

କାଦମ୍ବରୀ କ୍ଷୀର ଯହୁଂ ବୃକ୍ଷରୁ ବହିଲା

ଅପୂର୍ବ ଦେଖିଣ ଶାମ କୃଷ୍ଣଙ୍କୁ ଜଣାଇଲା।୪୧।

ଶ୍ରୀକୃଷ୍ଣ କହିଲେ ବଳରାମଂକ ଛାମୁର

କେବଣ ପ୍ରକାରେ ୟେଥୁଂ ବହିଲାକ କ୍ଷୀର।୪୨।

କୃଷ୍ଣ ବୋଇଲେ ୟେ କେବଣ ଚରିତ ହୋଇ

ବହୁକାଳ ପରିଯନ୍ତେ ୟେ କଦମ୍ବ ତଳେ ମୋହର ଥାନହିଂ।୪୩।

ଗୋପୀନ୍ତ ଘେନିଣ ମୁଂ କ୍ରୀଡା କରଇ ଯେବଣ କାଳେ

ଡାଳ ଡାଳେ ଭାଞ୍ଜି ମୁଂ ବୁଲଇ ସର୍ବକାଳେ।୪୪।

ସେତେବେଳେ ୟେଥିରୁ ବାହାର ନୋହିଲାକ କ୍ଷୀର

କେବଣ ପ୍ରକରେ ୟେଥୁ କ୍ଷୀର ହୋଇଲା ବାହାର।୪୫।

କିସ ବିପରୀତ ୟେହା କେବଣ ହିଁ ମତ

ଆପ୍ୟାନ କରି ସ୍ୱାମୀ ଜାଣିମା ତଦନ୍ତ।୪୬।

କେମନ୍ତ ଲାଗଇ ବୋଲି ଭକ୍ଷିଲେକ ତାହା

ସମସ୍ତେ ହେଂ ପିବନ୍ତି ତାହା ମନର ଉଛାହା।୪୭।

ବିଶେଷେ କ୍ଷୀର ପାନ ଲାଗିଲାକ ମଧୁ

ସମସ୍ତେ ଆପ୍ୟାନ କଲେ ପାଇଣ ତା ସ୍ୱାଦୁ।୪୮।

ଶୁଣ ହେ ମନୁରାୟ ବିଷ୍ଣୁଂକ ମହିମାରୁ

ଅନେକ କ୍ଷୀର ସେ ତହୁଂ ବାହାରିଲା ବିଷ୍ଣୁଂକ ମାୟାରୁ।୪୯।

ଅମୃତ ହୁଂ ଅଧିକ ସୁସ୍ୱାଦୁ ଅଟଇ

ୟେଥକୁ କେଉଂଣସି ପଦାର୍ଥ ନ ଘଟଇ।୫୦।

ୟେମନ୍ତ ଶୁଣିଣ ସେ ସମସ୍ତ ସରାଗେ

କୃଷ୍ଣ କାମପାଳ କ୍ଷୀର ପିବନ୍ତି ସେ ବେଗେ।୫୧।

କାଦମ୍ବରୀ ପାନେ ସର୍ବେ ହୋଇଲେ ମତୁଆଳୀ

ଲାଗିଲେ ମତ୍ତ ରସେ ହୋଇଲେ ମହାବଳୀ୫୨

କାଦମ୍ବରୀ ପାନେ ଅଚେତନ ହୋଇଲେ କାମପାଳ

ଶ୍ରୀକୃଷ୍ଣ ମହାମତ୍ତେ ହୋଇଲେକ ଭୋଳ।୫୩।

କେଶବାସ ଅସମ୍ଭାଳ କାହାକୁ କେ ନଚିହ୍ନି

ଲଉଡି ପିଟାପିଟି ହୋଇଲେ ଅନ୍ୟୋଅନ୍ୱି।୫୪।

ପୁଣ ପୁଣ କଦମ୍ବ ବୃକ୍ଷେ ମାରନ୍ତି ଯେ ଡିହ

ଧବଳ ବର୍ଣ୍ଣ ପ୍ରାୟେ ବହଇ କ୍ଷୀର ରେହ।୫୫।

ପିବନ୍ତି ସରାଗେ ଯେ ମହାମତ୍ତ ହୋଇ

ହୋଇଲେ ଅସାଷ୍ଟମ ଚେତନା କାର ନାହିଂ।୫୬।

ଯେ ଯାହାର ବଳବୀର୍ଯ୍ୟ କହନ୍ତି ଅନୁରୂପେ

ସାତୁକୀ ପ୍ରତଗ୍ୟାଂ ଯେ କରଇ ମହାତାପେ।୫୭।

ମୁହିଂ ଯେ ମହାଭାରଥ ଯୁଦ୍ଧରେଣ ଥିଲି

ୟେହି ଭୁଜେ ଅନେକ ରଜାନ୍ତ ମାଇଲି।୫୮।

ଯୋଧା ଅମାନତ୍ୟଂକର ଭାଞ୍ଜଇ ଯେ ସାମରଥ।୫୯।

ତ୍ରଇଲୋକ୍ୟର ମଧ୍ୟେ ମୋତେ ଅଛି କେହୁ ସରି

ବଳରେ ସାମାନ୍ୟ ମୋତେ ଅର୍ଜୁନ ମୁରାରୀ।୬୦।

ଶକଟ ଭୁଅ ଯେତେବେଳେ ଦ୍ରୋଣଗୁରୁ ରଞ୍ଚିଲା

ଶ୍ରୀକୃଷ୍ଣ ପ୍ରସାଦେ ଯେ ଅର୍ଜୁନ ଭେଦିଗଲା।୬୧।

ମୁଂହିତ ପୁଣ ପଛେ ଗଲି ଭୁଅ ଭେଦି

ସାଧୁ ସାଧୁ ବୋଲି ସ୍ୱର୍ଗେ କହିଲେ ବିବୁଧାଦି।୬୨।

ଅର୍ଜୁନ ମୋହର ପ୍ରାଣୁ ଅଧିକ ଅଟଇ

ତାହାଶୁଣି ପଦ୍ମନର ମନ ଉତ୍କଟଇ।୬୩।

ଭୂରିସ୍ରବା ଯେ ତୋର ବାଳ ଧରିଥିଲା

ଖଡଗ ହମ୍ପାଳି ଯେ ଶିର କାଟୁଥିଲା।୬୪।

ଅର୍ଜୁନ ଯେବେ ତାର ଶିର ନ ଛେଦନ୍ତା

କାନ୍ଧରେ ଶିର ତୋର କାହିଂ ହାଦେ ଥାନ୍ତା।୬୫।

ଶୁଣିଣ ସାତୁକୀ ବଡ କୋପଭରେ ଉଠି

ଖଡଗ ପ୍ରହାରି ପଦ୍ମନର ମୁଣ୍ଡକାଟି।୬୬।

ବେନି ଖଣ୍ଡ ହୋଇ ତହିଂ ପଦ୍ମନ ପଡିଲା

ସମସ୍ତେ ଚାହୁଂଛନ୍ତି ବ୍ୟଥା ନ ଲାଗିଲା।୬୭।

ପଦ୍ମନ ପରାୟେକ ପୁତ୍ରକଇଂ ମାରି

ଓପ୍ରୋଧ ନକଲେ କୃଷ୍ଣ ମତ୍ତଭୋଳେ କିଛି ହିଂ ନ ବୋଲି।୬୮।

ସାତୁକୀ ଦୁଷ୍ଟପଣ ଦେଖି ଗୋବିନ୍ଦର ସୁତେ

ଯେ ଯାହାର ଶହସ୍ରନ୍ତ ଧଇଲେ ନିଜ ହାଥେ।୬୯।

ଶାମକୁମର ଯେ କୋପେ ଖଡ଼ଗ ଧରି ଝୁଣି

ସାତୁକୀର ମୁଣ୍ଡ ଯେ ପକାଇଲା ହାଣି।୭୦।

ବେନିଧାର ହୋଇ କରି ଯହୁଂ ବହିଲାକ ଶ୍ରୋଣି

ସୋଦରେ ସୋଦରେ ସେ ହୋଇଲେ ହଣାହଣି।୭୧।

ଯେ ଯାହାର ଶହସ୍ରନ୍ତ ଧରି ନିଜ କରେ

ୟେକ ପ୍ରହାର ଯେ କରଇ ଆରେକ ଉପରେ।୭୨।

ତର୍ଜନ୍ତି ଗର୍ଜନ୍ତି ସେ ଯୁଝନ୍ତି ଭାଂଜନ୍ତି

ସମୋଦ୍ର ତଟେ ଯାଇ ସମସ୍ତେ ହେଂ ମିଳନ୍ତି।୭୩।

ୟେକ ଆଖଡାରେ ଯେ ସମସ୍ତେ ଯୋଦ୍ଧା ସାଧି

କେହି କାହାକଇଂ ସେ ନୁଆରିଲେ ଛେଦି।୭୪।

ବାତୁଳ ପ୍ରାୟେ ହୋଇ ବିନ୍ଧନ୍ତି ଶସ୍ତ୍ରମାନ

ଥୋକେ ମଲେ ଥୋକେ ହୋଇଲେ ଅଚେତନ।୭୫।

ହାଣନ୍ତେ ଶରୀରେ ସେ ପଡଇ ଅଶୀପତ୍ର

ଭାଂଗିଣ ଶର ଧନୁ ହୋଇଲା ଚୂର୍ଣ୍ଣୀଭୂତ।୭୬।

ଯେ ଯାହାକୁ ଯେହ୍ନେ ଅଛଇ ଭବିଷ୍ୟ

କେ ତାହା ଆନ କରିବାକ ଶେଷ।୭୭।

କେ ତହିଂ ଶହସ୍ର ପକାଇ ହୋଇଲେକ ବାଇ

କାହାରି ହାଥେ ଆଉ ଧନୁଶସ୍ର ନାହିଂ।୭୮।

ଦେଖିଲେ ଆଗରେ ଅଛି ସନ୍ତରା ବଣ ଗୋଟି

ଦାଢ ସଳଖ ଦେଖି ଉପାଡିଣ ପିଟି।୭୯।

ଖଣ୍ଡ ଖଣ୍ଡ ହୋଇ ସେ ହୋଅନ୍ତି ଅପହାର

ପଡିଲେ ସାଂଗ୍ରାମେ ଅନେକ ମହାବୀର।୮୦।

ରୋଧିରେ କର୍ଦ୍ଦନ ଯେ ହୋଇଲା ବସୁମତୀ

ପାଞ୍ଚକୋଶ ମାଡି ହୋଇଲେ ବିନେଶ୍ୱତି।୮୧।

ଭୋ ରାଜନ ଯେବଣ ଶାପ୍ୟ ହିଂ ଅଷ୍ଟବକ୍ର ଋଷି ଦିଲେ

ଲୋହାର କୋପରା ଭୀମର ହାଥେ ଘୋରାଇଲେ।୮୨।

ଲୋହ ଛିଡ଼ିଣ ତହୁଂ ଭାସିଲାକ ଫେଣ

ତହୁଂ ଉପୁଜିଲା ଯେ ସନ୍ତରାର ବନ।୮୩।

ଗଦା ମୁଦୁଗର ଅସିପତ୍ର ତୀକ୍ଷମୁନା

ଯେବଣ ଶରୀରେ ବାଜି ହୋୟେ ଶତ ଚୂନା।୮୪।

ଦଇବର ଭବିଷ୍ୟ ଦେଖ ହୋ ମହୀପାଳ

ସନ୍ତରାବଣେ ନାଶଗଲେ ଯାଦବ ସକଳ।୮୫।

ଛପନ କୋଟି ଯାଦବେ ପଡିଲେ ସର୍ବେ କ୍ଷିତି

ୟେକ ଜଣକେ କେହୁ ନରହିଲେ ବ୍ରତି।୮୬।

ଯଦୁ ଭୋଜ ବଂଶ ତଳେ ଯେତେକ ଯେ ବଂଶ

କୃଷ୍ଣ ବଂଶ ସହିତରେ ହୋଇଲେ ସର୍ବେ ନାଶ।୮୭।

ହରି ବଳରାମେ ଯାଦବଂକ ହତ ଚାହିଂ

ପର୍ବତ ଉପରେ ବସି ଭାଳନ୍ତି ବେନିଭାଇ।୮୮।

ୟେଥୁ ଅନନ୍ତରେ ଶୁଣ ହୋ ମହୀପତି

ଅମ୍ବାସୁର ବୋଲିଣ ଯେ ବାଣାସୁର ପଣନାତି।୮୯।

ସେହିଦିନ ସେ ଆସିଥିଲା ବେଣ୍ଟ ବିନୋଦରେ

ଦେଖିଲା ସମସ୍ତେ ମରିଛନ୍ତି ଯଦୁବୀରେ।୯୦।

ମନ୍ତ୍ରୀ ବୋଇଲା ତୁ ଶୁଣ ହୋ ଦଣ୍ଡଧାରୀ

ୟେମାନେ ଅଟନ୍ତି ସରବେ ତୋହର ବଇରୀ।୯୧।

ମାଇଲେ ହିରଣ୍ୟହିରଣାକ୍ଷ ବଇଲୋଚନ ବଳୀ

ବାଣାସୁର ମୋଢ଼ାସୁର କଦମ୍ବାସୁର ଦର୍ପ ଦଳି।୯୨।

ବୋଲଇ ଅମ୍ବାସୁର ୟେହୁତ କୁଢ ମହୁ ମାଂସ

ଭକ୍ଷ ହୋ ଅସୁର ତୁମ୍ଭେ ଶରୀର କର ତୋଷ।୯୩।

ରାଜାର ବଚନ ଶୁଣି ସେ ପଦ୍ମେକ ସେନା

କରନ୍ତି ଆହାର ସେହୁ ପରପଞ୍ଚ ନାନା।୯୪।

କ୍ରୀଡ଼ାରଙ୍ଗ କରିଣ ଭକ୍ଷନ୍ତି ସର୍ବବଳ

ଗିରି ଶିଖରେ ଥାଇ ତାହା ଦେଖିଲେ ଶ୍ରୀକୃଷ୍ଣ କାମପାଳ।୯୫।

ଗୋବିନ୍ଦ ବୋଇଲେ ଶୁଣ ହେ ପରମଯୋଗୀ

ଆମ୍ଭର ଥାଆନ୍ତେ କୁଟୁମ୍ବେ ହୋଇଲେ ଅସୁର ଭୋଗୀ।୯୬।

ରେବତୀ-ବଲ୍ଲଭ ହୋଏ କାଳାନଳ ତେଜ

କାଦମ୍ବରୀ ପାନେ ସେ ତ ମତ୍ତ ଦେବରାଜ।୯୭।

ଦକ୍ଷିଣ କରେ ମୂଷଳ ବାମ କରେ ବଜ୍ର ଲଙ୍ଗଳ

ବ୍ରହ୍ମାଣ୍ଡ କମ୍ପଇ ସେ ଗର୍ଜନ ମତ୍ତକାଳ।୯୮।

କାଳଚକ୍ର ଜାଣି ଯେ ବୁଲାଇ ବେନିଦୃଷ୍ଟି

ବଜ୍ରମୂଷଳ ଘେନି ରାମ ଅସୁରନ୍ତ ପିଟି।୯୯।

ଅସୁର ବଳେ ଧାଇଂ ପିଟିଲେ ଶସ୍ରଧରି

ରାମର ଅଙ୍ଗେ ପଡ଼ି ହୋଇଲା ସର୍ବ ଚୂରି।୧୦୦।

ଶହସ୍ର ମାନ ଯହୁଂ ନ ଭେଦିଲା ରାମକାୟେ

ଭାଜିଲେ ଅସୁରେ ବାସଭଗ୍ନ ପଚ୍ଛୀ ପ୍ରାୟେ।୧୦୧।

ପଳାବନ୍ତେ ଗୋଡ଼ାଇ ଯେ ପିଟିଲେ କାମପାଳ

ଯେସନେକ ନିର୍ଘାତ ପଡ଼ଇ ରବି ତଳ।୧୦୨।

ରାମର ବିଘାତେ ପଡ଼େ ଅସୁର ସଇନି

ମେଦ ମେଦା ମାୟେଂସେ କର୍ଦ୍ଦନ ହୋଇଲା ମେଦିନୀ।୧୦୩।

ଶତେ ଯୋ‌ଜନେ ଯାୟେ ପଡ଼ିଲା ପୟଡ଼େଇ

ମତ୍ତଭରେ ଗୋଡ଼ାଇଲେ ରେବତୀର ସାଇଂ।୧୦୪।

ପାଲଟି ସାଂଗ୍ରାମ ଯେ କରଇ ଦଇତାରି

ଆପଣେ ଅମ୍ବାସୁର ମୁଦୁଗର ପ୍ରହାରି।୧୦୫।

ରାମ ଶ୍ୱରୀରେ ପଡ଼ି ମୁଦୁଗର ଗଲା ଭାଂଜି

କାଦମ୍ବରୀ ପାନେ ନୀଳାମ୍ବର ଗଳଗାଜି।୧୦୬।

ଶହସ୍ର ଭଗ୍ନ ଦେଖି ପଳାଇଲା ଅମ୍ବାସୁର ଦଇତେ

ପଳାଇ ପଶିଲା ଯାଇ ବାଇବା ପର୍ବତେ।୧୦୭।

ପଛେ ପଛେ ଗୋଡ଼ାଇ ଅଛନ୍ତି କାମପାଳ

କାଦମ୍ବରୀ ପାନେ ପ୍ରଭୁ ହୋଇଛନ୍ତି ମତ୍ତଭୋଳ।୧୦୮।

ହେଠମାଥେ ବଳରାମ ଧାମନ୍ତି ମତ୍ତ ଭୋଳେ

ଆକାଶ ତ୍ରାସିଲେ ସମସ୍ତ ଦିଗପାଳେ।୧୦୯।

ଆହୋ ଚଇତନ ବାଇବା ନାମେ ପର୍ବତର ତଳେ

ତପସ୍ଥାନ କଲେ ସେ ଉତ୍ତର ଭାଗ କୂଳେ।୧୧୦।

ରାମର ମତ୍ତଭୋଳ ମଉଳି ହେଠ ଦେଖି

ପଳାଇଲେ ମୁନିମାନେ ତପସ୍ଥାନ ଉପେକ୍ଷି।୧୧୧।

ପଳାନ୍ତେଣ ଗୋଡ଼ାନ୍ତି ଯେ ଦେବ ବଳରାମ

କାଦମ୍ବରୀ ପାନେ ନ ଜାଣିଲେ ଧର୍ମ ଯେ ଅଧର୍ମ।୧୧୨।

ଅଣୁ ଅଷ୍ଟ ମହାଋଷି ଅପାର କାଳର ଯତି

ପଳାବନ୍ତେ ମୁଖ ମାଡ଼ି ପଡ଼ିଲେ ବସୁମତୀ।୧୧୩।

କେ ବ୍ରାହ୍ମଣ କେ ଅସୁର କେହୁ ଅଟେ ଚାଣ୍ଡାଳ

ଜାଣିତ ନୁଆରିଲେ ଦେବ କାଦମ୍ବରି ପାନେ ମତ୍ତ ଭୋଳ।୧୧୪।

ଯହୁଂ ସେ ମହାତମା ପଡ଼ିଲେ ମୁହଂ ମାଡ଼ି

କୋପେଣ ନୀଳାମ୍ବର ପିଟିଲେ ନେଇ ବାଡ଼ି।୧୧୫।

ରାମର ବିଘାତେ ଯେ ଋଷି ପ୍ରାଣତ୍ୟାଗ

ବ୍ରହ୍ମହତ୍ୟା କରି ରାମ ତହୁଁ ଗଲେ ବେଗ।୧୧୬।

ବାଇବା ପର୍ବତେ ଯେ ଉଠିଲେକ ଦେବ ଯାଇଂ

ଭୟଣେ ଅମ୍ବାସୁର ଗଲାକ ପଳାଇ।୧୧୭।

କୋପେଣ ଗୋଡ଼ାଇଲେ ତାକୁ ରେବତୀର ସାଇଂ

ପବନ ଗତି କରି ସେ ଅସୁର ପଳାଇ।୧୧୮।

ବାଇବା ପର୍ବତକୁ ଛାଡ଼ିଣ ହଳପତି

ସହସ୍ରେ ଯୋଜନ ଗୋଡ଼ାଇଲେ ଦକ୍ଷିଣ ମୂରତି।୧୧୯।

ବାଲୁଂକା ନାମେ ଗିରି ଦକ୍ଷିଣ ମରହଟ୍ଟ

କୁଣ୍ଡଳୀ ନାମେ ଗିରି ନଦୀ ସେ ନିକଟ।୧୨୦।

ସେ ନଦୀରେ ଯାଇଣ ପଶିଲା କଉଣୋପି

ୟେକ ନିମିଷେକେ ରାମ ତହିଂ ଯାଇ କ୍ଷେପି।୧୨୧।

କୋଟିୟେ ସୂର୍ଯ୍ୟର ତେଜ ରାମର ବେନି ଆଖି

ତହିଂରେ ଆମ୍ବାସୁର ପଳାଇଲା ଉପେକ୍ଷି।୧୨୨।

ଅଗ୍ନି କୋଠାର ପର୍ବତେ ପଶିଲା ଦଇତ

ପଳାଇ ଗୋପ୍ୟ ଗଲା ପର୍ବତର କ୍ରୋଟ।୧୨୩।

ତହିଂରେ ପଡ଼ିଲା ଆସି ନୀଳାମ୍ବର ଧାଡ଼ି

ତହୁଂଣ ଦଇତ ପଳାଇଲା ଗିରିବର ଛାଡ଼ି।୧୨୪।

ପୁଣି ହିଂ ଲୁଚିଲା ଯାଇ ମହାସୁର ପର୍ବତ

ଗୋଡ଼ାବନ୍ତି ବଳେବର କାଦମ୍ବରୀ ପାନେ ମତ୍ତ।୧୨୫।

ପାଦର ବ୍ୟଗ୍ରେ କାମପାଳ କ୍ଷେପି

ୟେକା ନିମିଷେକେ ତହିଂ ରାମ ଯାଇଂ ବ୍ୟାପି।୧୨୬।

ମହାସୁର ପର୍ବତରୁ ପଳାଇଲା ଅମ୍ବାସୁର

ଗୁପତେ ପୁଣି ହିଂ ପଶିଲା ଯାଇ ମାହେନ୍ଦ୍ର ପର୍ବତର।୧୨୭।

ମାହେନ୍ଦ୍ର ପର୍ବତେ ପଡ଼ିଲା ରାମଂକର ଧାଡ଼ି

ତହୁଂ ପଳାଇ ପଶିଲା ନିସ୍ତର ନାମେ ଗିରି।୧୨୮।

ପୁଣି ହିଂ ପଳାଇଲା ତହୁଂ ଅମ୍ବାସୁର ବୀର

ପ୍ରବେଶ ହୋଇଲା ଯାଇ ମୃତ୍ତିକା ପର୍ବତର।୧୨୯।

ପ୍ରାଚୀ ନଦୀ କୂଳେ ଯେ ଗୋଲକ ପର୍ବତ ବନିକା

ଅର୍ତ୍ତୁକା ନାମେ ଅସୁର ତହିଂ ରାଜ୍ୟ କରଇ ୟେକା।୧୩୦।

ଅମ୍ବାସୁର ଯାଇଣ ସେ ବନେ ମିଳିଲା

ଅର୍ତ୍ତୁକାର ତହିଂ ଯାଇ ଶରଣ ପଶିଲା।୧୩୧।

ଅର୍ତ୍ତୁକା ବୋଇଲା ତୁ ମୋହର ପିତା ଶଳା

ଦୁହେଂ ନାଶ ଯିବା ତୁ ବହନ ୟେଥୁଂ ପଳା।୧୩୨।

ଅମ୍ବାସୁର ବୋଇଲା ସେ ୟେକା ବଳରାମ

କାଦମ୍ବରୀ ପାନେ ସେ ମତୁଆଳ ଅସାଷ୍ଟମ।୧୩୩।

ଦୁହେଂ ସମରେ ତାକୁ ପକାଇବା ମାରି

ଯୁଗତେ ବଳରାମ ଅସୁରଂକ ବଇରି।୧୩୪।

ଆହୋ ଚଇତନ ଅର୍ତ୍ତୁକା ଅମ୍ବାସୁର ବେନି ଯେ ଦଇତେ

ସମରେ ରହିଲେ ସେ ମୃତ୍ତିକା ପରବତେ।୧୩୫।

କୋପେଣ କୋହାନଳ ହୋଇଣ କୁଣ୍ଡଳୀ

ମୃତ୍ତିକା ଗିରି ଉପରେ ଉଠିଲା ଦେବହଳୀ।୧୩୬।

ଅର୍ତ୍ତୁକା ଅମ୍ବାସୁର କରେ ଧରିଣ ଆୟୁଧ

ରାମର ତୁଲେ ସେହୁ ରହିଣ କଲେଯୁଦ୍ଧ।୧୩୭।

ଅସୁର ଦୁରାନ୍ତେକ ଅତୁଳାୟିତ ମଲ

ଅସୁର କୁଳ ନିଶୋଧନ ଅଟନ୍ତି କାମପାଳ।୧୩୮।

ୟେକ ମୁଖ ହୋଇଣ ଯେ ବେନି ବୀର ଉଠି

ଲୋହସାର ଗଦା ଘେନି ରାମ ଅଂଗେ ପିଟି।୧୩୯।

ଅଭେଦ କବଚ ବଜ୍ର ଛଉରୀ ଶ୍ୱରୀରେ ଯାହାର

ଲୋହ ସାର ଗଦା ଭାଜି ହୋଇଲା ଶତେ ଚୂର।୧୪୦।

ଭୟେ ଅର୍ତ୍ତୁକା ଡେଇଂଣ ସେ ପର୍ବତେ ଗୋପ୍ୟ ହେଲା

ତହୁଂ ଅମ୍ବାସୁର ଭୟେଣ ପଳାଇଲା।୧୪୧।

ଗୋଡାବନ୍ତି କାମପାଳେ ରେବତୀର ପ୍ରହୁ

ମନ୍ଦର ଗିରି ସମାନେ ଶୋଭିତ ବେନିବାହୁ।୧୪୨।

ହୁଂକାର ଶବଦ କରି ଦଇତ ପଳାଇଲା

ଅମ୍ବୁ ବନିକାରେ ଯାଇ ସେହୁ ଗୋପ୍ୟହେଲା।୧୪୩।

ଶୁଣ ଆହୋ ଚଇତନ ବଦୟନ୍ତି ଅଗସ୍ତି

ଜମ୍ବୋଦୀପ ଭ୍ରଥଖଣ୍ଡ ଅଈଶାନ୍ୟ କୋଣ କତି।୧୪୪।

ଓଡରାଷ୍ଟ୍ର ବୋଲିଣ ସେ ଯେବଣ ମଣ୍ଡଳ

ଅମ୍ବୁବନ ଅଛି ଚିତ୍ରଉତ୍ପଳା ନଦୀ ତୀର।୧୪୫।

ଈଶାନ ବାହିନୀ ଯେ ଅଳକା ନାମେ ନଦୀ

ଚିତ୍ରଉତ୍ପଳାହୁଂ ସେ ପୂର୍ବ ଦିଗେ ଭେଦି।୧୪୬।

ପଞ୍ଚୁକୋଶ ଓସାର ଯେ ସେ ଅମ୍ବୁବନିକା

ତହିଂରେ ଅମ୍ବାସୁର ଗୋପ୍ୟନ ହେଲା ନିଶଂକା।୧୪୭।

ମୃତ୍ତିକା ଗିରିକି ଯେ ଧାଡ଼ି ଦିଲେ କାମପାଳ

ଅମ୍ବାସୁରକୁ ଠାବ କଲେ ବଦରୀ ବଟ ତଳ।୧୪୮।

ଫୁଟିଣ ଅମ୍ବାସୁର ତହିଂ କରିଛି ବିଶ୍ରାମ

ଧାତିକାରେ ବିଜେକଲେ ତହିଂ ବଳରାମ।୧୪୯।

ଦେଖିଣ ଦାନବ କୋପେଣ ଗଳଗାଜି

କୋଦାଳ ଆୟୁଧ ତାର ଘେନି କରି ଗର୍ଜି।୧୫୦।

ବଳରାମ ଅଗ୍ରତେ ଯେ ଗର୍ଜଇ କଉଣୋପ

ହେଠମାଥେ କାମପାଳ କାଦମ୍ବରୀ ଦର୍ପ।୧୫୧।

ଦକ୍ଷିଣ କରେ ଆୟୁଧ ଧରିଣ କୋଦାଳ

କୋପେଣ ପ୍ରହାର କଲା ବଲରାମଂକ ବକ୍ଷସ୍ଥଳ।୧୫୨।

ପୁଣ ପୁଣ ପ୍ରହାର କରଇ ଗଳଗାଜି

ଶତେଖଣ୍ଡ ହୋଇଣ କୋଦାଳ ଗଲା ଭାଞ୍ଜି।୧୫୩।

ଅସୁରର କୋପ ଯେ ଦେଖିଣ ବଳରାମ

ବଜ୍ରମୂଷଳ ନେଇ ପିଟିଲେ ଅତିତମ।୧୫୪।

ମୂଷଳ ବାଜିଲା ଯେ ଅସୁର ବକ୍ଷସ୍ଥଳେ

ଶତଖଣ୍ଡ ହୋଇ ଯେ ବାଜିଲା ମୂଷଳେ।୧୫୫।

ଦେଖିଣ ଅମ୍ବାସୁର ଧାମଇଂ ଆନନ୍ଦେ

ବେନିଭୁଜେ ରାମଂକୁ ଧଇଲା ମାଲବନ୍ଧେ।୧୫୬।

କୋପେଣ ଅମ୍ବାସୁର ରାମଂକୁ ବେଗେ ଧରି

ମାଲବନ୍ଧେ ଧରିନେଇ ରାମଂକୁ ହଠି ପାଡି।୧୫୭।

ଅଚେତ ସେ କାମପାଳ କାଦମ୍ବରୀ ଭୋଳେ

ମୁଷ୍ଟି ପ୍ରହାର କରଇ ରାମଂକ ବକ୍ଷସ୍ଥଳେ।୧୫୮।

କୋଠାର ବୁଲାଇ ତାଂକୁ ମାରିଲା ଦଇତ

ଅସାଷ୍ଟମ କାଳେ ରାମ ହୋଇଲେ ଅଚେତ।୧୫୯।

କୋଟିୟେ ସିଂହର ବଳ ଯେବଣ ବଳରାମ

ସାଷ୍ଟାମେ ଅସୁରେ ଲେଉଟାଇ ବସିଲେ ମାଡିଣ।୧୬୦।

ଦୁସହ ପ୍ରତଗ୍ୟାଂ ଯେ କଲେ କାମପାଳ

ମାଡ଼ିଣ ବସିଲେ ଦେବ ଅମ୍ବାସୁରର ବକ୍ଷସ୍ଥଳ।୧୬୧।

ହଳେଣ ପିଟନ୍ତେ ଯେ ନମଲା ଦଇତାରି

ହଳମୁନେ ଶ୍ୱରୀର ଖଣ୍ଡ ଖଣ୍ଡ କରିଣ ବିଦାରି।୧୬୨।

କାଦମ୍ବରୀ ପାନେ ମତ୍ତ ରେବତୀର ପତି

ଅମ୍ବାସୁର ଉପରେ ଅମୃତ ହୋୟେ ବୃଷ୍ଟି।୧୬୩।

ବାହୁଡି କଅଂଳଇ ତାହାର ଶ୍ୱରୀର

ତହୁଂ ଅଧିକ ବଳ ହୋଇଲା ଅସୁରର।୧୬୪।

ଦେଖିଣ କାମପାଳ ନଫୁରଇ କିଛି

ରାମଂକୁ ଅମୃତ ପାନ କରାଇଲେ ବିରଞ୍ଚି।୧୬୫।

ଅମୃତ ପାନ ପରେ ଦେବ କାଳାନ୍ତକ ତେଜ

ବ୍ରହ୍ମାଣ୍ଡ କମ୍ପିଲା ଯେ କୋପେଣ ଦେବରାଜ।୧୬୬।

ପଞ୍ଚୁକୋଶ ଓସାର ଯେ ବଣ ଅମ୍ବୁବନ

ମାଲବନ୍ଧେ ଧୂଳି ଉଡିଲା ନ ରହିଲା ଚିହ୍ନବର୍ଣ୍ଣ।୧୬୭।

ରାଗେଣ ରାମ ବଜ୍ରହଳକୁ ଘେନି ପିଟି

ତଥାପି ଦୁରାନ୍ତେକ ଶ୍ୱରୀର ହିଂ ନ ଫୁଟି।୧୬୮।

ଆକାଶର ବାଣୀ ଯେ ଶୁଭିଲା ଅଦଭୁତେ

ଅସୁରକୁ ମାଡିବସ ଦେବ ହଳହାଥେ।୧୬୯।

ଛାଡିଲେ ଅବଧ୍ୟ ପୁଣି ହୋଇବାକ ୟେହି

ବୃନ୍ଦାଅର୍କମାନେ ସ୍ୱର୍ଗେ ନରହିବୁ କେହି।୧୭୦।

ବିରଞ୍ଚିର ବରେ ୟେହି ଅଟଇ ତ୍ରିଜୀବୀ

ଶହସ୍ର ବିଘାତେ ନୁହଇ ପରାଭବି।୧୭୧।

ମାଡିଣ ବସି ରାମ ଅସୁର ବକ୍ଷସ୍ଥଳେ

ତେବେ ସେ ଅସୁର ସିନା ରହିବ ନିଶ୍ଚଳେ।୧୭୨।

ଦେବତାଂକ ମୁଖରୁ ୟେସନେକ ବାଣୀ ଶୁଣି

ଦଇତ ବକ୍ଷସ୍ଥଳେ ମାଡ଼ି ବସିଲେ ହଳପାଣି।୧୭୩।

ଆହୋ ଚଇତନ ତୁଳ କୃଷ୍ଣପକ୍ଷ ତ୍ରୟୋଦଶୀ ଉତ୍ତାରେ ଚତୁର୍ଦ୍ଦଶୀ

ଭୃଗୁବାର ସେ ଦିନ ପୁନର୍ବସୁ ନକ୍ଷତ୍ର ମିଥୁନରାଶି।୧୭୪।

ବାଳବ ନାମେ କରଣ ପ୍ରିତୀ ନାମେ ଯୋଗ

ଅମ୍ବାସୁରକୁ ରାମ ଚାପିଲେ ପାତାଳ ସ୍ୱର୍ଗ।୧୭୫।

ଯହୁଂଣ ଅମ୍ବାସୁର ହୋଇଲା ପ୍ରାଣଭ୍ରଷ୍ଟ

ଦେଖିକରି ଦେବଲୋକେ ହୋଇଲେ ମହାତୁଷ୍ଟ।୧୭୬।

ଆହୋ ଚଇତନ ଦେବବୃନ୍ଦ ଘେନିଣ ଆପଣେ ବେଦପତି

ଶ୍ରୀରାମଂକୁ ଆସି କଲେକ ବହୁସ୍ତୁତି।୧୭୭।

ଜୟ ତୁ ଜୟ ତୁ କାମପାଳ ହଳୀ

ଅନନ୍ତକୋଟି ବ୍ରହ୍ମଣ୍ଡେ ତୁହି ସେ ମହାବଳୀ।୧୭୮।

ନୀଳ ବସ୍ର ପରିହରଣ ଶିରେ ସପ୍ତଫେଣୀ

ଲଲାଟେ ଅଛି ତିମିର ବିଦାରଣ ମଣି।୧୭୯।

କୁରୁବଇ ବିବାଦେ ତାଡିଲୁ ହଳମୁନରେ ହସ୍ତିନା

ବକ୍ରକରି ଥାପିଲୁ ରଖିଲୁ କଥାସିନା।୧୮୦।

ଶ୍ୱେତ ପୀତ ରକତ କୁଂକୁମ ଚାରିବର୍ଣ୍ଣ

ଧବଳ ଲୋହିତ ସେ ସହସ୍ର ଫଣୀଚିହ୍ନ।୧୮୧।

ଆହୋ ଚଇତନ ଆଦି ଅନ୍ତ ମଧ୍ୟେ ଯାର ଅବସାନ ନାହିଂ

ନିରକାର ପୁରୁଷକୁ ଦେଖିବା ଆଉ କାହିଂ।୧୮୨।

ଜାନୁଦଣ୍ଡ ବିଘାତେ ବ୍ରହ୍ମାଣ୍ଡ ଖଣ୍ଡ ବ୍ୟାପି

ସଂସାର ନରହଇ ଯାହାର କଲେ କୋପୀ।୧୮୩।

ଅନନ୍ତ କୋଟି ବ୍ରହ୍ମାଣ୍ଡେ ଯାହାର ତେଜ ଶକ୍ତି

ମୁହିଂ ତାହା ବର୍ଣ୍ଣିବି କିସ ମୋ ଶକତି।୧୮୪।

ଭାବେ ଭଗତର ପୂରାଅ ମନବାଞ୍ଛା

କୋଟିୟେ ବ୍ରହ୍ମାଣ୍ଡ ତୋ ଫଣୀରେ କରୁ ରକ୍ଷା।୧୮୫।

ଶ୍ରୀବଳରାମଂକ ପଦ୍ମପାଦେ ସେବି

ବାକ୍ୟଦେବୀ ଭଣ୍ଡାର ଲୟେ କଲା ସାରୋଳଦାସ କବି।୧୮୬।

 

ଶ୍ରୀକୃଷ୍ଣଙ୍କୁ ଜାରାଶବରର ଶରାଘାତ ଓ
ଶବର ଶବରଣୀଙ୍କ ସ୍ତୁତି

ଶୁଣ ବଇବସୁତ ମନୁ ବଦନ୍ତି ଅଗସ୍ତି

ଅମ୍ବାସୁରକୁ ମାଡିବସିଲେ ହଳପତି।୧।

ଅମ୍ବାସୁର ବଧଯହୁଂ ଶୁଣିଲୁ ତପୋନିଷ୍ଠି

ଅନେକ ଜନ୍ମର ଆମ୍ଭର ପୂରିଲା ଅରିଷ୍ଟି।୨।

ବନ୍ଧୁଗଣମାନେ ଯହୁଂ ନାଶିଲେ ସମସ୍ତ

କେବଣ ଚରିତ ତହୁଂ କଲେ ସେ ଅନନ୍ତ।୩।

ବଦନ୍ତି ଅଗସ୍ତି ତୁ ଶୁଣ ହେ ମନୁରାୟେ

ସମସ୍ତେ ହେଂ ନାଶଗଲେ କୃଷ୍ଣର ତନୟେ।୪।

ଦେଖି କରି ଆକୁଳ ହୋଇଲେ ପଦ୍ମନାଭ

କ୍ଷଣକେ ନାଶଗଲେ ମୋହର ବନ୍ଧୁସର୍ବ।୫।

ତ୍ରଇଲୋକ୍ୟ ମୋହନ୍ତି ସେ ଯେବଣ ଦେବତା

ୟେହି ନୟନରେ ଦେଖିବା ତାଂକର ଅବସ୍ତା।୬।

ୟେତେ ଭାଳି କୃଷ୍ଣଂକର ଉତ୍ସୁକ ହେଲା ମନ

ଅଶ୍ରୁଜଳେ ପୂରିତ ସେ କମଳଲୋଚନ।୭।

ପୁଣିହିଂ ବିଚାରନ୍ତେ ଯିବା ପିତାମାତାଂକ କତି

ତାହାଂକୁ ତିଆରି ମୁଂ ଆସିବି ତଡତି।୮।

ୟେତେକ ବିଚାରି ମନରେ ଦେବ ଚକ୍ରଧାରୀ

ଅନ୍ତରୀକ୍ଷେ ବିଜେକଲେ ବସୁଦେବ ପୁରୀ।୯।

ଦେଖିଣ ବସୁଦେବ ଆକୁଳ ପଞ୍ଚୁମନ

ବାବୁରେ ଚନ୍ଦ୍ରବଦନ ମୁଖ ତୋର କିମ୍ପେ ଦିଶଇ ମଳିନ।୧୦।

ଶ୍ରୀକୃଷ୍ଣ ବୋଇଲେ ତାତ ଆମ୍ଭ ଶସ୍ର ଘାତେ

ସମସ୍ତ ଯାଦବମାନେ ଗଲେ ଗତ ପଥେ।୧୧।

ମୁହିଂ ଯିବଇଂ ୟେବେ ପ୍ରଭାସ ନାମେ ତୀର୍ଥେ

ତପ ଆରମ୍ଭିବି ଯାଇ ବ୍ରହ୍ମଗ୍ୟାଂନ ପଥେ।୧୨।

ତୁମ୍ଭଂକୁ କହିବାକୁ ଅଇଲଇଂ ୟେଥେ

ମୁହିଂ ଯାଇଂ ୟେଠାକୁ ପଠିଆଇବି ବୀର ପାଥେ।୧୩।

ଷୋଳସହସ୍ର କନ୍ୟାମାନେ ଯେ ଅଷ୍ଟ ନାୟେକା

ଶତେ ଅଷ୍ଟଉତ୍ତର ତହିଂରେ ସୁନ୍ଦର ବିବେକା।୧୪।

ଅର୍ଜୁନ ଗୋଚରେ ୟେହା ସମର୍ପିବ ତାତ

ମୁହିଂ ଆସିବି ପୁଣି ସମୟେ ଉଚିତ।୧୫।

ୟେତେ କଥା ହରି ବସୁଦେବଂଙ୍କ ଆଗେ କହି

ସ୍ୱପନ ପ୍ରାୟେ କୃଷ୍ଣ ତାର ମନ ମୋହି।୧୬।

ତହୁଂ ଉଦବେଗ ଗମନ ପଦ୍ମନେତ୍ର

ସମୁଦ୍ର କଇଛାଡ଼େ ମିଳିଲେ ଚନ୍ଦ୍ରଭାଗା ତୀର୍ଥ।୧୭।

ଅଟବ୍ୟା ଗିରିବର ବିପୁଣ୍ୟ ଗହନ

ଶୁଣି ଚକିତ ଦଇବକି ବସୁଦେବ ମନ।୧୮।

‌ୟେତେବୋଲି ମନର ଉଦବେଗେ ବୁଲନ୍ତି ଅନ୍ତରାଳେ

ବସିଲେ ଗହନେ ଯାଇ କାଳନ୍ଦୀ ନଦୀ କୂଳେ।୧୯।

ୟେସନେକ ସମୟେ ଯେ ଦେବ ହଳଧର

ଅମ୍ବାସୁର ବଧକରି ଦେବ ଅଇଲେ ଧାତିକାର।୨୦।

ପରମ ଆତ୍ମାକୁ ସେ ଘେନିଣ ଶୁଦ୍ଧଦେହୀ

ଗୋବିନ୍ଦଂଙ୍କ ପାଶରେ ବସିଲେ ଦେବ ଯାଇ।୨୧।

ଦେଖିଲେ ବିରସ ସେ ଦେବ ଭଗବାନ

ସମାସ୍ୟା ନାହିଂ ଆଉ ହୋଇଅଛନ୍ତି ମଉନ।୨୨।

କୃଷ୍ଣର ମୁଖ ଚାହିଁ ବିମର୍ଷ ଦେବହଳୀ

ଥମ୍ଭୀଭୂତେ ବସିଲେ ଅଶ୍ରୁଜଳ ଢାଳି।୨୩।

ୟେମନ୍ତର ଭାବେଣ ସେ ଦେବ କାମପାଳ

ଶ୍ରୀକୃଷ୍ଣ ମୁଖ ଦେଖି ଆତ୍ମା ବଇକୁଲ୍ୟ।୨୪।

ଆଉ କିମ୍ପେ ୟେହା ମନେ ବିଚାର ବନମାଳୀ

କୃଷ୍ଣ ମୁଖ ଚାହିଂଣ ବିକଳ ଦେବହଳୀ।୨୫।

ଆତ୍ମା ବିକଳଇ ତହିଂ ହୋଇଲେ ବଳେବର

ସର୍ପେକ ହୋଇଣ ସେ ଯେ ଗମନ୍ତି ଅତିଖର।୨୬।

କ୍ଷୀର ଜଳଧିରେ ଯହିଂ ଶୟନେ ମୁରାରୀ

ଶ୍ରୀକୃଷ୍ଣ ଦେଖନ୍ତେ ସେ ବଳରାମେ ବିଜେ କରି।୨୭।

ବଳରାମ ନିଧନ ଦେଖିଣ ଭଗବାନ

ଅସମୟେ ମୋତେ ଛାଡ଼ିଗଲ ହେ ସଂକ୍ରିଷେଣ।୨୮।

ୟେ ମୋହର ଆତ୍ମା ତୁ ଅଟୁ ନୀଳାମ୍ବର

କୋଟିୟେ ସିଂହର ହୋୟେ ପ୍ରାକ୍ରମ ତୁମ୍ଭର।୨୯।

ହରି ବଳରାମ ବୋଲି ବୋଲନ୍ତି ଜଗତେ

ୟେକା କରି ମୋତେ ଗଲହେ ହଳହସ୍ତେ।୩୦।

ୟେତେ ବୋଲିଣ ଦେବ ଚାହିଂଲେ ହାଥକୁ

ଶଙ୍ଖ ଚକ୍ର ଦୁହେଂ ଗଲେ ବଇକୁଣ୍ଠ ପୁରକୁ।୩୧।

ବିଶହସ୍ର ହୋଇଲେ ସେ ଦେବ ଭଗବାନ

ଆତ୍ମାକୁ ଭୟେକରି ସେ ପଶିଲେ ବିପିନ।୩୨।

ଗହନ ଅଟବ୍ୟା ସେ କାଳନ୍ଦୀ ନଦୀକୂଳେ

ବୁଲନ୍ତି ନାରାୟଣ ଚିତ୍ତର ଅନ୍ତରାଳେ।୩୩।

ଯାଇଣ ସେ ଦେଖିଲେ ଶିଆଳି ଲତା ଦୋଳି

ତହିଂର ଉପରେ ଫୁଟି ବସିଲେ ବନମାଳୀ।୩୪।

ଅସାଷ୍ଟମ ହୋଇଣ ଉତ୍ତାନଶାହୀ ହୋଇ

ଧାରାଶ୍ରାବଣ ପ୍ରାୟେ ନୟନୁ ଲୁହବୋହି।୩୫।

ସେ ଲତା ଭିତରେ ଯେ ଶୟନ ନାରାୟଣ

ପୂର୍ବର କଥା ବିଚାର କରନ୍ତି ମନେ ମନ।୩୬।

ମୁହିଂ ସେ ମୀନରୂପେ ଜଳଧିରେ ଅବତରି

ବେଦ ଉଦ୍ଧାରିଲି ତହିଂ ଶଙ୍ଖାସୁର ମାରି।୩୭।

କୂର୍ମ ରୂପେ ମାଇଲି ଅସୁର ଅବନୀ

ୟେ କାୟେ ଧଇଲି ବ୍ରହ୍ମାଣ୍ଡ ଖଣ୍ଡ ତିନି।୩୮।

ବରେହା ରୂପ ଧରି ମାଇଲି ହିରଣାକ୍ଷ

ସେ ବେଳେ ଅବା ମୋତେ ହୋଇଲା ସଂପକ୍ଷ।୩୯।

ପୃଥ୍ୱୀକି ଭାରା ହୋଇଲା ହିରଣ୍ୟକଶିପୁ

ନରସିଂହ ରୂପ ଧରି ବିଦାରିଲି ତାର ବପୁ।୪୦।

ବାମନ ଶରୀର ମୁଂ ହୋଇଲି କାୟୋ ଗୋଟି

ବଳୀକି ଦାନ ମାଗି ପାତାଳେଣ ଘୋଟି।୪୧।

ମାଳତୀ ସ୍ୱରୂପ ଧରି ଯେ ହୋଇଲି ତିରିଅଙ୍ଗ

ବଇଲୋଚନ ଦର୍ପ ୟେକାୟେ କରି ଭଙ୍ଗ।୪୨।

ଗରୁଡ ନାରୟେଣ ରୂପେ ରକ୍ଷ ଭକ୍ଷ ମାରି

କୃଷ୍ଣ ଅବତାରେ ହେତି ପ୍ରହେତି ସଂହାରି।୪୩।

ପୁଣି ଜନାର୍ଦ୍ଦନ ରୂପେକ ବିକାଶି

ମାଳୀ ସୁମାଳୀ ମୂଳେ ଅନେକ ଦତ୍ୟ ଧଂସି।୪୪।

ପ୍ରଶୁରାମ ଅବତାରେ ଜମଦଗ୍ନି ଘରେ

ମନିଷ ସ୍ୱରୁପ ମୁଂ ଧଇଲି ସେ ବେଳେ।୪୫।

ୟେକୋଇଶି ବାର ନିଛତ୍ର କଲି ମହୀ

ୟେହେନେକ ଅବସ୍ଥା ନ ପାଇଲି କାହିଂ।୪୬।

ଶ୍ରୀରମ ଅବତାର ମୁଂ ହୋଇଲି ସୂର୍ଯ୍ୟବଂଶେ

ରାବଣ କୁମ୍ଭକୁର୍ଣ୍ଣ ଛେଦିଲି ଜାନକୀର ଦୋଷେ।୪୭।

ବାବୁ ପରମ ସାଧେବୀ ସେ ଜନକ ଦୁହିତା

ଆଗହୁଂ ବଇକୁଣ୍ଠଗାମୀ ହୋଇଲେ ଦେବୀ ସୀତା।୪୮।

ସ୍ୱଦେହ ଘେନିଣ ମୁଂ ସ୍ୱର୍ଗକଇଂ ଗଲି

ସେ ବେଳେ ୟେହେନେକ ଅବସ୍ତା ନ ପାଇଲି।୪୯।

କହ୍ନା ଅବତାର ଯେ ହୋଇଲି କୁତୂହୋଳେ

କ୍ଷୀର ପାନେ ବଢ଼ିଲି ଯେ ଗୋପାଳଂକ ମେଳେ।୫୦।

ଦାରାରେ ପ୍ରମତ୍ତ ହୋଇଲି ବାଳକାଳୁ

ପରଦାରା ରମଣ ଆଦି ଗୋପୀଂକର ମେଳୁ।୫୧।

ଅବିକ୍ଷଣେ ଶୃଙ୍ଗାରେ ମୁଂ ବଢାଇଲି ମତି

ବତିଶ ସହସ୍ର ଶତେ ଅଷ୍ଟ ଉତ୍ତର ଯୁବତୀ।୫୨।

ୟେତେ କନ୍ୟାଂକର ଯେ ଦଶ ଦଶ ପୁତ୍ର ଦଶ ଦଶ ନାତି ଲେଖାୟେଂ

ୟେ ବିଧି ତନୟ ଯେ ହେଲା ଅପ୍ରମେୟେ।୫୩।

ଲକ୍ଷେ ଷାଠିୟେ ସହସ୍ର ଅଶିୟେ ନନ୍ଦନ

ଦୋହିତାମାନେ ଯେ ୟେତେକ ବିଦ୍ୟମାନ।୫୪।

ୟେହାଂକର ପୁତ୍ର ପଉତ୍ରୀ କେହୁ ପାରେ କଳି

ଚଉବିଂଶ ଯୋଜନ ଦ୍ୱାରିକା ନୁଆରଇ ସମ୍ଭାଳି।୫୫।

ୟେହାନ୍ତ ଯୁଗତେ ମୁଂ କରିଥିଲି ସେନେହ

ପଡ଼ିଲି ଅଗାଧ ଜଳେ ଛାଡ଼ିଲି ମାୟା ମୋହ।୫୬।

ହେ ପଣ୍ଡିତ ଜନେ ବହୁତ କୁଟୁମ୍ବେ

ବହୁତ କ୍ରୋଧୀ ସିନା ହୋଇଲେ ଶ୍ରୀବାସୁଦେବେ।୫୭।

ୟେକା ୟେତେକ କୁଟୁମ୍ବ ଅର୍ଜିଲି ସିନା ମୁହିଂ

ପୁଣି ମରାଇଲି ଅନ୍ୟୋଅନ୍ୟି କରାଇ।୫୮।

ସବୁନ୍ତି ମରାଇ ମୁହିଂ ହୋଇଲଇଂ ୟେକା

ଦଶଦିଶ ଅନ୍ଧାର ମୋତେ ଲାଗଇ ତାଟକା।୫୯।

ଜୀବନ୍ତେ କାର୍ଯ୍ୟ ନାହିଂ ମରଣ ମନାସଇ

ୟେକଥା ସୁମରନ୍ତେ ମୋର ଶ୍ୱରୀର ରୋମାଞ୍ଚଇ।୬୦।

ୟେସନେକ ବଇକୁଲେ ଭାଳନ୍ତି ଦେବ ଶିରୀପତି

ଅରୁଣ ପ୍ରକାଶନ୍ତେ ପ୍ରସର ହୋଇଲାକ ରାତି।୬୧।

ଶୁଣ ବଇବସୁତ ମନୁ ବଦନ୍ତି ଅଗସ୍ତି ବ୍ରହ୍ମବେତ୍ତା

କାଳନିଦ୍ରା ଘୋଟିଲା କୃଷ୍ଣ ପାଇଲେ ବଡ଼ଚିନ୍ତା।୬୨।

ବିଶେଷେ କାଳନ୍ଦୀ ନଦୀ କୂଳେ କାଳନ୍ଦୀ ଲତା କାଳେବର ପର୍ବତ

କଳିକାଳ ଭୋଗ ତହୁଂ କୃଷ୍ଣକୁ କାଳ ନିଦ୍ରା ଉପଗତ।୬୩।

ଶ୍ୱରୀରେ ଅଶକତ ଚିନ୍ତାରେ ଦେହ ଘୃମ

ପାଦର ଉପରେ ପାଦ ଦେଇ ଶୋଇଲେ ମହାଶ୍ରମ।୬୪।

ଯେ ପୁଣି ଭବିଷ୍ୟ ଅଛଇ ମୁନିର ଶାପ୍ୟ

ସ୍ୱୟଂ କୃଷ୍ଣ ଜାଣଇ ତପେ ଥାଇ ଲୋପ୍ୟ।୬୫।

ଦଇବର ବିପରୀତ ଦେଖ ହୋ ଶ୍ରୀହରି ଚରିତ

ବନରେ ବୁଲଇ ସେ ଦାରା (ଜ୍ଞଷମ) ନାମେ କିରାତ।୬୬।

ଅଜର ନାମେଣ ସେ ଯେ ଶବର ୟେକ ବୀର

ଅଜପତି ବୋଲିଣ ପୁତ୍ରକେ ତାହାର।୬୭।

ଅଜପତିର ନନ୍ଦନ ଅଟଇ ଜରଜ

ଜରଜର ପୁତ୍ର ଯେ ଅଟଇ ବିରାଜ।୬୮।

ବିରାଜର ନନ୍ଦନ ଅଟଇ କାଳକେତୁ

କାଳକେତୁର ନନ୍ଦନ ଜରା ନାମେ ତତ୍ତୁ।୬୯।

ମନୋହର ବନ ଯେ ଅଟଇ ତାର ପଲ୍ଲୀ

ଜୀବ ବେଣ୍ଟ ପାରିଧିରେ କାଳନ୍ଦୀ ତୀରେ ବୁଲି।୭୦।

ସେ ଶବର ହାତରେ ଢାମଣା କାଠର ଧନୁ

ଜୀବ ହେରି କାଳନ୍ଦୀ ତୀରେ ବୁଲେଇ କିରାତର ତନୁ।୭୧।

ଅନ୍ୟ ଦିନେ ଜୀବ କ୍ଷଣିକେ ସେହୁ ପାଇ

ସେଦିନରେ କିଛି ନ ପାଇଲା ଜୀବହିଂ।୭୨।

ବେଳ ଅବସାନ ପାୟେ ନ ପାଇଲା ଜୀବ

ଶ୍ରମେଣ ଖୋଜି ସେ ନ ପାଇଲା ସର୍ବଠାବ।୭୩।

ତୃଷା ଅର୍ଥେଣ ଯେ ସେ ମହାଶ୍ରମ ପାଇ

ବନେ ବୁଲନ୍ତି ସେ କୃଷ୍ଣଂକୁ ଦେଖଇ।୭୪।

ଶ୍ରୀକୃଷ୍ଣ ଶୋଇଅଛନ୍ତି ମହା ଉତ୍ତାନରେ

ଦେଇଣ ୟେକ ପାଦ ଆରେକ ପାଦ ଉପରେ।୭୫।

ପଦ୍ମପାଦ ଚିହ୍ନ ଦିଶଇ ଯେ ଲତାର ଭିତରେ

ବୃକ୍ଷର ଉହାଡ଼େ ଥାଇ ତାହା ନିରୋପଇ ଶବରେ।୭୬।

ବୃକ୍ଷର ଉହାଡ଼େ ଥାଇ ପୁଣ ପୁଣ ନିରେକ୍ଷିଣ ଚାହିଂ

ମୃଗ କର୍ଣ୍ଣ ପ୍ରାୟେତ ଦିଶଇ ମୋତେ ୟେହି।୭୭।

ଅତି ଗୋପ୍ୟ ହୋଇଣ ସେ ଚିଆର ସନ୍ଧିଲା

ଆକର୍ଣ୍ଣ ପରିଯନ୍ତେ ଓଟାରି ନାରଜ ଛାଡ଼ିଦେଲା।୭୮।

ଚିଆର ସନ୍ଧିଣ ସେ ବିନ୍ଧିଲା ସହସ୍ର ସ୍ରାଗେ

ଯେହ୍ନେ ସେ ବିପତ୍ତି ଅଛି ଦଇବର ଯୋଗେ।୭୯।

ଧାତିକାରେ ନାରାଜ ପୂରୋଇ ବିନ୍ଧଲାକ ହାଦେ

ସେ ନାରାଜ ପଡ଼ିଲା ଯାଇଂ ଶ୍ରୀକୃଷ୍ଣଂକ ପଦ୍ମ ପାଦେ।୮୦।

ବାମ ପାଦେ ବାଜିଣ ସେ ଉପରକଇଂ ଫୁଟି

ଭାଜିଲା କାଳନିଦ୍ରା ଯେ ଶ୍ରୋଣିତ ହୋୟେ ବୃଷ୍ଟି।୮୧।

ଶରୀର ଅଶକତେ ସ୍ୱାମୀ ଚାହାନ୍ତି ଚଉକତି

ଭାଳନ୍ତି କେଶବ ୟେହା ମୋତେ ସ୍ରିଜିଲୁ ପ୍ରଜାପତି।୮୨।

ଧନୁଶର ଭାରତୀ ଘେନିଣ ବେଣ୍ଟକାର

ଫାରସି ଉଞ୍ଚାଇ ହୋଇଲା ଶ୍ରୀକୃଷ୍ଣଙ୍କ ଛାମୁର।୮୩।

ଦେଖଇ ଜଗବନ୍ଦନ ଶ୍ରୀକୃଷ୍ଣ କମ୍ବୁପାଣି

ଦେଖିଣ ମୃକ୍ଷାଗତେ ପଡ଼ିଲା କିରାତ କିରାତୁଣି।୮୪।

ଭୋ ସ୍ୱାମୀ କେଶବ ମୁଁ ତୋତେ କଲି ଦ୍ରୋହ

ତୋହୋର କୋପକୁ ମୋହର କିସ ଯେ ବିରୋହ।୮୫।

ସ୍ୱାମୀ ମୁହିଂ ହୀନଜନ ଅଟଇ ନିଶାଚର

ବ୍ରହ୍ମା ଇନ୍ଦ୍ର ରୁଦ୍ର ପୁଛନ୍ତି ନାମଟି ଯାହାର।୮୬।

ସେବା ଭକତି ହୋ ଦେବ ନୁଆରିଲି କରି

ନାରାଜ ଘାତ କଲି ମୁଂ ଶ୍ରୀଅଙ୍ଗେ ତୋହରି।୮୭।

ମୁଂ ଅବା ମୂଢ଼ ତୁ ତ ଭୂତ ଭବିଷ୍ୟ ଗ୍ୟାଂତା

ତୋତେ କି ଅଦୃଶ୍ୟ ୟେ ନାରାଜ ଘାତକଥା।୮୮।

ସ୍ୱାମୀ ତୋହର ଚରଣୁ ମୁଂ ନାରାଜ କାଢ଼ିବି

ଜାଣଇ ମଉଷଧିମାନ ମୁଂ ୟେହିକ୍ଷଣି ଆଣିଦେବି।୮୯।

ଶ୍ରୀକୃଷ୍ଣ ବୋଇଲେ ହୋ କାଢିଲେ ତୋହର ଶର

ୟେହିକ୍ଷଣି ପ୍ରାଣ ବିସର୍ଜନ ହୋଇବ ମୋହର।୯୦।

କାନ୍ଦଇ କିରାତ ଯେ ଭୂମିରେଣ ଲୋଟି

ସ୍ୱାମୀ ନିଉଛାଳି ଯାଇ ତୋହର ପାଦପଦ୍ମ ଗୋଟି।୯୧।

ସ୍ୱାମୀ ତୋହର ୟେ ପଦ୍ମପାଦ ତଳେ

ଲଲାଟ ଲୋଟନ୍ତି ଯେ ସକଳ ଦିଗପାଳେ।୯୨।

ସ୍ୱାମୀ ଯେବଣ ପଦ୍ମପାଦେ ଗୋପ୍ୟ ଗଲା ମେରୁ

ସେ ପଦ୍ମପାଦର ଉଦକ ମାଥେ ମୋର ପଡ଼ୁ।୯୩।

ସ୍ୱାମୀ ଯେ ପଦ୍ମପାଦରୁ ବହଇ ଶ୍ରୋଣିତ

ମୋହର ମାଥେ ପଡ଼ୁ ତହିଁର ଦୁଷୁକୃତ।୯୪।

ସର୍ବ ଦେବଂକର ଯେ ଲଲାଟ ବନମାଳୀ

ଚନ୍ଦ୍ର ଚକୋର ମୁଖ ଗୋଟି ପଡ଼ିଲାକ କାଳି।୯୫।

ଉର ଶିର ତାଡ଼ନ୍ତି ଯେ ପୋଡ଼ୁ ଆମ୍ଭର ଆତ୍ମା

ନିଲ୍ଲଜ ଆତ୍ମା ରହିଅଛି ହୋ ମହାତ୍ମା।୯୬।

ଶ୍ରୀକୃଷ୍ଣ ବୋଇଲେ ହୋ ଶୁଣ ଶବରଣୀ

ମୁଖେ ସିଞ୍ଚୁକିନା ମୁଠାନ୍ତେକ ପାଣି।୯୭।

ଧାତିକାରେ ଶବରଣୀ ମୁଖରେ ପାଣି ସିଞ୍ଚି

ମଯୂର ପୁଚ୍ଛ ଧରି ଆଲଟ କରି ବିଞ୍ଚି।୯୮।

ଜଳ ସିଞ୍ଚନ୍ତେ ପ୍ରଭୁ ହୋଇଲେ ସାଷ୍ଟମ

ଶବରକୁ ପ୍ରତିବାକ୍ୟ ଦିଲେ ପୁରୁଷଉତ୍ତମ।୯୯।

ୟେ ଚିଆର ଗୋଟି ଶବର ପାଇଲୁ ତୁ କାହିଂ

ଅସୁର ଗନ୍ଧର୍ବ ଦେବତା ଆଦି ହୋ ମୋହରେ ବଧ ନାହିଂ।୧୦୦।

ବୋଲଇ ଶବର ଯେ ଯୋଡ଼ିଣ ବେନିକର

କହଇ ସରୂପ ତୁ ଶୁଣ ତ୍ରଇଲୋକ୍ୟ ଠାକୁର।୧୦୧।

ମୋହର ମଇତ୍ରେକ ଯେ କଇବ୍ରତେକ ଥିଲା

ଭାରିଜା ହାଥେ ତାର ମୀନେକ ଦେଇ ପଠିଆଇଲା।୧୦୨।

ସେ ମାଛ କେଳାବନ୍ତେ ମୋହର ଘରଣୀ

ଦିବ୍ୟ ଲୁହା ଖଣ୍ଡିୟେକ ପାଇଲା ଚକ୍ରପାଣି।୧୦୩।

ତାହା ନାରାଜ ଗଢ଼ାଇଲି କମାର ଶାଳେ ନେଇ

କେବେହେଂ ଦିନେ ୟେହି ନାରାଜ ନ ମାରଇ।୧୦୪।

ଭୋ ଦେବ ବୁଲି ଆଜି ମୁଂ ବଡ଼ ଶ୍ରମ ପାଇଲଇଂ

ନପୁଣ ମୃଗଜୀବ ପଳାଇଣ ଯାଇ।୧୦୫।

ୟେହା ବିଚାରିଣ ନାରାଜ କଲଇଂ ସନ୍ଧାନ

ଦ୍ରୋହ କଲଇଂ ଦେବ ଶ୍ରୀମଧୁସୂଦନ।୧୦୬।

ଶ୍ରୀକୃଷ୍ଣ ବିଚାରନ୍ତି ଶବର ବଚନ ଶୁଣି

ସେ ଲୋହା କପୋରା ବୋଲି ମୁଂ ନ ଜାଣି।୧୦୭।

ଅଷ୍ଟବକ୍ର ଋଷି ଯେବଣ ଶାପ ଦିଲା

ତାହାର କୃତେ ମୋତେ ୟେ ନାରାଜ ଲାଗିଲା।୧୦୮।

ଆହୋ କିରାତ ତୁ କଥାୟେ କରିବୁ

ଧାତିକାରେ ଇନ୍ଦ୍ରପ୍ରଶସ୍ତ ଯାୟେ ତୁହି ଯିବୁ।୧୦୯।

ଯୁଝେଷ୍ଠିଂକ ଅନୁଜ ଅଟଇ ଭୀମସେନ

ତାହାର ସାନୁଜ ଯେ ଅଟଇ ଅରଜୁନ।୧୧୦।

ଧାତିକାରେ କିରାତ ତୁ କରସି ଗମନ

ଅର୍ଜୁନକୁ ଘେନିଣ ତୁ ଆସିବୁ ବହନ।୧୧୧।

ୟେ ମୋହର ଅବସ୍ଥା ତୁ ପାଣ୍ଡବଂକୁ କହ

ୟେକା ଅର୍ଜୁନକୁ ଘେନି ଆସିବୁ ବେଗେଂ ଯାଅ।୧୧୨।

ଦ୍ୱାରିକା ବାଟରେ ତୁ ଘେନି ନ ଆସିବୁ ତାହା

ୟେତେ ବିଚାରିଣ ବୋଲନ୍ତି ଚଉବାହା।୧୧୩।

କିରାତ ବୋଲଇ ତୁ ଶୁଣ ଗୋ ଜରତା

ଶ୍ରୀକୃଷ୍ଣ ସନିଧ୍ୟେ ବସି ଥାଅ ଗୋ ବନିତା।୧୧୪।

ଘାଆରେ ମାଛି ବସି ନପୁଣ ହୋଅନ୍ତିଟି କୃମି

ସନ୍ନିଧ୍ୟେ ବସି ବିଞ୍ଚୁ ଥାଅଲୋ ଭାବିନୀ।୧୧୫।

ଶବରୁଣୀ କରେ ଦିଲେ ଧନୁଶର ଭାରଥୀ

ବ୍ୟାଘ୍ର ଭାଲୁଂକ କେହି ନୁଆସିବେ ତୋର କତି।୧୧୬।୩୦୬।

 

ଜାରାଶବର ଇନ୍ଦ୍ରପ୍ରସ୍ଥେ ଶ୍ରୀକୃଷ୍ଣଙ୍କର ସମ୍ବାଦ ଦେବା ଓ
ପାର୍ଥଙ୍କୁ ସଙ୍ଗେ ଘେନିଆସିବା

ଘରଣୀକି ଜଗାଇଣ ଚଳିଗଲା ବୀର

ହସ୍ତିନା କଟକେ ଯାଇଂ ବିଜୟେ ଶବର।୧।

ଦ୍ୱାରେ ଫୁକାରିଲା ଅର୍ଜୁନଂକୁ ଜଣାଅ

ଜାରାଶବର ଆସିଅଛି ବୋଲିଣ ଯାଇ କହ।୨।

ୟେମନ୍ତ କରି ଚାରେ କହିଲେ ଅର୍ଜୁନକଇଂ ରାଇ

ଜାରାଶବର ଆସି ଦ୍ୱାରେ ଉଭାହୋଇ।୩।

ସ୍ୱାମୀ ଜାରା ନାମେ ଶବର ଉଭା ହୋଇଅଛି ଦ୍ୱାରେ

ଶ୍ରୀକୃଷ୍ଣ ଆଦେଶ ବୋଲି ବୋଇଲା ଛାମୁରେ।୪।

ତକ୍ଷଣେ ଅର୍ଜୁନ ଦ୍ୱାରେ ପ୍ରବେଶ ହୋଇଲେ ଯାଇଂ

ନମସ୍କାର କରି ଯେ ଶବର କହଇ।୫।

ୟେକାନ୍ତ କରି ଅର୍ଜୁନକଇଂ ହକରାଇ

କାଳନ୍ଦୀ କୂଳ ଯାୟେ ଆସସି ଗୋସାଇଂ।୬।

ଶ୍ରୀକୃଷ୍ଣ ବିଜେ କରିଛନ୍ତି କାଳେବର ଲତାୟେ

ବୋଇଲେ ୟେହିକ୍ଷଣି ଘେନିଆସିବୁ ଧନୁଜୟେ।୭।

ଯଥା ଉଚ୍ଛୁର ନକରି ବାବୁ ବହନ ହୋଇଯିବୁ

ନ ଗଲେ ଆର ବେଳେ କୃଷ୍ଣଂକୁ ନ ଦେଖିବୁ।୮।

ଜାରାଶବରକଇଂ ପାର୍ଥ ସଂଗେ ଘେନି

ଯୁଝେଷ୍ଠିଂକ ଚରଣେ ପ୍ରଳମ୍ବିତ ଫାଲଗୁନି।୯।

ଅର୍ଜୁନ ବୋଇଲା ସ୍ୱାମୀ ଶ୍ରୀକୃଷ୍ଣ ବିଜେକରିଛନ୍ତି କାଳେବର ଲତାୟେ

ବୋଇଲେ ୟେହିକ୍ଷଣି ଘେନି ଆସିବୁ ଧନୁର୍ଜୟେ।୧୦।

ଜାରାଶବରକଇଂ ପଠିଆଇଲେ ଆପଣ

ବଚନେ କହିଲେ ଅର୍ଜୁନ ଆସିବୁ ବହନ।୧୧।

ବଡ଼ ଆରତେ ଆସି କହଇ କିରାତ

ସହଦେବଂକୁ ଯୁଝେଷ୍ଠି ପଚାରିଲେ କହିବାକୁ ୟେଥିର ତଦନ୍ତ।୧୨।

ସହଦେବ ବୋଇଲା ଦେବ ୟେ ଜାରା ବେଣ୍ଟକାର

ମନୋହର ବନରେ ଯେ ଅଟଇ ତାର ଘର।୧୩।

କାଳନ୍ଦୀ ବନକଇଂ ମୃଗୟା ବିନୋଦେଣ ଗଲା

ବନେବନେ ବୁଲିଣ ଯେ ଜୀବ ଗୋଟିୟେ ନ ପାଇଲା।୧୪।

କାଦମ୍ବରୀ ପାନେଣ ଯେ ହୋଇଣ ମତିଭୋଳ

ଯାଦବ ବଂଶ ନାଶ ଗଲେକ ସକଳ।୧୫।

ସନ୍ତରାବଣେ ପଶି ଦେବ ହୋଇଲେ ସର୍ବେ ପିଟାପିଟି

ତିରଣ ପ୍ରମାଣେ ଛିଡ଼ିଲେ ଯାଦବ ଛପନ ଗୋଟି।୧୬।

ପୁତ୍ର ବନ୍ଧୁ କୁଟୁମ୍ବ ଯହୁଂ ସମସ୍ତେ ଗଲେ ନାଶ

ୟେକା ନାରାୟଣେ ଥାଇଂ କରିବେଟି କିସ।୧୭।

କାଦମ୍ବରୀ ପାନେ ସ୍ୱାମୀ ମତ୍ତଭୋଳ ହୋଇଂ

ଶିଆଳୀ ଲତାରେ ସେ ଅଛନ୍ତି ଦେବ ଶୋଇ।୧୮।

ଜୀବ ନପାଇ ୟେ ଶବର ବନେ ହେରି

ପଦ୍ମପାଦ ଚିହ୍ନ ଯେ ଦିଶିଲା ତାହାଂକରି।୧୯।

ମୃଗର କର୍ଣ୍ଣ ପ୍ରାୟେକ ବୁଝି କରି ବିନ୍ଧିଲାକ ବାଣ

ପଦ୍ମପାଦେ ଶରଘାତ ହୋଇଲେ ଦେବ ନାରାୟଣ।୨୦।

କୃଷ୍ଣ ୟେହାକୁ ପଠିଆଇଲେ ବହନ

ଆଗ୍ୟାଂ ଦିଅ ଅର୍ଜୁନ ୟେବେ ଯାଆନ୍ତୁ ଶୀଘ୍ରେଣ।୨୧।

ନାରାଜ ଘାତେ ଦେବ ଅଛନ୍ତି ଯେ ଶୋଇ

ଅର୍ଜୁନ ଠାକୁରଂକୁ ଦିଅ ହୋ ପଠିଆଇ।୨୨।

ଅର୍ଜୁନ ଯିବା ଯାୟେ କୃଷ୍ଣ ଧରିଛନ୍ତି ପ୍ରାଣ

ୟେହାଂକର ଗଲେ ପ୍ରାଣ ବିସର୍ଜିବେ ଦେବ ନାରାୟଣ।୨୩।

ୟେହା ଶୁଣି ମୃଛାଗତ ହୋଇଲେ ଯୁଝେଷ୍ଠି

ଚାଲ ଦେଖିଯିବା ଶ୍ରୀକୃଷ୍ଣ ଶ୍ରୀଚରଣ ଗୋଟି।୨୪।

ସହଦେବ ବୋଇଲେ ସ୍ୱାମୀ ଆମ୍ଭେ ଯେ ନଯିବା

କୃଷ୍ଣ ରବଇକୁଲ୍ୟ ଦେଖି ଆମ୍ଭେ କେମନ୍ତେ ବ୍ରତିବା।୨୫।

ଅର୍ଜୁନଂକୁ ଦେବ ୟେବେ ପଠିଆଇଂ ଦେବା

ୟେହାଂକର ଅଇଲେ ସମସ୍ତ ତଦନ୍ତ ବୁଝିବା।୨୬।

ଶୁଣି ଯୁଝେଷ୍ଠି ଦେବ ଯେ କ୍ରୋଧଭର ହୋଇ

ଅର୍ଜୁନକଇଂ ବୋଇଲେ ବାବୁ ଯାଅ ବେଗେ ତୁହି।୨୭।

ସହଦେବ ବୋଇଲେ ସ୍ୱାମୀ ତୁମ୍ଭେ ଯେବେ ଯିବ

କଦାଶ୍ଚିତେ ଶ୍ରୀକୃଷ୍ଣଂକ ଅଂଗ ନ ଛୁଇଂବ।୨୮।

ୟେତେକ ତିଆରନ୍ତେ ଗମନ କରଇ ଫାଲଗୁନି

ଚଳଇ କିରାତ ଯେ ଅର୍ଜୁନକଂଇ ସଙ୍ଗେ ଘେନି।୨୯।

ଚାଲନ୍ତେ ପ୍ରବେଶ ହେଲେ କାଳନ୍ଦୀର ତଟେ

ରାଜମାର୍ଗ ତେଜିଣ ଯେ ପଶିଲେ ବନ ପଥେ।୩୦।

ଅର୍ଜୁନ ବିଚାରଇ ୟେ ଚରିତ ଅଟଇ କେମନ୍ତ

ଗହନ ବନ ଭିତରେ ମୋତେ କଢାଉଛି ତ ପଥ।୩୧।

ବଡ଼ାଇ ଅଟବ୍ୟା ୟେ ଗହନ ଘୋରଲତା

ଗମଇ ଅତି ବେଗେ ବନଚର ଶକତା।୩୨।

ମନେ ବିକୃତେଣ ଯେ ପଣ୍ଡୁରାଜାର ତନୁ

କ୍ଷଣେ କ୍ଷଣେ ଆମଞ୍ଚଇ ଗାଣ୍ଡିମ ନାମେ ଧନୁ।୩୩।

ବୋଲଇ ଅର୍ଜୁନ ଯେ ଶବରର ପାଶ

ତୋହର ଚରିତ ମୁଂ ମଣିଲି ଅବିଶ୍ୱାସ।୩୪।

ନିଜ ପଥ ତେଜି କିମ୍ପେ ପଶୁ ବନମାର୍ଗେ

ତାହା ଶୁଣି ଶବର ଅର୍ଜୁନକୁ ବୋଲଇ ଯେ ବେଗେ।୩୫।

ଶ୍ରୀକୃଷ୍ଣ ଦ୍ୱାରିକାୟେ ନାହିଂ ହୋ ଅର୍ଜୁନ

ବନସ୍ତରେ ବିହରଇ ଦେବ ଜନାର୍ଦ୍ଦନ।୩୬।

ଶବର ବୋଲଇ ଶୁଣ ହୋ ଦୁତିଗୋବିନ୍ଦ

ବନେ ଥାଇ ହରି ଆଗ୍ୟାଂ ମୋତେ ଧିନ୍ଦ।୩୭।

ଶୁଣିଣ ଅର୍ଜୁନ ବିକୃତ ମନେ ବାଳି

ଭଲା ସହଦେବ କହିଲା ପରିକଳି।୩୮।

ତୁମ୍ଭକୁ କିସ ଚରିତ ବୋଲଇ ଗୋବିନ୍ଦ

ବିଷାଦେ ଶବରକୁ ପୁଛନ୍ତି ସେହୁ ସାଧ୍ୟ।୩୯।

ମୋତେ ଶବର ହୋ ଗୁପତ ନକର

କେମନ୍ତ ଚରିତ ହୋ କହ ଶ୍ରୀହରିର।୪୦।

ବୋଲଇ ଶବର ନଜାଣଇ ତଥ୍ୟ ବାଣୀ

ଆଗ୍ୟାଂ ଦିଲେ ମୋତେ ଚାହିଂ ଦେବ ଚକ୍ରପାଣି।୪୧।

ତୁ ଯାଇ ଅର୍ଜୁନକଇଂ ବେଗେ ଆଣରାଇ

ତାହାର ଆଗ୍ୟାଂରେ ଯେ ଅଇଲି ତୋତେ ନେଇଂ।୪୨।

ଶୁଣ ରାଜନ ପତ୍ର ବିଞ୍ଚଣୀ ଘେନି ଶବରୁଣୀ

ସନିଧ୍ୟେ ବସି ବିଞ୍ଚୁଅଛି ଯହିଂ ଚକ୍ରପାଣି।୪୩।

ଗୋବିନ୍ଦେ ବୋଇଲେ ମୁଂ ବଡ଼ାଇ ଆରତି

ବେଳ ଅବସାନ ହୋଇଲା ନଇଲା ତୋର ପତି।୪୪।

କାଳେବର ପର୍ବତେ ଉଠି ଚାହିଂଲା କିରାତୀ

ଶବରକୁ ନିରୋପି ଚାହଂଇ ଚଉକତି।୪୫।

ୟେମନ୍ତର ସମୟେ ଆୟେ ଜାରା ଫାଲଗୁନି

ସନ୍ନିଧ୍ୟେ ପ୍ରବେଶ ହୋଇଲେ ଅର୍ଜୁନ କିରାତକଇଂ ଘେନି।୪୬।

ଦେଖିଲେ ଅର୍ଜୁନ ଶ୍ରୀକୃଷ୍ଣ ଆଉଜି ପଡ଼ିଛନ୍ତି

ମୁଖ ଅପ୍ରସନ୍ନ ଯେ ନେତ୍ର ହତଭଙ୍ଗ ଓଳି ଦିଶୁଛନ୍ତି।୪୭।

ନିରେଖିଣ ଅର୍ଜୁନ ଯେ ଚାହଂଇ ବଦନ

ଚରଣ ଫୁଟି ନାରାଜେ ଦିଶୁଛି ରଙ୍ଗବର୍ଣ୍ଣ।୪୮।

ଅର୍ଜୁନକଇଂ ଦେଖି ହରି କ୍ରୋଧ ଘନଘନ

ବେନି ଚକ୍ଷୁରୁ ଲୋତକ ବହଇ ଅବିଛନ୍ନ।୪୯।

ଅରୁଣ ଉଲ୍ଲୋଳ ପ୍ରାୟେ ହୋଇଅଛି ବେନିଆଖି

ଶୋକେ ଅସମ୍ଭାଳ ଦେବ ଅର୍ଜୁନକଇଂ ଦେଖି।୫୦।

ସନ୍ନିଧ୍ୟକୁ ଯାଇଣ ଯେ ପୁଛଇ ଧନୁର୍ଜୟେ

ସମସ୍ତ ଉପେକ୍ଷା କଲୁ କି ପ୍ରଭୁ ଦୟାମୟେ।୫୧।

ଶ୍ରୀକୃଷ୍ଣ ବୋଇଲେ ହୋ ଶୁଣ ସର୍ବସାଚୀ

ଦଇବର ଘଟସୂତ୍ର ମୋତେ ୟେସନେକ ଅଛି।୫୨।

ଅଷ୍ଟାବକ୍ର ଋଷି ମୋତେ ଯେ କଲେ କୋପ

ଗଡ଼ି ନ ଗଲାତ ମୋତେ ତାହାଂକର ଶାପ।୫୩।

ଅର୍ଜୁନ ବୋଇଲେ ସ୍ୱାମୀ ଜଗବନ୍ଦନ ନାଥ ତୁ ଭୂତ ଭବିଷ୍ୟ ଗ୍ୟାଂତା

ତୁମ୍ଭଂକୁ ୟେ ପୃଥୀରେ କେହୁ ଶାପ ଯେ ବିହନ୍ତା।୫୪।

କାଳ ଉଚିତେଣ ନାଥ ନଥିବୁ ତୁ ମହୀ

କଳିକାଳ ଅନୁରୂପେ ବିକାର କଲୁ ଦେବ ଦେହୀ।୫୫।

ମୁଂହି ତୋର ତୁଲେ କି ନଥିଲି ଚକ୍ରପାଣି

ସମସ୍ତ ବୃତ୍ତାନ୍ତ ତୋର ଅଛଇ ଦେବଜାଣି।୫୬।

ଶ୍ରୀକୃଷ୍ଣ ବୋଇଲେ ମୁଂ ହୋଇଲି ଶରଘାତ

କୋଳ କରି ମୋତେ ଧର କିନା ବୀର ପାଥ।୫୭।

ଅର୍ଜୁନ ବୋଇଲେ ସ୍ୱାମୀ ଦେଖିଲି ତୋର କାୟେ

ଶରୀର ଦିଶଇ ତୁମ୍ଭର ଅବଶେଷ ପ୍ରାୟେ।୫୮।

ତୁହି ଅଟୁ ହୋ ନାଥ ଅନାଦି ନାରାୟଣ

ମୁହିଂ ମନୁଷ୍ୟ ମାତ୍ରକ ହୋଇ କେମନ୍ତ ଛୁଇଂ ତୋ ପଦ୍ମଚରଣ।୫୯।

ବୋଲଇ ଅର୍ଜୁନ ଯେ କୃତାଞ୍ଜଳି ହୋଇ

ୟେ ବଚନ ମୋତେ ତୁ ନ ବୋଲ ଗୋସାଂଇ।୬୦।

ଭୋ ରାଜନ ପାଦରୁ ଶର ଓପାଡ଼ିଲା ଜାରା

ନିଜ ପ୍ରାଣ ବଇକୁଲ୍ୟ ହୋଇଲା କଣ୍ଠହାରା।୬୧।

ଆସ ଆସ ଅର୍ଜୁନ ହୋ କିମ୍ପେ ହୋଉ ତୁ ନିର୍ଦ୍ଦୟେ

ମୁହିଂ ତୋତେ ଅନୁଗ୍ରହ କରଇ ସର୍ବଦାୟେ।୬୨।

ମୋହର ଆତ୍ମାରେ ତୋତେ ଦୋଷ କଲା ନାହିଂ କିଛି

ତୁକି ନଜାଣୁ ପାଥ ତୋତେ ମୋର ବିକାର କି ଅଛି।୬୩।

ଦ୍ୱାରିକାୟେ ପଶିତୁ ଯେ ହରିଲୁ ସୋହଦ୍ରାଂକୁ

ତୋହର ପାଇଂ ଛାଡ଼ିଲି ମୁଂ ବଳରାମଂକୁ।୬୪।

ବେଳେବେଳେ ଅର୍ଜୁନ ଅଟୁ ମୋର ସଖା

ତୋ ତହୁଂ ସୋଦର ମୋର ଆନେକେ ଅଛି ୟେକା।୬୫।

ଗୋସିଂହ ମାରିଣ ତୁ ରଖିଲୁ ଦ୍ୱାରିକା

ଦତ୍ୟଂକର ତୁଲେ ତୁ ସମର କଲୁ ୟେକା।୬୬।

ପୁଣି ଉଦ୍ଧରିଲୁ ବାବୁ କଦମ୍ବାସୁର ବିବାଦେ

ନିଚିନ୍ତ ଥିଲୁ ଆମ୍ଭେ ତୋହେର ପରସାଦେ।୬୭।

ଅର୍ଜୁନ ବୋଲନ୍ତି ମ୍ଳେଛ ପାପ ଅଙ୍ଗ ମୋର

କେସନେ ଛୁଇଂବି ହରି ପୟର ତୋହର।୬୮।

ଜାଣିଲେ ଶ୍ରୀହରି ଅର୍ଜୁନର କୃତ୍ୟ

ୟେହାକୁ ସହଦେବ କହିଲା ନିରୁତାନ୍ତ।୬୯।

ତେଣୁ କରି ପାଥ ମୋତେ ବିକୃତ ଚିନ୍ତଇ

ଆସ ଆସ ପାଥ ମୋତେ କର ତ୍ରାହି ତ୍ରାହି।୭୦।

ଶୁଣ ହେ ବୁଧ ଜନେ ଶ୍ରୀମହାଭାରଥ କଥା

ଶ୍ରୀକୃଷ୍ଣ ଅବସାନ ଲୀଳାର ବାରତା।୭୧।

ଯାହା ସେ କହିଲେ ଧାର୍ମିକ ଅଗସ୍ତି

ମୁହିଂ ତାହା ଭାବିଲି ସୟଳ ଜନମତି।୭୨।

ଯେ ୟେହା ପଢ଼ନ୍ତି ଶୁଣନ୍ତି ୟେକ ମନେ

ଯମଦଣ୍ଡ ଛେଦି ସେ ବସନ୍ତି ବଇକୁଣ୍ଠ ଭୁବନେ।୭୩।

ଅପାର ବିନୋଇ ଯେ ବୋଲଇ ଫାଲଗୁନି

ଦୂରେ ଥାଇ ଅରଜୁନ କରଇ ଦୟିନୀ।୭୪।

ଶ୍ରୀକୃଷ୍ଣ ବୋଇଲେ ଅର୍ଜୁନ ତୁ ମୋହର ପଞ୍ଚୁପ୍ରାଣ

ୟେତେବେଳେ ତୁହି ମୋତେ ନକଲୁ ଉଦ୍ଧାରଣ।୭୫।

ଅର୍ଜୁନ ବୋଇଲେ ସ୍ୱାମୀ ତୁ ପରମ ବିଷ୍ଣୁକାୟେ

ମନୁଷ୍ୟ ଜନମ ମୁହିଂ ଛୁଇଂତେ କରଇ ଭୟେ।୭୬।

ଶ୍ରୀକୃଷ୍ଣ ବୋଇଲେ ମୋତେ ଛାଡ଼ିଲୁ କିରୀଟୀ

ମୃତୁଗତ ଜନଂକୁ ଆବର କାହିଂ ଗୋଷ୍ଠୀ।୭୭।

ଦୂରେ ଥାଇ ମୋତେ ତୁ ବଢାଇ ଦିଅ ହାଥ

କିଞ୍ଚିତେ ଲାଗିଲେ ମୋର ଦେହ ହେବ ସୁସ୍ଥ।୭୮।

ଅର୍ଜୁନ ବୋଇଲେ ଯୁଝେଷ୍ଠିଦେବଂକର ତୋତେ ଛୁଇଂବା
ଆଗ୍ୟାଂ ନାହିଂ

ମୁହିଂ ତା କିମର୍ଥେ ଅବଗ୍ୟାଂ କରିବଇଂ।୭୯।

ଶ୍ରୀକୃଷ୍ଣ ବୋଇଲେ ଯେବେ ନଛୁଇଂବୁ ମୋର ତନୁ

ତଳ ଥାଇ ମୋତେ ବଢାଇ ଦିଅ ଧନୁ।୮୦।

ବାବୁ ଆବର ବଚନେକ ମୋହର କରିବୁ

ମୋହର ନିଧନେ ଯେ ଦ୍ୱାରିକା ପୁର ଯିବୁ।୮୧।

ଅନେକ ସ୍ତିରୀ ରତ୍ନ ଅଛନ୍ତି ସେ ପୁରେ

ତାହାଂକୁ ଛାଡ଼ିବୁ ନେଇ ବାଲୁଂକା ନଦୀ ତୀରେ।୮୨।

ନନ୍ଦ ବସୁଦେବ ଆଗେ କହିବୁ ମୋହର ବିଯୋଗ

ୟେତେକ ଅର୍ଜୁନ କି ନକରୁ ମୋତେ ସୋଗ।୮୩।

ୟେତେକ ବିନୋୟୀ କରି କହିଲେ ଜଗୁନାହା

ମାନବ ମାତ୍ରକ କେହୁ ପ୍ରକାଶିବ ତାହା।୮୪।

ବ୍ୟାକୁଳ ବଚନେ ଯେ ଅର୍ଜୁନ ହେଲେ ଶମ

କୃଷ୍ଣର ହାଥକୁ ବଢାଇ ଦିଲା ଧନୁ ଯେ ଗାଣ୍ଡିମ।୮୫।

ଦକ୍ଷିଣ ଭୁଜେ କୃଷ୍ଣ ତାର ଧଇଲେ ଯେ ଧନୁ

ଅର୍ଜୁନ ମୁଖ ଚାହିଂ ଛାଡ଼ିଲେ ଦେବ ତନୁ।୮୬।

ଅର୍ଜୁନ ଦେଖନ୍ତେ ଦେବ ପୁଷ୍ୟେକ ବିବାନେ ବସି

ପୁଷ୍ୟ ବୃଷ୍ଟି କରାନ୍ତି ଯେ ବଇକୁଣ୍ଠ ବାସୀ।୮୭।

ବିଷ୍ଣୁର ଅଙ୍ଗେ ଦେବ ହୋଇଲେକ ଲୀନ

କହ୍ନା ଅବତାର ଯେ ହୋଇଲା ସମ୍ପୂର୍ଣ୍ଣ।୮୮।

ଅର୍ଘ୍ୟ ବନ୍ଦାପନା କରନ୍ତି ସକଳ ବିଦ୍ୟାଧରୀ

ଜୟ ଜୟ ମଙ୍ଗଳ କରନ୍ତି ସିଉକାରୀ।୮୯।

ଯହୁଂ ଦେବ ଅଇଲେ ତହିଂକି ପୁଣ ଗଲେ

ୟେ ସଂସାର ଜନନ୍ତ ସେ ମୁକତିବାଟ ଦିଲେ।୯୦।

ହେ ବୁଧ ଜନେ ଅନୀତି ଅଟଇ ୟେ କାୟେ

ଯେସନେ ଜଳ ବିମ୍ବୁ ବିଜୁଳି ଛାୟା ପ୍ରାୟେ।୯୧।

ବୁଡ଼ିଲା ସଂସାର ୟେ ସ୍ତିରୀ ଲୋଭବଶେ

ମୋହ ପାଶ ବନ୍ଧନ ୟେ କୁଟୁମ୍ବର ଆଶେ।୯୨।

ଶୁଣ ହେ ସୁଗ୍ୟଂଜନେ ୟେ ମାୟା ମୋହ ସଂସାର ନୋହେ କିଛି

ଅନମିତ୍ତେ ଦ୍ୱନ୍ଦ ପରମାଦ ପଡ଼ୁଅଛି।୯୩।

କୃଷ୍ଣହୁଂ କୁଟୁମ୍ବ ଯେ କାହାର ଅଛି ବୁଦ୍ଧି

ଯେବଣ ପୁରେ କାଳଦୂତ ନ ପଶଇ ବ୍ୟାଧି।୯୪।

ଆନ କାହାକୁ ବିହନ୍ତା ନାହିଂ ଯେ ସର୍ବଥା

ଅନମିତେ ବଂଶ ଲୋପ କରାଇଲା ବିଧାତା।୯୫।

ଜଗ ବନ୍ଦନ ନାଥ ୟେଥୁଂ ନୁଆରିଲେ ତରି

ମନୁଷ୍ୟ ଜନ୍ମ ହୋଇ ୟେଥୁ କେ ଉବୁରି।୯୬।

ଦାତବ୍ୟ ଦୟାଶୀଳ ସନ୍ଥଜନେ ହୋଅ ଗୋଷ୍ଠୀ

ଶାହାସ୍ରେ ନିର୍ଜିତ ହୋଇ ପୂରାଅ ସର୍ବ ଅଭୀଷ୍ଟି।୯୭।

କର ନାନା ତୀର୍ଥ ସକଳହିଂ ଧର୍ମ

ହୃଦଗତେ ସୁମରୁଥିବ ନରେ ଶ୍ରୀରାମର ନାମ।୯୮।

ଭବ ଜଳ ସାଗରକୁ କରଇ କାରଣ

ୟେକ ଲୟେ କରି ଶ୍ରୀବିଷ୍ଣୁ ପୁରାଣ ଶୁଣ।୯୯।

ହେ ପଣ୍ଡିତଜନେ ଜାତ ହେଲେ ଅବଶ୍ୟ ହୋୟେ ମୃତୁ

ପରଲୋକ ବାନ୍ଧବ ବିଷ୍ଣୁ ହିଂ ସେ ପରମ ତତ୍ତୁ।୧୦୦।

ଶ୍ରୀବାସୁଦେବ ଚରଣ କମଳେ

ଶୂଦ୍ରମୁନି ସାରୋଳାଦାସ ଭଜଇ ଭ୍ରସଳେ।୧୦୧।୪୨୨।

 

ଜାରାଶବର ସଙ୍ଗେ ଅର୍ଜୁନର ଯୁଦ୍ଧ ଓ ପରାଜୟ

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି

କିରାତକୁ କୋପକଲା ବିଚିତ୍ରବୀର୍ଯ୍ୟର ନାତି।୧।

ଆରେ ଆରେ ଶବର ତୁ କଲୁ ୟେହେନେକ କୃତ୍ୟ

ଜଗବନ୍ଦନ ନାଥଂକୁ ତୁ କଲୁ ଶରାଘାତା।୨।

ତୋହର ଜୀବନକୁ ଆଉ କିସ କାର୍ଯ୍ୟ

ତିରଣ ପ୍ରମାଣେ ମାଂସ କାଟିବି ତୋର ଆଜ ।୩।

ୟେତେ କହି ବାସବୀ କରେ ଧଇଲାକ ଧନୁ

ପୁରୋଇଲା ନାରାଜ ଯେ ବାସବର ତନୁ।୪।

ଜାରା ଶବର ବୋଇଲା ଶୁଣ ହୋ ସର୍ବସାଚୀ

ବିଚାରିଣ କୋପକର ମୋର ଦୋଷ ନାହିଂ କିଛି ।୫।

ମୁହିଂ ନ ଜାଣଇ କୃଷ୍ଣ ଲତାରେ ଛନ୍ତି ବୋଲି

ମୃଗକି ଗଣ୍ଡା ବୋଲି ମୁଂ ଶରାଘାତ କଲି।୬।

ତୁ ଯେତେ କୋପ ମୋତେ କରୁଅଛୁ ଧନୁଜୟେ

ଶ୍ରୀକୃଷ୍ଣତ ୟେଡେ କୋପ ମୋହରେ ନକୟେ ।୭।

ଶବର ବଚନ ପାର୍ଥ କର୍ଣ୍ଣେଣ ନଶୁଣି

ପୁଣ ପୁଣ କୋପ ଯେ କରଇ ବୀରମଣି।୮।

ବିନ୍ଧିଲା ତୀକ୍ଷଶର ଯେ ବିମୋକ୍ଷେ ଟାଣି ପାଥ

ଯେସନେକେ ଗଗନୁଂ ପଡ଼ଇ ନିରିଘାତ।୯।

ଅର୍ଜୁନର ଶରକୁ ବଞ୍ଚାଇଲା ଜାରା ଯେ କିରାତ

ପୁଣି ପୁଣି ଉତ୍ତର ଦିଅଇ ବନନାଥ।୧୦।

କିରାତ ବୋଇଲା ଶୁଣ ଅଭୟେ ସୋମବଂଶୀ

ପାମର ଶବରେ ତୁ ନୁହସି ଝିଂଘାସି।୧୧।

ଦେଖୁ ଦେଖୁ ମୁଂ ବିଷ୍ଣୁଂକୁ ଦ୍ରୋହ କଲି

ବନଚର ଲୋକ ସିନା ଜୀଇଂଲେ ଜୀଇଂଲି ମଲେ ମଲି।୧୨।

ମୋହର ନାରାଜ ଘାତେ ତୁହି ନାଶ ଗଲେ

ତ୍ରଇଲୋକ୍ୟ ଅନାସ୍ତ ହେବ ତୋହର ନାଶିଲେ।୧୩।

ଅର୍ଜୁନ ବୋଇଲେ ଯେବେ କୃଷ୍ଣର ପ୍ରାଣ ତ୍ୟାଜ

ମୁହିଂ ଆଉ ବ୍ରତୀ ଥାଇ କିସ କରିବି ନିଲଜ୍ଜ।୧୪।

ପୁଣିହିଂ ପଞ୍ଚାଶ ଶର ଅର୍ଜୁନ ହିଂ ବିନ୍ଧି

ଜାରା ଶବରକୁ ସେ ଆକ୍ରୋଷିଣ ରୁନ୍ଧି।୧୫।

କିରାତ ବୋଇଲା ତୁମ୍ଭେ ଦିଗପାଳେ ସାକ୍ଷୀ

ରାଜ୍ୟଧର ହୋଇ ୟେ ହୋଇଲେ ନିରିମାଖୀ ।୧୬।

ଧାମଣା କାଠର ଧନୁ କଣ୍ଟା ବାୟେଂଶର ଗୁଣ

ଫିରିକି ନାରାଜ ସେ ପୂରୋଇ ପଞ୍ଚବାଣ।୧୭।

ଅର୍ଜୁନର ନାରାଜକୁ କିରାତର ଶର

ଶରେ ଶର ପଡ଼ି ତାଳ ଅଗ୍ନି ଝଲଝଲ।୧୮।

ପୁଣ ପୁଣ ନାରାଜ ଯେ ହୋଅନ୍ତି ବିନ୍ଧା ବିନ୍ଧି

ଛାଡ଼ିଲେ ପୀରତି ପଣ ହୋଇଲେ ନିପ୍ରୋଧି।୧୯।

କିରାତକୁ ସମରେ ଅର୍ଜୁନ ନୋହଇ ଓଛ

ଶରେ ଶର ପଡ଼ି ତାଳ ଦୁହେଂ ସମକଛ।୨୦।

କୃଷ୍ଣ ବିନେ ଅର୍ଜୁନ ବଳହୀନ କକ୍ଷା

ଜଳମୁଖ ନଚାହିଂ ମରିବାକୁ କରଇ ଇକ୍ଷା।୨୧।

ଉଭୟ କୁଳ ପରିତାଳ ସମରେ ମହାଟାଣ

ବିଚାରିଲେ ଦୁହିଂକରି ଅଟନ୍ତି ଗୁରୁଦ୍ରୋଣ୨୨

ଦହନ ଶର ଆଧାନ କଲା ବୀର ପାଥ

ବାରୁଣାଶରେ ତାହା ନିବାରିଲାକ କିରାତ।୨୩।

ପଞ୍ଚଦଶ ବାଣ ବିନ୍ଧିଲା କିରୀଟୀ

ଶତେକ ନାରାଜେ ଶବର ତାହା ପକାଇଲା କାଟି।୨୪।

ସହସ୍ରେ ବାଣ ପୁଣ ବିନ୍ଧିଲା କିରାତ

ପାଞ୍ଚଶତ ନାରାଜେ ଅର୍ଜୁନ କଲାହତ।୨୫।

ଭଇରୋବ ବାଣକୁ ବିନ୍ଧିଲା ଫାଲଗୁନି

ତିମ୍ବୁରଶର ଘେନି ଶବର ତାହା ଛିନ୍ନି ।୨୫।

ଅର୍ଜୁନ ବିନ୍ଧିଲା ଶତେଧାରା ଯେ ଶକତି

ସହସ୍ରଧାରା ଶକତି ଯେ ତାହା ହାଣିଲା ଅଜରପତିର ନାତି ।୨୬।

ଅର୍ଜୁନ ବିନ୍ଧିଲା ଶତେ ଧାରା ଯେ ଶକତି

ସହସ୍ରଧାରା ଶକତି ଯେ ତାହା ହାଣିଲା ଅଜର ପତିର ନାତି।୨୭।

ଜାଳାବଳୀ ନାରାଜକୁ ବିନ୍ଧିଲା ଅରଜୁନ

ଚକ୍ରଶରେ ଶବର ତାହା କଲାକ ଛେଦନ।୨୮।

ପର୍ବତାଶରକୁ ବିନ୍ଧିଲା ବୀର ପାଥ

ବଜ୍ରଶରେ ତାହା ଛେଦିଲା କିରାତ।୨୯।

ରାଗେଣ ଅର୍ଜୁନ ସେ ଯେ ମୋହନା ଶର ପେଷି

ରୋମକେ ସୂଚୀ ମୁନା ନାରାଜ ମାନନ୍ତବରଷି।୩୦।

ଅଭେଦ କପଚକୁ ଶବର କଲାକ ପ୍ରହାର

ମୋହନାଶରକୁ ନାଶିଲା ଜାରା ଯେ ଶବର।୩୧।

ସହସ୍ରେ ନାରାଜ ପାର୍ଥ ବିନ୍ଧିଲାକ ଟାଣି

ପ୍ରତିତୁଲ୍ୟକରି ଜାରା ପକାଇଲା ହାଣି ।୩୨।

ଜାରା ବିନ୍ଧିଲା ପୁଣ ଦଶସହସ୍ରେକ ଶର

ବାବଲ ଶରେ ତାହା ଛେଦିଲା ପାର୍ଥ ବୀର ।୩୩।

କୋପେଣ ଅର୍ଜୁନ ମନଭେଦୀ ଶର ଯୋଚି

ଜାରାଶବରମୁଣ୍ଡ ପକାଅ କାଟି ବୋଇଲା ସବ୍ୟସାଚୀ।୩୪।

ଜାରା ପୂରୋଇଲା ଯେ ପ୍ରାଣହରଣ ବାଣ

ଯାଇଣ ପାଣ୍ଡବର ତୁ ହରସିରେ ପ୍ରାଣ।୩୫।

ଅପାଲଟକ ଶର ଦୁହେଂ ଯେ ଅଟନ୍ତି

ବିନ୍ଧିଲେ ଶରୀର ଅବଶ୍ୟ ଫୁଟନ୍ତି।୩୬।

ଆକାଶରୁ ବାଣୀ ଦିଲେ ବିହନ୍ତା ପୁରୁଷେ

ଆହୋ ଦୁହେଂ ନାରାଜ ସଂହର ବୋଇଲେ ତ୍ରିଦଶେ।୩୭।

ଆକାଶର ବାଣୀ ଶୁଣି ଦୁହେଂ ସଂହରିଲେ ଶସ୍ର ବେନି

ୟେକ ଅତ୍ମା ତୁମ୍ଭେ ଅଟ ଯେ ନୋହ ଅନ୍ୟୋଅନ୍ୱି।୩୮।

ଆହୋ ଅର୍ଜୁନୟେ ଅଟଇ ଜାରା ନାମେ ଶବର

ଜନ୍ମେ ଜନ୍ମେ ଥାଇ ୟେ ତୁମ୍ଭର ସଙ୍ଗର ।୩୯।

ତୁ ହୋ ଅର୍ଜୁନ ସୁଗ୍ରୀବର ,ଶ୍ରୀକୃଷ୍ଣ ରାମଚନ୍ଦ୍ର

ତୁମ୍ଭରଜ୍ୟେଷ୍ଠ ପୁତ୍ର ଯେ ଅଟଇ ଅଙ୍ଗଦ।୪୦।

ତୁମ୍ଭେ ହରିଅର୍ଜୁନ ୟେ ଅଟଇ ଜାରାଶବର

କୃଷ୍ଣର ପିଣ୍ଡ ୟେ ପୂଜାକରିବ ନୀଳକନ୍ଦର।୪୧।

ଶୁଣିଣ ସାନନ୍ଦ ହୋଇଲେ ବେନି ଆତ୍ମା

ଅର୍ଜୁନ ବୋଲନ୍ତି ପିଣ୍ଡଦହନ କରିବା ହୋ ମହାତ୍ମା।୪୨।

ସ୍ୱାମୀ ତୋହର ଦେହ ନ ଛୁଇଂଲି ପ୍ରାଣ ବିସର୍ଜିବ ବୋଲି

ତେଣୁ କରି ସ୍ୱାମୀ ତୋହର ଦେହ ନଛୁଇଂଲି।୪୩।

ସ୍ୱାମୀ ଶତେ ଚନ୍ଦ୍ରବଦନ ତୋର ମୁହଂ ଚାହୁଂ ଚାହୁଂ

ମୁହି ପାମର ତୋତେ ଦେଖିବଇଂ ଆର କାହୁଂ।୪୪।

ତୁ ସ୍ୱାମୀ ଅଟୁ ମୋର ପ୍ରାଣର ପଞ୍ଚଭୂତ

ତୋହର ଅଭାବେ ଆମ୍ଭେ ହୋଇଲୁ ଅରକ୍ଷିତ।୪୫।

ସ୍ୱାମୀ ସୟଳ ସଂସାରେ ଶୁଭଇ ୟେହେର୍ଣ୍ଣେକ ଧନ୍ୟ

ଶ୍ରୀକୃଷ୍ଣଂକର ଆଶ୍ରିତ ଆମ୍ଭେ ପାଣ୍ଡବ ପଞ୍ଚୁଜନ।୪୬।

ସ୍ୱାମୀ ତବ ନାମ ଧରି ପାଣ୍ଡବ ବ୍ରତ ହେତୁ

ତୁ ବାଟ ବହିଗଲୁ ଆମ୍ଭେ କେହ୍ନେ ବ୍ରତୁ।୪୭।

ଆମ୍ଭର ଜୀବନେ ଆଉ କିସ କାର୍ଯ୍ୟ ସୁଖ

ତୋହର ଅଭାବେ ଆମ୍ଭେ ହୋଇଲୁ ନିରେଖ।୪୮।

ଅନେକ ଶୋକ କରଇ ନ ସରଇ କହନ୍ତେ

ଅର୍ଜୁନ ଅବସ୍ଥା ହୋଇଲା ଯେତେ ଯେତେ।୪୯।

ଭୋ ରାଜନ ଜାରାଶବର କ୍ରୋଧ କରଇ ଶାନ୍ତି

ରୋଦନ କରନ୍ତି ଯେ ପ୍ରସର ହୋଇଲାକ ରାତି।୫୦।୫୨୩।

 

Unknown

ଶ୍ରୀକୃଷ୍ଣଂକ ପିଣ୍ଡଦହନ ଓ ଶବରର ନାରାୟଣ ପୂଜା

ଅର୍ଜୁନ ବୋଇଲା ହାଦେ ଶୁଣ କିରାତ ଭାଇ

ଅଗ୍ର ବୃକ୍ଷ ଗୋଟିଏ ଖୋଜ ସଂଜାଳିବା ଯୁଇ।୧।

ସ୍ୱାମୀ ତୁ ସେ ଆମ୍ଭନ୍ତ କରନ୍ତୁ ଦହିଜ

ମୁହିଂ ତୁମ୍ଭର ପିଣ୍ଡକୁ ଦହିଜ କରିବି ନିଲଜ୍ଜ।୨।

ସୟଳ ସଂସାରେ ତ ହୋଇଲା ଉପହାସ

କୃଷ୍ଣର ପ୍ରାଣତ୍ୟାଜ ବୋଲି ଶୁଭିଲା ଭବିଷ୍ୟ।୩।

କରଣେ କୋଠାର ଘେନି ଜାରା ବୁଲଇ ସାରିକ୍ଷ

ବନସ୍ତେ ପଶି ଶବର ଲୋଡ଼ଇ ଅଗ୍ରବୃକ୍ଷ।୪।

ଅନେକ ଗହନେ ଭ୍ରମି ସେ ନପାଇଲା ଲୋଡି

ଜାରା ବୋଇଲା ମୁଂ ୟେହି ଠାବରେ ଦେଖିଥିଲି ।୫।

ଜାରା ବୋଇଲା ତୁ ଶୁଣ ସର୍ବସାଚୀ

ଅପାର କାଳହୁଂ ୟେଠାରେ ଅଗ୍ରବୃକ୍ଷେକ ଅଛି।୬।

ତାହା ଲୋଡ଼ି ୟେବେ ମୁହିଂ ନ ପାଇଲି ଦେବ

କିମର୍ଥେ ଗୋପ୍ୟାନ ହୋଇଲାନି ତାହା ୟେବ।୭।

ଶବର ବୋଇଲା ଶୁଣିଲା ଅଛି ଅପାର କାଳର କଥା

ଶୁଣ ସାବଧାନେ ମୋ ଉପରେ ବଂଶର ବାରତା ।୮।

ୟେହି କାଳନ୍ଦୀର ତୀର କାଳେବର ପର୍ବତ ତଳେ

ଅଗ୍ରବୃକ୍ଷ ଗୋଟାଏ ଥାଇ ସର୍ବକାଳେ।୯।

ଅଜର ଶବର ଯେ ଅଟଇ ମୋର ଅଜା

ବେଣ୍ଟ ପାରଧିରେ ବୁଲଇ ବନେ ରାଜା।୧୦।

ଅନୁସରି ପାରିଧି ବୁଲଇ ନିଶା କାଳେ

ଆସିଣ ରହିଲା ସେ ୟେହି ଅଗ୍ର ବୃକ୍ଷତଳେ।୧୧।

ଶଙ୍ଖ ଚକ୍ର ଗଦା ଅଭୟ ପଦ୍ମହସ୍ତ

ନୀଳେତ୍ପୋଳ ତନୁ ରକତ କୁମୁଦ ନେତ୍ର।୧୨।

ଦେଖଣ କିରାତ ଯେ ଶତେ ଦଣ୍ଡ ପରିଣାମି

ବୋଇଲା କେବଣ ଦେବତା ଅଟ ଦେବସ୍ୱାମୀ।୧୩।

ବୋଲନ୍ତି ମାଧବ ଯେ କିରାତେଶ୍ୱର ଶୁଣ

ମୁଂହି ଅନାଦି ନାଥ ଯେ ଶବରୀ ନାରାୟଣ।୧୪।

କଳି କାଳ ଜାଣି ମୁଂ ହୋଇଲଇଂ ଗୋପ୍ୟ

ୟେହିଠାରେ ଥିବି ମୁହିଂ ପାଷାଣ ସ୍ୱରୂପ।୧୫।

ତୁ ମୋତେ ପାଣି ପତ୍ର ଦେଇ କରୁଥିବୁ ପୂଜା

ନଜାଣିମେଟି କୁଟୁମ୍ବ ତୋର ପୁତ୍ର କି ଭାରିଜା।୧୬।

ଯଦି ତୁୟେ କଥା ଆନକୁ କହିବୁ

ବଂଶ ନାଶଯିବ ତୋର ସଂପୋଡେ ନାଶ ଯିବୁ।୧୭।

ୟେତେ ବୋଲି ଦେବ ତତକ୍ଷଣେ ହେଲେ ଅନ୍ତର୍ଧ୍ୟାୟେ

ପାଷାଣ ରୂପ ଧଇଲେ ପ୍ରଭୁ ଦେବରାୟେ।୧୮।

ଅଗ୍ର ବୃକ୍ଷ ଆବୋରି ରହିଲେ ଭଗବାନ

ଶବରୀ ନାରାୟଣ ରୂପେ ପୂଜା ଯେ ପାଇଣ।୧୯।

ନିତ୍ୟେହେଂ କିରାତ ଦିଅଇ ପତ୍ର ପାଣି

ଦିନେ ଶବର ପଚାରଇ ଭୋ ଦେବ ଶିରୋମଣି୨୦।

ସ୍ୱାମୀ ପୂଜା ଯେ କରଇ ନ ଦେଇଣ ଅନ୍ନ

ୟେଥକୁ ଅପାର ଦୋଷ ଅଟଇ ବିଦ୍ୟମାନ।୨୧।

ଶୁଣି ନାରାୟଣ ପ୍ରତିବାକ୍ୟ ଦିଅନ୍ତି

ତୋହର ଅନ୍ନେ ଆମ୍ଭେ ହୋଇବୁ ତ୍ରିପୁତି।୨୨।

ଶୁଣିଣ ଶବରର ଫିଟିଲା ମନ ଭ୍ରାନ୍ତି

ଯିସ ଅନ୍ନ ମିଳଇ ସେ ଦେଉଥାଇ ନିତି।୨୩।

ଛାମୁରେ ଥୋଇ ଶବର ଯାୟେ ଆଡ ହୋଇ

ଆପଣେ ଭୁଞ୍ଜନ୍ତି ତାହା ଜଗତ ଗୋସାଇଂ।୨୪।

ଯାହା ସମ୍ଭର୍ବ ନିତି ହିଂ ଶବର କରଇ ଯାଇଂ ପୂଜା

ଆନ ଜଣେ କେହି ତ ନଜାଣଇ ଦୁଜା ।୨୫।

ୟେ ବିଧିରେ ବରଷ ସାତ ପାଞ୍ଚ ଗଲା

ଶବର ଶ୍ୱରୀରେ ଆସି ଜ୍ୱର ଆରମ୍ଭିଲା।୨୬।

ଅଶକତେ ଯାଇ ନୁଆରଇ ନାରାୟଣ କତି

ଭାଳଇ ବନରେ ହୋ ମୁଂ ଦ୍ରୋହ କଲି ଶ୍ରୀପତି ।୨୭।

ଆପଣାର ଗଲେ ପୂଜା ପାଆନ୍ତି ନରହରି

ଭାଳଇ ବନଚର ମନେ ମନେ ବିଚାରି।୨୮।

ବଡ଼ାଇ ସଂକଟ ତ ପଡ଼ିଲା ମୋତେ ଆସି

ଆଜତ ମୋହର ନିୟମ ପ୍ରକାଶି।୨୯।

ବିଷ୍ଣୁ ମୋହରେଣ ଦିଲେକ ଆଦେଶ

ୟେହାନ୍ତ ଆନରେ ତୁ ନକରିବୁ ପ୍ରକାଶ।୩୦।

ଲୋକେଣ ଯଦ୍ୟପି ତୁ କରାଇବୁ ଗ୍ୟାନ

ତୋହର ପୂଜା ଯାୟେ ମୋହର ନାହିଂଟି ଭୋଜନ ।୩୧।

ଆନର ଆଗେ କହିଲେ ନପୁଣ କୋପ କରଇ

ପୂଜା ନପାଇଲେ ସଂପୋଡେ ନାଶ ଯାଇ।୩୨।

ଭାଳଇ ବନଚର ୟେ ମୋହର ନନ୍ଦନ

ଆତ୍ମାରୁ ଜାତ କଲି ଯେ ୟେ ମୋହର ସମାନ।୩୩।

ପୁତ୍ରର ନାମ ତାର ବିରାଜ ବେଣ୍ଟକାର

ତାହାକୁ ଗୋପ୍ୟାନେ ସେ ତିଆରଇ ଶବର।୩୪।

ତୁ ମୋହର ନନ୍ଦନ ବାବୁ ରେ କର ଗୋପ୍ୟ

ପ୍ରକାଶ କରନ୍ତେ ବଂଶ ହୋଇବ ଯେ ଲୋପ୍ୟ।୩୫।

ବୁଲଇ ପୁତ୍ର ଯେ ପିତାର ସମୀପ

ମୋହରେଣ କଥା କିସ ତୋହୋରେଣ ଗୋପ୍ୟ ।୩୬।

ଯେ ତୋହର ଚରିତ କହ ତାତ ଜାଣି

ଦେସି ଆଗ୍ୟାଂ ତାତ ମନେଣ ପରିମାଣି।୩୭।

ବୋଲଇ ଶବର ଯେ ଅତି ଗୋପ୍ୟ ବାଣୀ

ଯତନେ ତୁ ଗୋପ୍ୟାନ କରିବୁ ମନେ ଜାଣି।୩୮

ବନସ୍ତର ମଧ୍ୟେ ଯେବଣ ସଂକେତ ସ୍ଥାନ

ଅଗ୍ରବୃକ୍ଷ ତଳେ ଯେ ଅଛନ୍ତି ଯେବଣ ପ୍ରତିମ ।୩୯।

ସେ ନୀଳ ପ୍ରତିମ ଯେ ପ୍ରତକ୍ଷେ ମାଧବଇ

ତାହାର ପୂଜା ତୁ କରିବୁ ବାବୁ ଯାଇଂ।୪୦।

ତୁ ବାବୁ ପତ୍ର ପାଣି ଘେନି ବେଗି ଯିବୁ

ଲାଉକା ପତ୍ରରେ ଅନ୍ନ ପୁଡ଼ାୟେକ ନେବୁ ।୪୧।

ପାଣି ନିଉଡାଇ ଶିରେ ଚଢାଇବୁ ଫୁଲ

ଦେଖ ଯାଇ ଶବରୀ ସେ ନାରାୟଣ ଉପର।୪୨।

କେହି ନ ଜାଣିବେ ଆଉ ୟେକା ତୋତେ କହିଲି

ବାପାଂକର ଦେହ କହିବୁ ଅଳସ ଯେ ବୋଲି।୪୩।

ଅନ୍ନ ପୁଡାୟେକ ଛାମୁରେ ଯେ ଥୋଇବୁ

ମାଧବ ଭୁଂଜ ବୋଲି ଆଡେ ହୋଇଯିବୁ।୪୪।

ପିତାର ବଚନ ଶୁଣି ଚଳଇ ନନ୍ଦନ

ଅଗ୍ର ବୃକ୍ଷ ତଳେ ଯାଇ ହୋଇଲା ସନ୍ନିଧାନ।୪୫।

ଦେଖଇ ଶବର ତହିଂ ନାରାୟଣ ରୂପ

ବୋଇଲା ଭୋ ନାଥ ହେ ଖଣ୍ଡିଲା ମହାପାପ।୪୬।

ପାଣି ଶିରେ ଦେଇଣ ଯେ ପତ୍ରୀ ଚଢାଇଲା

ବାବୁଂକର ଦେହ ଅସୁସ୍ଥ ବୋଲି ଛାମୁରେ ଜଣାଇଲା ।୪୭।

ବାବୁ ଦେଇ ପଠିଆଇ ଅଛନ୍ତିଟି ଯାହା

ତ୍ରିପୁତି ହୋଇ ଦେବ ଭୁଂଜିବାକ ତାହା।୪୮।

ଛାମୁରେ ଥୋଇ କହିଗଲା ଯେ ଆଡ ହୋଇ

ନ ଭୁଂଜିଲେ ନାରାୟଣ ଜଗତଭୂତ ସାଇଂ।୪୯।

କରପତ୍ର ଯୋଡ଼ି ତାଂକୁ ବୋଲଇ ବିରାଜ

କିମ୍ପାଇଂ ଅନ୍ନ ଭୋ ନାଥ ତୁମ୍ଭେ ତ ନଭୁଂଜ।୫୦।

ନଉଚେତ ଅନ୍ନ ପୁଡ଼ାକୁ ଦିଅ ବାହୁଡ଼ାଇ

ପୁଣ ଲୋଡ଼ିଲେ ଆଉ ପାଇବ ତୁମ୍ଭେ କାହିଂ।୫୧।

ଯାଚିଲା ଅନ୍ନ କିମ୍ପେ ନକରୁ ଆହାର

ମୋହର ଦୋଷ ନାହିଂ ଭୋକେଣ ଦେବ ମର।୫୨।

ୟେତେ ବୋଲି ଅନ୍ନପୁଡ଼ାକ ବାହୁଡ଼ାଇ ନେଲା

ପିତାର ଆଗରେ ଯାଇଣ କହିଲା।୫୩।

ପାଣି ପତ୍ର ଦେଇ କରିଲି ନିବେଶ

ମୋହର ବୋଲେ ଅନ୍ନ ନ କଲେ ସେ ଗ୍ରାସ ।୫୪।

ଶୁଣି ବିଷାଦ ବଡ଼ ହୋଇଲା କିରାତ

ପୂଜା ନ ଘେନନ୍ତି ପ୍ରଭୁ ନଭୁଂଜନ୍ତି ଭାତ।୫୫।

ୟେଥୁ ଅନନ୍ତରେ ଶବର ରୁଦ୍ରପୁର ଗଲା

ମହାଦେବଂକର ଆଗେ ସମସ୍ତ କହିଲା।୫୬।

ସ୍ୱାମୀ ପ୍ରତକ୍ଷେ ନାରାୟଣ ମାଧବ ମୂରତି

ଅଗ୍ରବୃକ୍ଷ ମୂଳେ ପୂଜଇ ମୁହିଂ ନିତି।୫୭।

ଶୁଣି ବିସରନ୍ତି ଦେବ ସୁଢଳାଙ୍ଗ

ଦ୍ୱାପର ଯୁଗ ଶେଷ ଆସି ହୋଇଲା କଳିଯୁଗ ।୫୮।

ସେ କୃଷ୍ଣ କିମ୍ପେ ସମ୍ମୁଖେ ଅବତରଇ

ଦେଖିଲେ ବଇକୁଣ୍ଠେ ଯିବେ ସର୍ବ ନରଇ।୫୯।

ଯମ ଆଉ କାହାକଇଂ ହାଦେ ଦେବ ଶାସ୍ତି

ବୁଡ଼ିଲା ଯମଦଣ୍ଡ ସମସ୍ତେ ସଦଗତି।୬୦।

ୟେତେ ବୋଲି ମହାଦେବ ହକାରିଲେ ଯମ

ପାଷାଣ ରୂପେ ହାଦେ ଶ୍ରୀପୁରୁଷୋତ୍ତମ।୬୧।

ତୁ ଯାଇ ତାହାଂକୁ ଘେନିଆସ ବେଗେ

ତେବେ ସିନା ଭୋଗ୍ୟ ସେ ହୋଇବ କଳିଯୁଗେ ।୬୨।

ୟେତେକ ଶୁଣି ତହୁଂ ଚଳଇ କୃତାନ୍ତ

ଅଗ୍ରବୃକ୍ଷ ତଳେ ଯେ ଦେଖଇ ମାଧେବନ୍ତ।୬୩।

ପଞ୍ଚୁକେତନରେ ସେ ବିବାନ ଆରୋହିଣ

ତହିଂ ବିଜେ କରାଇ ଶବରୀ ନାରାୟଣ।୬୪।

ପୁଷ୍ୟକ ବିବାନରେ ବସାଇଲା ନେଇ

ବୋଇଲା ଚାଲଦେବ ଯିବା ସ୍ୱର୍ଗକଇଂ।୬୫।

କଳିଯୁଗେ ପ୍ରବେଶ ୟେଥି ନଥିବା ଗୋସାଇଂ।୬୬।

ୟେତେବୋଲି ଘେନିଗଲା ଶବରୀ ନାରାୟଣ

ସଂଜୀବନୀ ପୁରକୁ ନେଲା ତତକ୍ଷଣ।୬୭।

ଯମ ଧର୍ମ ସଭାରେ କଲା ନେଇପୂଜା

ଭଗତ ଭାବ ଘେନି ବିଜୟେ ଦେବରାଜା ।୬୮।

ସଂଜୀବନୀ ପୁରକୁ ଯାଆନ୍ତି ଯେତେ ଲୋକ

ବିଷ୍ଣୁ ପାଷାଣ ଦେଖି ବସନ୍ତି ବିଷ୍ଣୁଲୋକ ।୬୯।

ଗୋହତ୍ୟା ବ୍ରହ୍ମହତ୍ୟା ସ୍ତିରୀହତ୍ୟା ମାତୃହରଣ ବିଶୁଳିପତି

ୟେ ପଞ୍ଚମହାପାତକ ନଆସଇ କତି।୭୦।

ନରକ ଲୋକେ ଯାଇ ବସନ୍ତି ସ୍ୱରଗେ

ଜନ୍ତୁନାଶନ ବୋଇଲା ୟେଥୁ ଦେବ ବିଜେ କର ବେଗେ ।୭୧।

ଅର୍ଜୁନକୁ କହଇ ଜାରା ବେଣ୍ଟକାର

ସେ ଅଗ୍ର ବୃକ୍ଷ ଗୋଟି ଅଛି ଯେ ଠାବର।୭୨।

ଅର୍ଜୁନ ବଇକୁଲ୍ୟ ସେ ଅଗ୍ର ବୃକ୍ଷ ନପାଇ

ଶ୍ରୀକୃଷ୍ଣ ଛାଡ଼ିଗଲେ ହୋଇଲି ମୁଂ ବାଇ।୭୩।

ମାୟାରେ ହରି ପିଣ୍ଡ ନଦହିବାର ନିମନ୍ତେ

ଅଗ୍ରବୃକ୍ଷ ଗୋପ୍ୟ କରିଥିଲେ ପୁରୁହୃତେ।୭୪।

ଅର୍ଜୁନ ବଇକୁଲ୍ୟେ ଦୃଶ୍ୟ ଅଗ୍ରବୃକ୍ଷ

କିରାତ ବୋଇଲେ ହୋ ୟେହିଟି ପ୍ରତ୍ୟକ୍ଷ।୭୫।

ଭୋ ଦେବ ସେ ଅଗ୍ରବୃକ୍ଷ ଗୋଟି ଗୋପ୍ୟ ହୋଇଥିଲା

ପୁଣିହିଂ ଲୋଡନ୍ତେ ସେ ଶବର ପାଇଲା।୭୬।

କୋଠାର ଘେନିଣ ଖଣ୍ଡ ଖଣ୍ଡ କରି ହାଣି

ଚିରିଣ ସମସ୍ତ କାଠ ରୁଣ୍ଡ କଲା ଆଣି।୭୭।

ଯଥାବିଧିରେ ଅର୍ଜୁନ ସଂଜାଳ କଲା ଜୁଇ

ପୁଷ୍ୟମାଳା ଗୋଟିଏ ହୃଦରେ ଲମ୍ବାଇ।୭୮।

ଅଗ୍ର ଚନ୍ଦନ ଘୋରି ଲେପନ କଲା କାୟେ

ଦିଶନ୍ତି ଜଗମୋହନ ଦିବ୍ୟ ଅବତାର ପ୍ରାୟେ।୭୯।

ଦେଖିଣ ହୃଦୟରେ ଭିଡ଼ଇ ବିବତ୍ସ

ମୋହର ଆଷ୍ୟଘେନି ଉଠକିନା ଶ୍ରୀବତ୍ସ।୮୦।

ମୁହିଂ ମୃତୁପିଣ୍ଡ ହୋଇକିନା ଗୋସାଇଂ

ଚନ୍ଦ୍ରଚକୋର ମୁଖର ପରିମୁଣ୍ଡା ଯାଇ।୮୧।

ମୁହିଂ ମୂଢ଼ଜନ ସହଦେବର ବଚନ ନ କଲି

ୟେକଷ୍ଟ ଅବସ୍ଥା ତୋହର ୟେବେ ଯାହା ମୁଂ ଦେଖିଲି।୮୨।

ଯେବଣ ଦେହ ଦେଖିଲେ ଅପାର ପାପ କ୍ଷୟେ

ଅଗ୍ନିରେ କେସନେ ଭରିବି ଯେ ଦେବରାୟେ।୮୩।

ବଇକୁଲ ହୋଇଣ ଲଗାଇଲା ବହନି

କୃଷ୍ଣକୁ ଅଗ୍ନି ଭିତରେ ବସାଇଲା ଫାଲଗୁନି।୮୪।

ଅଗର କାଠରେ ସେ ଯେ ଲଗାଇଲା ସଂଜାଳ

ଉଠିଲା ବହନି ଯେ ପ୍ରାଣତ୍ୟାଜ ଅନଳ।୮୫।

ୟେକା ମାତ୍ର ତୁଲେ ଅଛି ଜାରା ଶବର ସାଖା

ନବତାଳ ଉତ୍ସର୍ଗରେ ଯେ ବହନିର ଶିଖା ।୮୬।

ସ୍ୱାମୀ ଭୃଙ୍ଗାବଳୀ ନୀଳ ଜିଣି ଯେବଣ ଶରୀର ବିରାଜଇ

ମୁହିଂ ପାମର ତାହାକଇଂ ଯେ କରୁଅଛି ଦହିଜ୍ୟଇ।୮୭।

ଜ୍ୱଳନ୍ତେଣ ୟେକ ରାତ୍ର ୟେକ ଦିବସ ଗଲା

ଶ୍ରୀକୃଷ୍ଣଂକ ପିଣ୍ଡକଇଂ ଯେ ଅଗ୍ନି ନ ଲାଗିଲା।୮୮।

ଜାଳି ଜାଳି ଅର୍ଜୁନ ଯେ ହୋଇଲା ବିମୁଖ

ସରିଲାନି ଅଗ୍ରବୃକ୍ଷ ନବ ତାଳ ଶିଖ।୮୯।

ଭାଳଇ ଅର୍ଜୁନ ୟେ ହୋଇଲା କେସନ

ପାପୀ ଲୋକଂକର ପିଣ୍ଡ ଯେ ନୋହଇ ଦହନ।୯୦।

ଗୋହତ୍ୟା ବ୍ରହ୍ମହତ୍ୟା ମାତୃହରଣ ଯାହାର ଅଛଇ

ସେ ଲୋକଂକର ପିଣ୍ଡ ଯେ ଅନଳ ନଭକ୍ଷଇ।୯୧।

ପୁଣି ବିଚାରଇ ୟେ ଗୋପେ ଷଣ୍ଢା ବଧ କଲା

ବାଳକାଳେ ୟେ ପ୍ରୋହିଣୀକି ଯେ ବଧିଲା।୯୨।

ଗୋଗୋଷ୍ଠେ ପଶିଣ ୟେ ବକାସୁର ମାରି

ବଳାତ୍କାରେ ହରିଲା ୟେ ଗଉରୋବ ଗୋପସ୍ତିରୀ।୯୩।

ଜୀବନ୍ତେଣ ଦୋଷ ଯେ ନକଲାକ ବାଧା

ପରଲୋକେଣ ସେ ଯେ ଲାଗିଲାକ କ୍ରୋଧା।୯୪।

ପୁଣ ବିଚାରଇ ମୁଂ ଯେ ଅଟଇ ମନୁଷ୍ୟ

ମୁହିଂ ଛୁଇଂଲଇଂ ତେଣେ ହୋଇଲାକ ଦୋଷ।୯୫।

ୟେତେ ବିଚାରି ବଇକୁଲ୍ୟ ହୋଅଇ ଫାଲଗୁନି

ଶୂନ୍ୟେଣ ଶୁଭିଲାକ ଯେ ଆକାଶର ବାଣୀ।୯୬।

ତୁମ୍ଭେ କିମ୍ପା ବିମୁଖ ହେଉ ହୋ ସର୍ବସାଚୀ

ୟେ ପିଣ୍ଡ ଅଗ୍ନି ଦେବତା ନୁଆରିବ ଭକ୍ଷି ।୯୭।

ୟେପିଣ୍ଡ ବିଜେ କରିବ ନୀଳ ସୁନ୍ଦର ପର୍ବତେ

ତହିଂରେ ପୂଜା ପାଇବେ ଦଶ ଶହସ୍ର ବର୍ଷ ପରିଯନ୍ତେ।୯୮।

ଅଗ୍ନି ଲିଭାଅ ତୁମ୍ଭେକର ଆମ୍ଭର ବୋଲ

କାଢ଼ିଆଣି ପିଣ୍ଡ ମଉଦଧିରେ ମେଲ।୯୯।

ଦେବତାଂକ ବୋଲେ ଜଳ ଘେନି ଲିହାଇଲା ବହନି

ମୃତୁପିଣ୍ଡକୁ କାଢ଼ିଲା ସେ କରେ ଯଷ୍ଟି ଘେନି।୧୦୦।

କୋଳ କରି ଆଣି ମେଲିଲେ ମଉଦଧି

ପ୍ରେତସ୍ନାନ କଲେ ଜଳେ ସାରିଲେ ଯଥାବିଧି।୧୦୧।

ଜାରା ଶବରକୁ ସେ ବୋଲଇ କିରଟୀ

ତୁ ରକ୍ଷା କରିଥିବୁ ୟେ ମୃତୁପିଣ୍ଡ ଗୋଟି।୧୦୨।

କାହିଂ ଲାଗିବୟେ ହୋଇବ କେମନ୍ତ

କେବଣ ଯୋଗେ ୟେ ହୋଇବ ଉଦିତ।୧୦୩।

ୟେତେକ ଆଗ୍ୟାଂ ତାକୁ ଦେଇଗଲେ ପାଥ

ତହୁଂ ଶବର ଯେ ପୂଜଇ ମାଧବ ଅଲାଳନାଥ।୧୦୪।

ଯେବଣ ପ୍ରତିମା ଯମ ଆସ୍ଥାନୁଂ ଆଣିଲା

କୃଷ୍ଣ ପିଣ୍ଡ ପ୍ରତିମା ଶବର ପୂଜିଲା।୧୦୫।

ୟେତେ ତିଆରିଣ ଚଳିଳା ବୀରପାଥ

ଗାଣ୍ଡିମ ଧରି ନୂଆରଇ ଶରୀର ଅଶକତ।୧୦୬।

ମହୋଦଧି କୂଳେ କୂଳେ ଚଳଇ ଅର୍ଜୁନ

ଧନୁ ମୁଣ୍ଡାଇ ଚଳେ ବାସବ ନନ୍ଦନ।୧୦୭।

ନୟନରୁ ଲୋତକ ଯେ ବହେ ଘନ ଘନ

ପ୍ରବେଶ ବାସବି ଯାଇ ଦ୍ୱାରିକା ଭୁବନ।୧୦୮।

ରଇବ୍ରତ ପର୍ବତେ ଉଠିଲା ଫାଲଗୁନି

ଧ୍ୟାୟେ ନିରୋପଇ ଯେ ବ୍ୟାସ ମହାମୁନି।୧୦୯।

ଅର୍ଜୁନର ଚିନ୍ତଂତେ ଯେ କମ୍ପିଲା ଆସନ

ଧ୍ୟାନେଣ ଜାଣିଲେ ତାହା ପାରେଶ୍ୱରଂକ ନନ୍ଦନ।୧୧୦।

ଅର୍ଜୁନ ସନ୍ନିଧ୍ୟେ ପ୍ରବେଶ ଋଷି ଆସି

ବିନୟ ଯୁଗତେ ପାଥ ବଚନ ସମ୍ଭାସି।୧୧୧।

ବ୍ୟାସେ ବୋଲନ୍ତି ପାଥ କେବଣ କୃତ୍ୟ କଲୁ

ଶ୍ରୀକୃଷ୍ଣ ପିଣ୍ଡ କେବଣଠାରେ ଛାଡିଣ ଅଇଲୁ।୧୧୨।

ଅର୍ଜୁନ ବୋଇଲା ଦେବ ପୋଡନ୍ତେ ଚକ୍ରପାଣି

ଅଦଭୂତେ ଶୁଭିଲା ଯେ ଆକାଶର ବାଣୀ।୧୧୩।

ଅଗ୍ନିରୁ କାଢ଼ି ଦେବ ମେଲିଲଇଂ ସିନ୍ଧୁ ଜଳେ

ଦ୍ୱାରିକା ପଶି ମୁଂ ନୁଆରଇ ବିକଳେ।୧୧୪।

ବ୍ୟାସେ ବୋଲନ୍ତି କୃଷ୍ଣର ସେହି ପିଣ୍ଡ

ଦଶ ଶହସ୍ର ପୂଜା ଘେନିମେ ଭ୍ରଥ ଖଣ୍ଡ।୧୧୫।

ଅର୍ଜୁନ ବୋଲନ୍ତି ଶୁଣିମା ବେଦବ୍ୟାସେ

ମୁଂହି ଯେ ଅଇଲି କୃଷ୍ଣର ଆଦେଶେ।୧୧୬।

ଶ୍ରୀକୃଷ୍ଣ ବୋଇଲେ ଦ୍ୱାରିକାପୁର ସ୍ତୀରିମାନଙ୍କୁ

ବାଲୁଂକ ନଦୀ ପାରିକରି ଥୋଇବୁ ତାହାଙ୍କୁ।୧୧୭।

ତୁହୋ ଅର୍ଜୁନ ଆସସି ବେଗହୋଇ

ସମ୍ବୋଧନା ସିନା କରିବୁ ଯେ ତୁହି।୧୧୮।

ମୁହିଂ କେମନ୍ତେ ସହିବି ତିରୀମାନଂକର କ୍ରୋଧ

ତାହାଂକର କଷ୍ଟ ଦେଖିଲେ ମତେ ବଡ ବିରୋଧ।୧୧୯।

ବ୍ୟାସଂକୁ ଘେନି ତହୁଂ ଚଳଇ ବୀର ପାଥ

ନନ୍ଦ ବସୁଦେବ ଛାମୁରେ ମିଳିଲେ ତୁରିତ।୧୨୦।

କୃଷ୍ଣଂକୁ ନଦେଖି ସମସ୍ତେ ଅନାସ୍ତ

ନନ୍ଦ ଯଶୋଦା ବସୁଦେବ ଦେବକୀ ଆରତ।୧୨୧।

ସନ୍ନିଧ୍ୟେ ପ୍ରବେଶ ଆସି ହୋଇଲେ ବେନି ମାୟେ

ଅର୍ଜୁନଂକୁ ଦେଖି କରି ପୁଲକିତ କାୟେ।୧୨୨।

ଛପନକୋଟି ଯାଦବେ ତ୍ରିଭୁବନେ ନିଶଂକା

ସମସ୍ତେ ମଲେଣି ବସୁଦେବ ଅଛି ୟେକା।୧୨୩।

ୟେକା ଭୁବନେ ତିନିପଦ୍ମ ଅଛନ୍ତି ଯେ ନାରୀ

ଅର୍ଜୁନକୁ ଆସି କରି ସମସ୍ତେ ପଚାରି।୧୨୪।

ଅର୍ଜୁନ ବୋଲନ୍ତି ତୁମ୍ଭେ ଶୁଣିମା ଯଦୁବଂଶୀ

ଯେବଣ ଶାପ ଦିଲେ ଅଷ୍ଟବକ୍ର ମହାଋଷି।୧୨୫।

ସେ ଲୋହ ଖପରା ନେଇ ଘୋରିଲା ଭୀମସେନ

ସେ ଫେଣରୁ ଜାତହେଲା ସନ୍ତରା ନାମେ ବଣ।୧୨୬।

କଦମ୍ବ ବୃକ୍ଷରୁ ଜାତ ହୋଇଲାକ କ୍ଷୀରା

ତାହା ଆପ୍ୟାନ କଲେ ସେ ହୋଇଲା ମଦିରା।୧୨୭।

ଖାଇଣ ମତୁଆଳେ ପଡିଲେ ସର୍ବେ ଢ଼ଳି

ଉଠିଣ ସନ୍ତରା ବଣ ଓପାଡି ହେଲେ ମରାମରି ।୧୨୮।

ଯାହାଙ୍କର ଦେହରେ ନକାଟଇ ନାରାଜ ପଶୁପତ୍ର

ଶନ୍ତରା ଦାଢେ ଖଣ୍ଡଖଣ୍ଡ ହୋଇଲାକ ଗାତ୍ର ।୧୨୯।

ଛପନ କୋଟି ଯାଦବେ ସମସ୍ତେହେଂ ମଲେ

ବଳରାମ ଯାଇ ଖିର ସମୁଦ୍ରେ ଅନନ୍ତ ଶେଯ୍ୟା କଲେ ।୧୩୦।

କୃଷ୍ଣଙ୍କୁ ଜାରା ଶବର ବିନ୍ଧିଲା ନାରାଜ

ତେଣୁ କରି ପ୍ରାଣତ୍ୟାଗ ଗଲେ ଦେବରାଜ ।୧୩୧।

ମୁକୁଇଂ ବୋଇଲେ ହରି ପ୍ରାଣତ୍ୟାଜ କାଳେ

ଦ୍ବାରିକା ପୁରକୁ ତୁ ଛାଡ଼ିବୁ ରାତ୍ରକାଳେ ।୧୩୨।

ସମସ୍ତ କନ୍ୟାନ୍ତ ଆଣି ମୁଁ ତଡ଼ପି

ବାଲୁଙ୍କି ନଦୀ ପାର କରି ଛାଡ଼ିବୁ ଯୁବତୀ ।୧୩୩।

ତୁମ୍ଭେ ତହିଁ ରହିଥିବ ସମସ୍ତ କନ୍ୟାମାନେ

କୃଷ୍ଣେ ତହିଂ ବିଜେ କରିବେ ପ୍ରତିଦିନେ ।୧୩୪।

ତେଣୁ କରି ଯହୁଂ ଆଜ୍ଞା ଦିଲେ ଜଗନ୍ନାଥ

ଶୁଣି କରି ମୁହିଂ ଅଇଲଇଂ ୟେଥ ।୧୩୫।

ଶୁଣିଣ ଥମ୍ଭୀଭୂତ ସକଳ ଯୁବତୀ

କ୍ରୋଧଭର ହୋଇ କିଛି କହି ନୁଆରନ୍ତି ।୧୩୬।

ବ୍ୟାସେ ବୋଲନ୍ତି ଗୋ ବିଧବା ନୋହ ମାୟେ

ଲଭିବ କୃଷ୍ଣଙ୍କୁ ଗଲେ ବାଲୁଂକି ନଦୀ ଯାୟେ ।୧୩୭।୫୭୩।

 

ବାଲୁଙ୍କ ନଦୀ ପାରେ ଯଦୁବଂଶ ସ୍ତ୍ରୀଙ୍କ ବାସ ଓ
ଅର୍ଜୁନଙ୍କ ଇନ୍ଦ୍ରପ୍ରସ୍ଥେ ଗମନ

ଶୁଣ ରାଜନ ବ୍ୟାସ ଅର୍ଜୁନ ବସୁଦେବ ତିନି

ରାତ୍ରେ ବିଜେକଲେ ସମସ୍ତ ନାୟିକାନ୍ତ ଘେନି।୧।

ଶୁଭେଣ ହୋଇଲେ ସେ ବାଲୁଂକ ନଦୀ ପାରି

ରହିଲେ ସ୍ତିରୀୟେ ନିଚିନ୍ତେ ଜାଳାନ୍ଧରେ ରାଜ୍ୟକରି ।୨।

ବ୍ୟାସେ ଅର୍ଜୁନ ଯାଆନ୍ତେ ସ୍ତିରୀ ବୃନ୍ଦେ ଘେନି

ରାତ୍ରରେ ବିଜେକଲେ ପୁଣ୍ୟ ଯେ ମେଦିନୀ ।୩।

ସମସ୍ତେ ମିଳିଲେ ଯାଇଂ ବାଲୁଂକ ନଦୀ ତୀରେ

ବ୍ୟାସଂକ ମନ୍ତ୍ରବଳେ ହୋଇଲେ ନବରେ ।୪।

ସୁବର୍ଣ୍ଣର ପୁର ହୋୟେ ସ୍ୱର୍ଗହୁଂ ଅଧିକ

ରହିଲେ ଯାଇଂ କନ୍ୟାମାନେ ୟେଂକୁ ୟେକ ।୫।

କୃଷ୍ଣ କୃଷ୍ଣ ବୋଲି ଉଚ୍ଚେ ରାବ ଦ୍ୟନ୍ତି

ସମସ୍ତ ସ୍ତିରୀମାନେ ମୁଖେ ଅଙ୍ଗୁଳି ଭରନ୍ତି ।୬।

ଭୋ ବ୍ୟାସେ କେମନ୍ତେ ହାଦେ ଦେଖିବୁ ବନମାଳୀ

ପ୍ରତେ ଉପୁଜିଲେ ସିନା ରହିପାରୁଂ ବାଳୀ ।୭।

କନ୍ୟାଂକର ବଚନେ ବ୍ୟାସେ କଲେକ ଯେ ଲୟେ

ଦିବ୍ୟ ଅବତାର ହୋଇ କୃଷ୍ଣ କଲେ ସେ ବିଜୟେ ।୮।

ନାରକାକୁ ବଧକରି ଆଣିଥିଲେ ଷୋଳ ସହସ୍ର ନାରୀ

ତାହାଂକର ପୁରେ ବିଜେକଲେ ଚକ୍ରଧାରୀ ।୯।

ଛପନ କୋଟି ଯାଦବେ ଯେ ଯାହାର କନ୍ୟା ଘେନି

ନାନା ରଙ୍ଗ ରତି ରସେ କଲେକ ଦୟିନୀ ।୧୦।

ଗୋପୀମାନେ ପୁରେ ପୁରେ ଷୋଳସସ୍ର ବାଳୀ

ତାହାଂକର ପୁରେ ବିଜେ କଲେକ ବନମାଳୀ ।୧୧।

ବ୍ୟାସଂକୁ ପ୍ରଶଂସା କଲେ ଦେବ ହୃଷୀକେଶ

ଆମ୍ଭର ଆଷ୍ୟ ଘେନି ବ୍ରତ କଳ୍ପ ଦଶ ।୧୨।

ଶୁଣ ହୋ ମନୁରାୟେ ଗୋବିନ୍ଦର ମାୟା

ସୁଦ୍ରିଶେନ ରଖିବାକୁ କଲେ ଜଗୁନାହା ।୧୩।

ପୁରୁଷ ଅବଲୋକନେ ନାଶଇ ସେ ପୁରୁଷ

ସ୍ତିରୀବୃନ୍ଦ ରହିଲେ ବାଲୁଂକ ନଦୀ ଦେଶ ।୧୪।

ତହିଂରୁ ଗୋବିନ୍ଦ ପୁଣ ଅନ୍ତର୍ଧ୍ୟାନେ ଗଲେ

ଶଶୀ ଦିବାକର ସେ ଯେ କନ୍ୟାଂକୁ ରକ୍ଷାକଲେ ।୧୫।

ଯେତେବେଳେ ଦ୍ୱାରିକା ଶୂନ୍ୟପୁର ଯେ ହୋଇଲା

କୁଶସ୍ଥଳୀ ପୁର ବରୁଣ ରାଜା ଘେନିଗଲା ।୧୬।

ନାନା ରତ୍ନ ଯେ ମଣିଗଣମାନ ଭଣ୍ଡାର

ପୃଥୀର ସାର ଦ୍ରବ୍ୟ ଥିଲା ଯେବଣ ପୁର ।୧୭।

ସମସ୍ତ ଆକ୍ରେଷି ତାହାନ୍ତ ବରୁଣ ଘେନିଗଲା

କୃଷ୍ଣର ବିହୁନେ ସେ ସବୁ ଜଳମୟ ହେଲା ।୧୮।

ୟେତେକ ସମ୍ପାଦି ବ୍ୟାସେ ଯେ ହୋଇଲେ ଅନ୍ତର୍ଧ୍ୟାନ

ତହୁଂ ଇନ୍ଦ୍ରପ୍ରଶସ୍ତକୁ ଆସଇ ଅର୍ଜୁନ ।୧୯।

ଷୋଳ ସହସ୍ର ଥିଲେ ଗୋପାଳୁଣୀ ନାରୀ

ଅର୍ଜୁନ ପଛରେ ସେ ଗୋଡାବନ୍ତି ସୁନ୍ଦରୀ ।୨୦।

ଅର୍ଜୁନ ବୋଇଲେ ଆଗୋ ଦୁଖ ସିନା ପାଇବ

ୟେ ପୁର ଛାଡି କିମ୍ପେ ମୋହର ସଙ୍ଗେ ଯିବ ।୨୧।

ୟେତେ ବୋଲି ନଦୀ ହୋଇଲେକ ପାର

ତିନି କୋଟି ବାମା ଛନ୍ତି ଅର୍ଜୁନ ସଙ୍ଗର ।୨୨।

ନଦୀ ପାର ହୋଇ ଅର୍ଜୁନ ଆସନ୍ତେ

ଗୋରୁ ଘେନି ଗୋପାଳେ ଚରାନ୍ତି ବନସ୍ତେ ।୨୩।

ଦେଖିଲେ ଗୋପୀଂକି ସେ ନେଉଛନ୍ତି ଅର୍ଜୁନ

ଚିନ୍ତିଲେ ଗୋପାଳେ ସେ ନାୟେକା ସ୍ତିରୀମାନ ।୨୪।

ଗୋପସ୍ତିରୀ ଯୁବତୀଂକି ଯହୁଂ ଦେଖିଲେ ସକଳ

ଳଉଡି କରେ ଧରି ଧାଇଂଲେ ମତୁଆଳ ।୨୫।

କନ୍ୟାମାନଂକ ଭୁଜ ଧଇଲେକ ଯାଇ

ସମସ୍ତେ ଡାକିଲେ ଅର୍ଜୁନ ତୁମ୍ଭେ କର ତ୍ରାହି ତ୍ରାହି ।୨୬।

ଗଉଡ ବୋଇଲେ ୟେ ସକଳ ବ୍ରଜନାରୀ

ନନ୍ଦ ନନ୍ଦନ ନେଇଥିଲା ବଳ କରି ଧରି ।୨୭।

ୟେବେତ ଶୁଣିଲୁ ଆମ୍ଭେ କୃଷ୍ଣ ନାଶ ଗଲା

କିମ୍ପା ଛାଡିବୁ ଆମ୍ଭେ ୟେ ଗୋପର ଅବଳା ।୨୮।

ଶୁଣିଣ ଅରଜୁନ ତାଂକୁ କଲା କୋପମାନ

ଗାଣ୍ଡିବ ଧନୁ ଧରି ଅର୍ଜୁନ କଲାକ ସନ୍ଧାନ ।୨୯।

ଯେବଣ ନାରାଜେ ତ୍ରଇଲୋକ୍ୟ ହୋୟେ ହତ

ଜଣହେଂ ମାରି ତାଂକୁ ନୁଆରିଲା ପାଥ ।୩୦।

ଦେଖିଣ ଗଉଡେ ତାଂକୁ ଛତା ଦିଲେ ଆଡି

ଅରଜୁନ ଶର ବାଜି ପଡିଲାକ ଉପୁଡି ।୩୧।

ଗଉଡେ ବୋଲନ୍ତି ପାଣ୍ଡବ ହୋଇଲୁକି ବାଇ

ଭୀଷ୍ମ ଦ୍ରୋଣ ପ୍ରାୟେକ ମଣିଲୁକି ତୁହି।୩୨।

ଆଜ ଜାଣିମା ସିନା ଗଉଡେ ବୋଲନ୍ତି

ମତୁଆଳ ହୋଇ କରି ସେ ଲଉଡି ବୁଲାବନ୍ତି।୩୩।

ଅର୍ଜୁନ ବୋଲନ୍ତି ମୋତେ ତ ବିପତ୍ତି ପଡିଲା

କୃଷ୍ଣର ନାସ୍ତିକେ ମୋର ବଳ କେଣେ ଗଲା ।୩୪।

ସହସ୍ରେକ ନାରାଜ କରିଲି ଜଣେହେଂ ନ ମଲା।

ବିମୁଖ ହୋଇଣ କନ୍ୟା ଛାଡି ପଳାଇଲା ।୩୫।

କନ୍ୟାୟେ ବୋଇଲେ ଅରଜୁନ ବଳହୀନ

ୟେ କାହୁଂ ଆମ୍ଭକୁ ଆଉ କରିବ ପରିଜନ ।୩୬।

ସୋହୋଦ୍ରା ଦ୍ରୋପତୀ ହୋ ଯାହାର ଭାରିଜା

ଆମ୍ଭଂକୁ କିସ କରିବ ସେ ପଣ୍ଡୁର ତନୁଜା ।୩୭।

ତହିଂକି ଯାଇଣ ପୁଣ ଲଜାନ୍ତ ପାଇବା

ୟେଥେ ସୁସ୍ଥ ହୋଇ ଗୃହକର୍ମ କରିବା ।୩୮।

ୟେତେ ବୋଲି କନ୍ୟାମାନେ ବ୍ୟାକୁଳେ ସେ ଭାଳି

ରହିଲେ ଯେ ଯାହାର ଗୃହବାସନ୍ତ ସମ୍ଭାଳି ।୩୯।

ଶୁଣ ସାଧୁଜନେ ବିହି ଅବଳ କଥାକୁ

ତ୍ରଇଲୋକ୍ୟ ମଧ୍ୟରେ ଯେ ଅଟଇ ରଥୀ ୟେକୁ ।୪୦।

ପୃଥୀରେ ହାରିଲା ନାମ ଅଟଇ ଧନୁର୍ଧର

ଗଉଡଂକୁ ହାରିଲା ସେ ପାଣ୍ଡବସୁନ୍ଦର ।୪୧।

ତହୁଂ ଇନ୍ଦ୍ରପ୍ରଶସ୍ତକୁ କରଇ ଗମନ

ଗାଣ୍ଡିମକୁ ଆଉ ବହି ନୂଆରଇ ଅର୍ଜୁନ ।୪୨।

ଧନୁ କାନ୍ଧେ ବହି କରଇ ଗମନ

ତିନିଗୋଟି ବାଳକ ସଙ୍ଗେ ଯାଦବ ନନ୍ଦନ ।୪୩।

ବାରୁଣା ପ୍ରଶସ୍ତେ ଯାଇ ଅର୍ଜୁନ ମିଳିଲା

ସାତୁକୀର ନାତିକି ନେଇ ତହିଂରେ ରାଜ୍ୟ ଦିଲା ।୪୪।

କୃତବର୍ମା ନାତିକି ସମର୍ପି ଅଙ୍ଗଦେଶ

ବଜ୍ରନାଭ ନାତି କି ଦିଲା ହାଦେ ଜୟନ୍ତ ଯେ ଦେଶ ।୪୫।

ସମ୍ଭର୍ବ ଆସ୍ତାନେ ଯେ ବିଜୟେ ଯୁଝେଷ୍ଠି

ଯାଇଣ ଦ୍ରଶନ ତହିଂ କଲାକ କିରୀଟୀ ।୪୬।

ଶିଶିର କାଳେ ହୋୟେ ପଦ୍ମବନ ଯେସନ

ଅର୍ଜୁନର ବଦନ ଗୋଟି ଦିଶଇ ତେସନ ।୪୭।

ଅର୍ଜୁନର ବଦନ ଚାହିଂଣ ଧର୍ମରାୟେ

କୁଶଳେ ଅଛନ୍ତି କହ ପ୍ରଭୁ ଯଦୁକୁଳ ରାୟେ ।୪୮।

ଅର୍ଜୁନ କହିଲା ତୁମ୍ଭେ ଶୁଣିମା ରାଜଦେବ

ସନ୍ତରେହା ବଣେ ଦେବ ନାଶିଲେ ସମସ୍ତ ଯାଦବ।୪୯।

ଦଇବର ଘଟସୂତ୍ର କେ କରିବ ଆନ

ଯାହା ସେ ଶାପ ଦିଲା ଅଷ୍ଟବକ୍ର ମହାମୁନ୍ୟ।୫୦।

କହନ୍ତେ ଅର୍ଜୁନର ଶୋକଭର କାୟେ

ଆଲିଙ୍ଗନ କରି ଯେ ଧଇଲେ ଧର୍ମରାୟେ।୫୧।

ଶୁଣ ହୋ ସ୍ୱାମୀ ଯେହୁ ଗୋବିନ୍ଦ ବାରତ

ମୁହିଂ ଯାଇଥିଲି ଶ୍ରୀକୃଷ୍ଣ ମୃତୁଗତ ୫୨

ଅନେକ ସମାର୍ଜନା କଲେ ଦେବ ମୁକୁ

ଆସ ହୋ ଅର୍ଜୁନ କୋଳ କରଇ ତୁମ୍ଭକୁ ।୫୩।

ଅନେକ କଷ୍ଟରେ ଦେବ ନଗଲି କତିକି

ଧନୁହୁଳ ବଢାଇ ଦିଲି ମୁହିଂ ଶ୍ରୀପତିଂକି।୫୪।

ଅନେକ କଷ୍ଟେ ବଡାଇ ଦିଲି ଯେ ଗାଣ୍ଡିମ

ଧନୁ ଧରି ପ୍ରାଣ ଛାଡିଲେ ଶ୍ରୀପୁରୁଷୋତ୍ତମ ।୫୫।

ଅଗ୍ରବୃକ୍ଷ କାଟି ସ୍ୱାମୀ ରଞ୍ଚିଲଇଂ ଜୋଇ

ମୃତୁପିଣ୍ଡ କୋଳକରି ଶୁଆଇଲି ମୁହିଂ।୫୬।

ରାତ୍ରେକ ଦିବସେକ ଦେବ ଜଳିଲା ବହନି

କର ଚରଣ ମାତ୍ର ପୋଡିଲାକ ବେନି।୫୭।

ନାସିକା ଶ୍ରବଣ ସେ ଲଲାଟ ୟେକ ଖଣ୍ଡ

ୟେମାନ ଦହନ ହୋଇ ନ ପୋଡିଲା ପିଣ୍ଡ ।୫୮।

ଜାରାଶବର ଅଗ୍ର କାଠ ଦେଉ ଥାଇ ଚିରି

ପକାଇ ଜାଳଇ ତାହା ତାଳେକ ଉଚ୍ଚ କରି ।୫୯।

ରାତ୍ର ଦିବସେକ ଆଉ ନ ପୋଡିଲା ପିଣ୍ଡ

ଆକାଶରୁ ବାଣୀ ଯେ ଶୁଭିଲା ପରଚଣ୍ଡ ।୬୦।

ୟେ ପିଣ୍ଡ ଦହନ ହୋ ନକର ଫାଲଗୁନି

ସମୋଦ୍ରକୁ ମେଲି ଦିଅ ଶୁଭିଲାକ ବାଣୀ ।୬୧।

ଅଗ୍ନିକି ନିବାଇ ତହୁଂ କାନ୍ଧରେ ବହି ନେଲି

ବାରାନିଧି ଜଳରେ ନେଇଣ ପକାଇଲି ।୬୨।

କୃଷ୍ଣର ବଚନେ ତହୁଂ ଚଳିଗଲି ଦ୍ୱାରାବତୀପୁରୀ

ବାରତା ପାଇଣ ନନ୍ଦ ବସୁଦେବ ପ୍ରାଣ ହାରି ।୬୩।

ଅଷ୍ଟ ପାଟବଂଶୀ ହେଲେ ଅଗ୍ନିରେ ଦହନ ପୁଣ

ଦେଖୁଂ ଦେଖୁଂ ଦ୍ୱାରିକାରେ ଘୋଟିଲା ବରୁଣ ।୬୪।

ସ୍ତିରୀବୃନ୍ଦ କେବଳ ହୋଇଲେ ବାହାର

ସମସ୍ତ ଛାଡିଲି ଦେବ ବାଲୁଂକ ନଦୀ ତୀର ।୬୫।

ଭୋ ଦେବ ସମସ୍ତ ୟେ ସମ୍ପଦ ସରିଗଲା

ବ୍ରହ୍ମାଣ୍ଡର ନାଥ ହରି ଛାଡିକରି ଗଲା ।୬୬।

ଶୁଣିକରି ଧର୍ମରାଜ କଲେ ବଡ ଶୋକ

ୟେହା କଲୁ କିମ୍ପା ହୋ ଦ୍ୱାରିକା ନାୟକ।୬୭।

ତୋହର ଅଭାବେ ମୋହାର କିସ କାର୍ଯ୍ୟ

ରୋଦନ କରନ୍ତି ବସି ପଣ୍ଡୁର ତନୁଜ।୬୮।

ଅବନୀରେ ପଡି ରୋଦନ୍ତି ପଞ୍ଚୁ ଭାଇ

ସମୋଦ୍ର ଘୋଷ ଜାଣି ରୋଦନ ଶୁଭଇ ୬୯

ପଞ୍ଚୁପ୍ରାଣ ସଖା ତ ହୋଇଲା ମୋର ହତ

ନିଲଜ ପିଣ୍ଡ କିମ୍ପା ରହିଛି ଜୀବିତ ।୭୦।

ଅଚଳ ମନ୍ଦର କେହୁ କରେଣ ତୋଳିଲା

ଅବୟେ ବାରାନିଧି କେହୁରେ ଶୋଷିଲା ।୭୧।

ପୃଥୀ ତୋଳିବାକୁ କେହି ହେଲାରେ ଭାର୍ଜନ

କେହୁ ସେ ମାଇଲା ମୋର ତ୍ରିଜଗ ମୋହନ।୭୨।

ଆରେ ଆରେ ଅର୍ଜୁନ ୟେହା ସେ ମୋତେ କଲୁ

ଜାରାଶବରକୁ ତୁ କିମ୍ପା ପ୍ରାଣେ ନ ମାରିଲୁ ।୭୩।

ଆବର କାହିଂ ତୋତେ ମୁଂ ଦେଖଇ ନୟନ

ତୋତେ ଦେଖି ସମସ୍ତ ପାଶୋରି ଭଗବାନ ୭୪

ବନ୍ଧୁ ସୋଦର ହିଂ ମୋର ନାଶ ଗଲେ ସବୁ

କାହାର ଆଗରେ ବାବୁ ୟେ ଦୁଖ କହିବୁଂ ।୭୫।

କ୍ରୋଧରେ ଧର୍ମରାୟେ ହୋଇଲେ ଅସାଷ୍ଟମ

କୋଳ କରି ଧଇଲେ ପାଣ୍ଡବ ବୀର ଭୀମ ।୭୬।

ଦ୍ରୋପତୀ ସୋହୋଦ୍ରା କଲେ ଅବାରଣ ଶୋକ

ତାହାଂକୁ ନିବର୍ତ୍ତ କରନ୍ତି ଅପାର ଯେ ଲୋକ।୭୭।

ଦ୍ରୋପତୀ ବୋଲନ୍ତି ହରି ପ୍ରତଗ୍ୟାଂ ଯେ କଲୁ

ପାଣ୍ଡବନ୍ତ ଘେନି ତୁମ୍ଭେ ଭାରା ନିବାରିଲୁ।୭୮।

ଆବର ଜୀବନେ ଅଛି କିସ ଲେଖା

କେବଣେ କାରଣେ ଦେବ ଛାଡିଲୁ ୟେଡେ ସାଖା ।୭୯।

ଶାସକ ନିଶଂକୁ ତୁ ଜଗତ ଅଧିକାରୀ

କେବଣ କାରଣେ ତୁ ଗଲୁ ଛାଡି କରି ।୮୦।

ସୋହୋଦ୍ରାର ଶୋକ କହିତେ କେ ପାରି

ଅଭିମନ୍ୟୁ ଶୋକ ମୋତେ କରାଇଲୁ ହରି ।୮୧।

ଅର୍ଜୁନ ହରି ତୁମ୍ଭେ ଅଟ ଯେ ୟେକ ଆତ୍ମା

ଅର୍ଜୁନକୁ ଛାଡି କେଣେ ଗଲୁ ହୋ ମହାତମା।୮୨।

ମୋହର ହରଣ ବେଳେ ହରି କଲୁ ଯେବଣ କୃତ୍ୟ

ବଳରାମ ଅଗ୍ରଜ ତୋର ଛାଡିଲୁ ସୋଦରନ୍ତ।୮୩।

ମୋତେ କୃଷ୍ଣ ତୁମ୍ଭେ ବୋଲ ଯେ ଭୟେଣୀ

ମୋତେ ୟେବେ ନ କହିଣ ଗଲୁ ଚକ୍ରପାଣି ।୮୪।

ଅଭିମନ୍ୟୁ ବୋଲିଣ ମୋହର ପୁତ୍ରେକ ଥିଲା

ଚକ୍ରଭୂଅ ଭିତରେ ଯାଇଂ ନନ୍ଦନ ପଡିଲା ।୮୫।

ତାହା ଚିନ୍ତି ଉପେକ୍ଷିଲି ଭୋ ନାଥ ତୋତେ ଦେଖି

ଅଭିମନ୍ୟୁ ବଧ ପାଶୋରିଲି ୟେବେ ହୋଇଲି ନିରିମାଖ ।୮୬।

ବାଳକ କୃଷ୍ଣ ତୁମ୍ଭେ ପାର୍ଥ ରଥରେ ସାରଥୀ

ପାଣ୍ଡବଂକ ମଳିନ ତୁ ନଦେଖୁ ଶିରୀପତି ।୮୭।

କେମନ୍ତ ଛାଡିଗଲୁ ବଳିଲା ତୋହର ସତ

କେମନ୍ତ ଦହନ କଲ ହୋ ଦେବ ଜଗନ୍ନାଥ ପ୍ରାଣନାଥ ।୮୮।

ଭୋ ରାଜନ ଇନ୍ଦ୍ରପ୍ରଶସ୍ତେ ବ୍ୟାସେ ବିଜେକଲେ ଆସି

ସବୁନ୍ତି ଶୋକ ଶାନ୍ତି କରାନ୍ତି ସେ ଆସ୍ତାନେଣ ବସି।୮୯।

ବ୍ୟାସେ ବୋଇଲେ ବାବୁ ତୁମ୍ଭେ ଶୁଣ ଯୁଝେଷ୍ଠିର

ପରୀକ୍ଷୀତେ ରାଜ୍ୟ ଦେଇ ୟେବେ ତୁମ୍ଭେ ତୀର୍ଥ କର ।୯୦।

ବହୁତ ଧର୍ମେଣ ଯେ ପାଇଲ ବସୁନ୍ଧରା

ୟେବେ କଳିକାଳ ହୋଇ ପାପଭରା ।୯୧।

କୋଟିୟେ ତୀର୍ଥ କରି ଯାଅ ହିମବନ୍ତ

କେଦାର ପରୀକ୍ଷ କରି ଯାଅ ସ୍ୱର୍ଗପଥ ୯୨

ତୁ ଧର୍ମପୁରୁଷ ହୋ ନ ଥାଅ ପାପମହୀ

ୟୁଝେଷ୍ଟିଂକି ବ୍ୟାସମୁନି ୟେସନେକ କହି ।୯୩।

ବ୍ୟାସଂକର ଅଗ୍ରତେ ଯେ ଯୁଝେଷ୍ଠି କହିଲେ

ଶ୍ରୀକୃଷ୍ଣଂକ ପିଣ୍ଡ ଯେ ଅର୍ଜୁନ ଦହିଲେ ।୯୪।

ଆକାଶର ବାଣୀ ଶୁଣି ପକାଇଲା ଜଳେ

ସେ କେମନ୍ତେ ହୋଇବ ହେ କହତ ସର୍ବକାଳେ ।୯୫।

ବ୍ୟାସ ବୋଇଲେ ତୁମ୍ଭେ ଶୁଣ ହୋ ଧର୍ମରାୟେ

ସେ କୃଷ୍ଣର ଶରୀର ଅଟଇଟି ଅକ୍ଷୟେ ।୯୬।

ଯେବଣ ଜାରାଶବର କଲା ଶରାଘାତ

ତାହାକଇଂ ଅନୁଗ୍ରହ କଲେ ଜଗନ୍ନାଥ।୯୭।

ପ୍ରସନ୍ନ ହୋଇଣ ଯେ ବୋଇଲେ ଦେବରାଜା

ୟେ ପିଣ୍ଡ ନେଇଣ ତୁ କରସି ଆମ୍ଭନ୍ତ ପୂଜା ।୯୮।

ସ୍ୱପନ ଚେତିଣ ଯେ ଉଠଇ ଶବର

ଦେଖଇ ମାଧବ ରୂପ ଶଙ୍ଖ ଚକ୍ର ଧର ।୯୯।

ସେ ପ୍ରତିମା ଘେନିଣ ତହୁଂ ଗଲାକ କିରାତ

ରୁଦ୍ର ନଦୀ ତୀରେ ତ୍ରିୟମ୍ବକ ନାମେ ତୀର୍ଥ ।୧୦୦।

ଧବଳି ପର୍ବତ ଉପରେ ଅଗର ଯେ ବୃକ୍ଷ

ତହିଂର ତଳେ ନେଇଣ ଥୋଇଲା ପ୍ରତକ୍ଷ ।୧୦୧।

ପାଣି ପତ୍ର ଦେଇଣ ନିତ୍ୟ କରଇ ସେ ପୂଜା

ବନସ୍ତର ପକ୍ୱ ଫଳ ନିତ୍ୟ ଦିଅଇ ଭୋଜା ।୧୦୨।

ପୁତ୍ର ଭାରିଜା ତାହାର ନ ଜାଣନ୍ତି କେହି

ୟେ ବିଧିରେ ନିତ୍ୟସେବା କରିଥାଇ ସେହି ।୧୦୩।୭୦୧।

 

ଶ୍ରୀକୃଷ୍ଣଙ୍କ ପିଣ୍ଡ ଅନ୍ୱେଷଣାର୍ଥେ ଚତୁର୍ଦ୍ଦିଗେ ଦୂତ ପ୍ରେରଣ ଓ
ବାସୁବ୍ରାହ୍ମଣର ମାଧବ ଦର୍ଶନ

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ୟେ ବିଧିରେ ସହସ୍ର ବରଷ ଗୋପ୍ୟ ଗତି ।୧।

ନୀଳମାଧବ ରୂପ ଯେ ହୋଇଣ ଭାବଗ୍ରାହୀ

ଜାରାଶବର ତାହାଂକୁ ନିତ୍ୟେହେଂ ପୂଜଇ ।୨।

ହରିହର ବଂଶେ ଋତୁପର୍ଣ୍ଣ ବୋଲି ରାଜା

ଜାନୁଘଣ୍ଟ ବୋଲିଣ ଯେ ତାହାର ଆତ୍ମଜା ।୩।

ତାହାର ନନ୍ଦନ ଯେ ହୋଇଲା ଅଂଶୁମାଳୀ

ତାହାର ନନ୍ଦନ ଯେ ହୋଇଲା ଗୋପାଳି ।୪।

ଗୋପାଳିର ପୁତ୍ର ଯେ ଅଟଇ ପାଶୁପତ୍ର

ଜଯନ୍ତ ବୋଲି ୟେହାର ନିଜ ସୁତ ।୫।

ଜୟନ୍ତର ନନ୍ଦନ ଅନନ୍ତ ସଦାଶିବ

ତାହାର ପୁତ୍ର ହୋୟେ ନୃପତି ଗାଲବ ।୬।

ସେ ଗାଲବ ନୃପତିର ପୁତ୍ର ଯେ ନଥିଲା

କେମନ୍ତ କରି ରାଣୀ ଗାଲବଂକ ସେବା କଲା ।୭।

ଗାଲବଂକ ପ୍ରସନ୍ନେ ଉପୁଜିଲା ସନ୍ତତି

ତେଣୁ ସେ ପୁତ୍ର ନାମ ହୋଇଲା ଗାଲମାଧବ ନୃପତି ।୮।

ବଡାଇ ପ୍ରତାପୀ ସେ ହୋଇଲା ମହାରାଜା

ଦିବାରାତ୍ର ସେହୁ କରଇ ବିଷ୍ଣୁପୂଜା ।୯।

କୃଷ୍ଣ ଅବତାର ଯହୁଂ ହୋଇଲାକ ଲୀନ

କୃଷ୍ଣଂକୁ ନଦେଖିଲେ ନଭୁଞ୍ଜେ ରାୟେ ଅନ୍ନ ।୧୦।

ମନ୍ତ୍ରୀଜିତ ବୋଲିଣ ଯେ ତାହାର ନିଜ ମନ୍ତ୍ରୀ

ସେହୁ ଜଣାଇଲେ ଦେବ ଶୁଣିମା ନୃପତି ।୧୧।

ଧବଳି ପର୍ବତ ତଳେ ଶବରଂକ ମେଳେ

ମାଧବ ବିଜେ କରିଅଛନ୍ତି ଅଗ୍ରବୃକ୍ଷ ତଳେ ।୧୨।

ଶୁଣିଣ ନରେନ୍ଦ୍ର ପେଷିଲାକ ଦୂତହିଂ

ଚାରି ଦିଗକଇଂ ଚାରିଦୂତ ବରଗାଇ ।୧୩।

ପୂର୍ବଦିଗକୁ ବିଷ୍ଣୁଦାସ ବୋଲି ବିଜେ

ଉତ୍ତର ଦିଗେଣ ହରିଦାସ ବ୍ରାହ୍ମଣ ଖୋଜେ ।୧୪।

ପଚ୍ଛିମ ଦିଗକଇଂ ସୁବେଦୀ ଦ୍ୱିଜବର

ବାସୁଦେବ ଦାସ ବୋଲି ବ୍ରାହ୍ମଣ ଦକ୍ଷିଣ ଦିଗର ।୧୫।

କାଳନ୍ଦୀ ତୀରେ ଯେ ମନୋହର ବନ

ଲୋଡନ୍ତି ସର୍ବସ୍ଥାନେ ବିପ୍ର ମାଧବର ଚିହ୍ନ ।୧୬।

ବୁଲନ୍ତେଣ ପ୍ରବେଶ ସେ ବୃନ୍ଦାଅର୍କ ବନେ

ଭ୍ରମଇ ଦ୍ୱିଜବର ବଡାଇ ଗହନେ ।୧୭।

ଛିଦ୍ରେହେଂ ନ ଛାଡଇ ଅନେକ ବନ ବୁଲି

ଭେଟିଲା ବନେ ବୃନ୍ଦଅର୍କ ଶବରପଲ୍ଲୀ ।୧୮।

ଜାରାଶବରର ସେହୁ ଅଟଇ ନିଜବାସ

କୃଷ୍ଣର ମୃତୁପିଣ୍ଡ ରଖଇ ରାତ୍ର ଯେ ଦିବସ ।୧୯।

ଜାରାଶବର ନାମ ହୋୟେ ବସୁଶବର ବୋଲି

ବସୁ ନାମେ ବ୍ରାହ୍ମଣ ଭେଟିଲା ତାର ପଲ୍ଲୀ ।୨୦।

ଲମ୍ବିତ ଜୁଡା ଯେ ତ୍ରିକଚ୍ଛ ବସନ

ଉତ୍ତରୀ ପବିତ୍ରା କନ୍ଧେ ଶ୍ରୀବତ୍ସ ଲାଞ୍ଛନ ।୨୧।

ଗୋପ୍ୟାନ ଦୋହାରା ବେଦ ଯେ କରାଣ୍ଡି

ପୋଥି ଛତା କମଣ୍ଡଳ ଧୋତି କୁଶ ବିଡି ।୨୨।

ଗଡୁ ପାତ୍ରୀ ରୁଦ୍ରାକ୍ଷ କରେଣ ଜପାମାଳୀ

ଯାଇଣ ଦ୍ୱିଜବର ଶବର ପଲ୍ଲୀରେ ମିଳି ।୨୩।

ଦେଖିଣ ବସୁଶବର କଲାକ ପାଦ ପୂଜା

ଭଗତି ଦେଖିଣ ସେ ତହିଂ ରହିଲାକ ଦ୍ୱିଜା ୨୪।

ବ୍ରାହ୍ମଣ ବୋଇଲା ମୋର ନାମ ବସୁଦେବ

କିରା ତବୋଇଲା ବିପ୍ର ମୋର ମଇତ୍ର ହୋଇବ ।୨୫।

ଶବର ମଇତ୍ର ହେଲା ଶବରୁଣୀ ମଇତ୍ରୁଣୀ

ଅନେକ ପ୍ରୀତି ଉପୁଜାଇଲା ଆତ୍ମା ଅଭେଦ ଜାଣି ।୨୬।

ୟେମନ୍ତ ଦ୍ୱିଜବର ରହିଲା କିଛୁଦିନ

ନିତି ଦେଖଇ ପ୍ରସାଦ ଲାଗିଥାଇ କୋପରେଣ।୨୭।

ବ୍ରାହ୍ମଣ ପଚାରଇ ଯେ ଶବରଣୀ ପାଶ

କଥାୟେ ପଚାରିବା ମିତଣୀ ନ ଘେନିମା ଦୋଷ ।୨୮।

ଶବରଣୀ ବୋଇଲା ହୋ ତୁମ୍ଭେ ଅଟ ଶ୍ରେଷ୍ଠ

କିସ ତୁମର ସନ୍ଦେହ ନ କର କପଟ ।୨୯।

କିସ ପଚାରିବ ମୋତେ କୁହସି ଗୋସାଇଂ

ତୁମ୍ଭରି ବଚନ ଥରେ ଶୁଣଇ କିନା ମୁହିଂ।୩୦।

ବ୍ରାହ୍ମଣ ବୋଇଲା ମିତଣି ଶୁଣସି ବଚନ

ଯାହା ପଚାରିବି ତାହା କରସି ସାବଧାନ ।୩୧।

ମିତଣୀ ହେ ମଇତ୍ର ପାଣିପତ୍ର ଘେନି ଯାନ୍ତି ନିତ୍ୟେଂ

କେବଣ ଦେବତା ସେ ପୂଜନ୍ତି ନିୟତେ ।୩୨।

ଶବରଣୀ ବୋଇଲା ସେ ପୁରୁଷଂକ ଉତ୍ତମା

ସ୍ୱୟେଂ ନାରାୟଣ ସେ ମାଧବ ପ୍ରତିମା ୩୩

ମିତଂକର ତୁଲେ ଦେଖକିନା ଯାଇଂ

ଅନେକ ପୁଣ୍ୟ ଅରଜିବ ତାହାଂକୁ ଯେ ଚାହିଂ।୩୪।

ପୂଜା ସାରିଣ ତହୁଂ ଅଇଲା ଶବର

ପ୍ରୀତି ଉପୁଜାଇ କରି ପୁଚ୍ଛଇ ଦ୍ୱିଜବର ।୩୫।

କେବଣ ପ୍ରତିମା ମିତେ ନିତ୍ୟେ ହେଂ କର ପୂଜା

ମୋତେ ଦେଖାଅକିନା ପ୍ରସନ୍ନ ଶବର ରାଜା ।୩୬।

ଶବର ବୋଇଲା ମିତ ଯାଇତ ନୁଆରି

ବ୍ୟାଘ୍ର ଭାଲୁଂକ ଦୁଷ୍ଟ ଜୀବନ୍ତ ହାଦେ ଡରି ।୩୭।

ବିଶ୍ୱାସଘାତକ ହୋୟେ ଆବର ମଇତ୍ର ଦ୍ରୋହୀ

ଆରେକ ବେଳେ ମିତ୍ର ୟେ କଥା ନକହି ।୩୮।

ଶବରଣୀ ବୋଇଲା ମିତ କଠୋର ନ କର

ପ୍ରାଣହୁଂ ଅଧିକ ସେ ଅଟନ୍ତି ଆମ୍ଭର ।୩୯।

ଆହୋ ଗୁରୁ ପ୍ରୋହିତ ବିଶେଷ ମିତ୍ର ହୋୟେ

ୟେହାଂକୁ ଗୋପ୍ୟ କଲେ ଶଉଚ ନୋହେ କାୟେ ।୪୦।

ଘରଣୀ ବଚନେ ଯେ ତ୍ରିପୁତି କିରାତ

କାଲି ପୂଜା ବେଳରେ ତୁମ୍ଭନ୍ତ ନେମା ମିତ ।୪୧।

ୟେକା କଥାୟେ ଅଛଇ ମଇତ୍ର

ଅନ୍ଧପଟଳ ବାନ୍ଧିବି ମିତ୍ର ତୁମ୍ଭ ନେତ୍ର ।୪୨।

ୟେମନ୍ତ କହିଣ କୁହାକୁହି ହୋଅନ୍ତି

ଯେ ଯାହାର ନିଶାରେ ଶୟନ କରନ୍ତି ।୪୩।

ଯହୁଂ ନିଶି ପାହି ଆର ଦିନ ହୋଇଲା ପ୍ରଭାତ

ଅନ୍ଧପଟଳ ବାନ୍ଧିଲା ଶବର ତାର ମୁଖାଗ୍ରତ ।୪୪।

ବିପ୍ରକୁ ଘେନି କିରାତ ହୋଇଲା ବାହାର

ତତକ୍ଷଣେ ପ୍ରବେଶ ହୋଇଲା ବନସ୍ତ ଭିତର ।୪୫।

ପାଣି କମଣ୍ଡଳୁ ଘେନଇ ବିପ୍ର ହାଥେ

ଯବଧାନ ଗୁଡାୟେ ବୁଣୁଥାୟେ ଅନୁବ୍ରତେ ।୪୬।

ଶବରପଲ୍ଲୀ ଯେ ରୁଦ୍ରନଦୀ ତୀର

ବେନିକୋଶ ଅନ୍ତର ଅଟଇ ୟେତେଦୂର ।୪୭।

ଯାଇଣ ମିଳିଲା ସେ ରୁଦ୍ରନଦୀ ତୀରେ

ବିଜେ ଜଗମୋହନ ଅଗ୍ରବୃକ୍ଷ ତଳେ ।୪୮।

ବ୍ରହ୍ମଣ ଅନ୍ଧପଟଳ ଫିଟାଇ ଦିଲାକ କିରାତ

ଦେଖିଲା ମାଧବ ବିପ୍ର ସ୍ୱୟେଂ ଜଗନ୍ନାଥ ।୪୯।

ବିନୋୟୀ ବ୍ରହ୍ମଣ କରଇ ଅନେକ ସ୍ତୁତି

ଜୟ ତୁ ମାଧବ ବଇକୁଣ୍ଠ ଅଧିପତି ।୫୦।

ସର୍ବ ଧାରଣ ନାଥ ଅଭୟେ ପରମ ଯୋଗୀ

ଜଗତ ଭୂତନାଥ କିମର୍ଥେ ଅଭୋଗୀ ।୫୧।

ସ୍ୱାମୀ ଗାଲବ ନୃପତିକି ଭେଟଇ ମୁହିଂ ଭଲେ

କୋଟିୟେ ପୂଜା କରାଇବି ମୋହୋର ୟେଥୁ ଗଲେ ।୫୨।

ଜୟ ତୁ ଯୋଗେଶ୍ୱର ଅନାଦି ପୁରୁଷ ପ୍ରଭୁ

ଆରତ ନାଶନ ତୁମ୍ଭେ ଅଟହେ ମହାବାହୁ ୫୩

କରୁଣାକର ନାଥ ଶରଣ ମଚ୍ଛଳା

କାମେନୀ ମୋହନ ବତିଶ ଗୁଣେ କଳା ।୫୪।

ବେଦ ଶାହାସ୍ର ପୁରାଣ ତୁହି ୟେହା ଜାଣୁ

କେମନ୍ତେ ରହିଲୁ ନାଥ ଦୁର୍ଗମ ଭୁବନୁଂ ।୫୫।

ଶବର ମାତ୍ରକ ହୋଇ କରଇ ତୋତେ ପୂଜା

ଅନୁଗ୍ରହ କର ନାଥ ଗାଲ ମାଧବ ରାଜା ।୫୬।

ତୋତେ ଭଗତି ହେବାକୁ ତାର ବଡାଇ ଆଶ

ତାହାର ଆଗ୍ୟାଂରେ ମୁଂ ପାଞ୍ଚ ମାସ ବନବାସ ।୫୭।

ଜୟ ତୁ ମାଧବ ପ୍ରସନ୍ନ ଦେବରାଜା

ଯମନିକ ତୀର୍ଥେ ଘେନିମାକ କୋଟିପୂଜା ।୫୮।

ଚଞ୍ଚଳାର ମନୋରଥ କଇଚ୍ଛା ଜଗଜ୍ଜେଠୀ

ମମ ହୃଦେ ବିଘଂସୁ ତବ ନାମ ଗୋଟି ।୫୯।

ତୁଳୁସାର ବଲ୍ଲଭ ହୃଦଗତେ ଅଭ୍ୟାସ

ବଦୟନ୍ତି ଶୁଦ୍ରମୁନି ସାରୋଳଦାସ ଜନ୍ମେ ଜନ୍ମେ ତବ ଦାସ ।୬୦।୮୧୩।

 

ଗାଲମାଧବ ରାଜାଙ୍କୁ ବାସୁବ୍ରାହ୍ମଣ ମାଧବ ଦର୍ଶନ ସଂବାଦ
ଦେବା ଓ ରାଜାଙ୍କର ସସୈନ୍ୟେ ତହିଂ ପ୍ରବେଶ

ୟେଥୁ ଅନନ୍ତରେ ଯେ ବିଲଂକ ଦେଶ ରାଜା

ଅଗସ୍ତିଂକ ପାଦପଦ୍ମେ କଲା ଦିବ୍ୟପୂଜା ।୧।

ତବ ମୁଖୁଂ ଶୁଣିଲି ଅମୃତ ରସ କଥା

ବଞ୍ଚିଲି ଯମଦଣ୍ଡ ବିଷ୍ଣୁରେ ଭଗୀତା

ସେ ମାଧବଂକୁ ବ୍ରାହ୍ମଣ ଠାବକଲା

ଶବରକୁ ଅନେକ ଶଳାଘନା କଲା ।୩।

ୟେ ତୁମ୍ଭଂକୁ ବିହିତ ନଯେଗାଇ ମିତେ

ୟେ ଯେ ବିଷ୍ଣୁ ଦେବତା ତୁମ୍ଭେ ୟେହାଂକୁ ପୂଜୁଛ କେମନ୍ତେ ।୪।

କିରାତ ବୋଇଲା ମଇତ୍ର ସ୍ୱାମୀର ଅନୁଗ୍ରହେ

ଜନ୍ମେ ଜନ୍ମେ ମୋତେ ଠାକୁର ସଦୟେ ।୫।

ଚାଲ ମିତ ଯିବା ୟେ ବନେ ବଡ ଡର

ଦିବସେ ଦିଶଇ ୟେଥେ ମହା ଅନ୍ଧକାର ।୬।

ପୁଣି ହିଂ ଅନ୍ଧପଟଳ ବାନ୍ଧିଲା ନୟନେ

ଆଗେ ଶବର ପଛେ ଚଳଇ ବିଦୁଜନେ।୭।

ପାଣି କମଣ୍ଡଳୁ ବିପ୍ରେ କାଢଇ ଜବଧାନ

ପଛେଣ ପୁଣି ଆସଇ ସେହୁ ସନ୍ନିଧାନ ।୮।

ଆସିଣ ଦ୍ୱିଜବର ପ୍ରବେଶ ହୋଇଲେ ପଲ୍ଲୀ

ମାସକର ଅନ୍ତେ ସେ କିରାତକୁ ବୋଲି ।୯।

ମୁହିଂ ଯିବଇଂ ମଇତ୍ର ମୋହୋର ଗୃହବାସକଇଂ

ପୁତ୍ରପଉତ୍ର ଦେଖି ମୁଂ ବାହୁଡି ଆସିବଇଂ।୧୦।

ବଡାଇ ମୁହାଂସ ମିତ ଲାଗିଲା ଯେ ତୁକୁ

କଦାଚିତେ ଇଚ୍ଛାନାହିଂ ଛାଡି କରି ଯିବାକୁ।୧୧।

ବ୍ରାହ୍ମଣ ଶବରଇ କୋଳ ସମ୍ଭାଷଣ

ପୁତ୍ରପଉତ୍ର ଭଗତି ତାର ଅନୁଦିନ।୧୨।

ଚଳଇ ଦ୍ୱିଜବର ତାହାକୁ କଇଲାଣ କରି

ପ୍ରବେଶ ହୋଇଲା ଯାଇଂ ସେ କାଞ୍ଚୀ ନାମ ନଗ୍ରୀ।୧୩।

ତିନି ଦିଗର ଦୂତ ନିବ୍ରତ୍ତି ଅଇଲେ

ପଚ୍ଛିମ ଉତ୍ତର ପୂର୍ବ ତିନି ଦିଗହିଂ ବୁଲିଲେ।୧୪।

ଲୋଡିଣ ନପାଇଲେ କାହିଂ ଦେବ ନାରାୟଣ

ନପାଇଲେ ବାରତା ସେ ବିଷ୍ଣୁ ପାଷାଣ।୧୫।

ଗାଲମାଧବ ନୃପତି ପାତ୍ର ଅମନାତ୍ୟଂକୁ ବୋଇଲା

ଦକ୍ଷିଣ ଦିଗରୁ ତ ବସୁପଣ୍ଡା ଦୂତ ନଅଇଲା ।୧୬।

ବୁଲିଲା ଗହନବନ ଘୋର ପଶିଲା ଅକାଦ

କି ଅବା ବିପ୍ରକଇଂ ପଡିଲା ପରମାଦ।୧୭।

ମନ୍ତ୍ରୀ ବୋଲନ୍ତି ଦେବ ନ ଜଣୁଂ ଗୁଣନିଧି

ଦୂର ବିଳମ୍ବେଣ ସକଳ କାର୍ଯ୍ୟସିଦ୍ଧି।୧୮।

ୟେସନେକ ଭାଳନ୍ତି ରାଜା ବିପ୍ର ବସୁବର

ପ୍ରବେଶ ହୋଇଲା ଯାଇଂ ରାଜାଂକ ଛାମୁର।୧୯।

ଦେଖଇ ନରପତି ଯେ ହରଷ ବଦନ

ୟେହି ସେ କାର୍ଯ୍ୟ ମୋର କଲାକ ସୁବିଧାନ।୨୦।

ସାହାନ ଭୋଜନ ଯେ କରାଇ ମହାରାଜା

ବିପ୍ରକଇଂ ଅନେକ ରତ୍ନେ କଲା ପୂଜା।୨୧।

ସନିଧ୍ୟେ ବିପ୍ରକଇଂ ବସାଇ ମହୀପାଳେ

ପଚାରଇ ଗାଲମାଧବ ପ୍ରସନ୍ନର ବେଳେ।୨୨।

ତୋହର ବଚନକଇଂ ବିପ୍ର କରିଅଛି ଆଶ

କୃଷ୍ଣର ଅଭାବେ ମୋର ଜୀବନକୁ ନିଆଶ।୨୩।

ବୋଲଇ ଦ୍ୱିଜବର ଅନେକ ଗହନେ

ଠାବକଲି ବିଷ୍ଣୁ ପାଷାଣ ମାନବୀ ନଦୀର ସନ୍ନିଧାନେ।୨୪।

କିରାତ କୁଳରେ ଯେ ଅଜର ବୋଲି ରାଜା

ଅଜପତି ବୋଲି ତାହାର ତନୁଜା।୨୫।

ଅଜପତିର ନନ୍ଦନ ଶବର ବିରାଜ

ବିରାଜର ନନ୍ଦନ ଅଟଇ ଜରାଜ।୨୬।

ଜରାଜର ନନ୍ଦନ ଜାରାଶବର ବୋଲି

ଶୀତଳାଙ୍ଗୀ ନଦୀତୀରେ ତାହାର ଯେ ପଲ୍ଲୀ।୨୭।

ସେ ଶବରକଇଂ ପ୍ରସନ୍ନ ହେଲେ ନାରାୟଣ

ବିପୁଣ୍ୟର ମଧ୍ୟେ ଦେବ ମାଧବ ପାଷାଣ।୨୮।

ସମୟକ ଦେବ ଧର୍ମଂକ ସଭାରେ ଥିଲେ ସେ ପ୍ରତିମା

ଅନେକ ଯତନେ ତାହାକଇଂ ଖଟିଲେ ଯମଧର୍ମା।୨୯।

ମୃତଗତ ଲୋକେ ସେ ବିଷ୍ଣୁ ପାଷାଣକଇଂ ଦେଖି

ନକ୍ଷତ୍ର ହୋଇ ବସିଲେ ସେ ସ୍ୱର୍ଗପୁରେ ପାତକ ଉପେକ୍ଷି।୩୦।

ଯମ ଦେବତାର ଯହୁଂ ନ ଲାଗିଲା ଦଣ୍ଡ

ପାତକ ବିହି ନୁଆରିଲେ ବସିଲେ ଆକାଶ ବ୍ରହ୍ମାଣ୍ଡ।୩୧।

ଅନେକ ବିମୁଖ ଯେ ହୋଇଲା ତହୁଂ ଯମ

ବାହୁଡାଇ ସେ ବିପୁଣ୍ୟେ ଥୋଇଲେ ମାଧବ ପ୍ରତିମ।୩୨।

ଋଷି ବୋଇଲେ ନଦୀ ଉତ୍ତର କୂଳେ

ବିଜୟେ ରାଜୀବ ଲୋଚନ ଅଗ୍ରବୃକ୍ଷ ତଳେ।୩୩।

ସେ ଜାରା ଶବରର ପୁତ୍ର ବସୁଦେବ ବୋଲି

ତାହାଂକର ତୁଲେ ମୁହିଂ ମଇତ୍ର ହୋଇଲି।୩୪।

କେତେହେଂ ଦିନେ ସେ ଦେଖାଇଲା ମୋତେ

ଠାବକରି ଅଇଲି ଶୁଣ ଗାଲମାଧବ ନୃପନାଥେ।୩୫।

ଶୁଣିଣ ଗାଲବ ରାଜା ସନ୍ୟବଳ ସାଜେ

ପାତ୍ର ଅମାନତ୍ୟ ଘେନି ଚଳଇ ମହାରାଜେ।୩୬।

ଆଗେଣ ବସୁ ବ୍ରାହ୍ମଣ ପଛେଣ ସଇନି

ଚଳନ୍ତି ସମଦଣ୍ଡ ଦିବସ ରୟଣୀ।୩୭।

ତୁଳମାସ ଚଉଠୀର ଦିନ ଦିଜ ଦେଖିଗଲା

ମକର ଶୁକଳ ଚଉଠୀ ଦିନ ନେଇଣ ଭେଟାଇଲା।୩୮

ଶବରପଲ୍ଲୀ ମଧ୍ୟେ ନେଇ ଭେଟାଇଲା ନରପତି

ଶବର ଶବରୁଣୀକି ଭେଟିଲେ ତଡତି।୩୯।

ବାତସେନ ମନ୍ତ୍ରୀକି ଯେ ଇନ୍ଦ୍ରସେନ ପାତ୍ର

ବସୁନାମେ ବିପ୍ର ଗମଇ ଆଗତ।୪୦।

ତୁଳମାସେ ବୁଣିକରି ଗଲା ଜବଧାନ

ମକର ମାସକୁ ସେ ଫଳ ଫଳି ହୋଇଲା ବିତପନ।୪୧।

ତାହା ଗୋଡାଇ କରି ଚାଲିଲେ ଜଣ ଚାରି

ତହୁଂ ଅନ୍ତର୍ଦ୍ଧାନ ହୋଇଗଲେ ଦେବହରି।୪୨।

ଅଗ୍ରବୃକ୍ଷ ମୂଳେ ଯାଇ ଦେଖେ ଦଣ୍ଡଧାରୀ

ପୂଜିଲାର ପୂଷ୍ୟ ସଞ୍ଚାମାନ ଅଛି ତହିଂ ପୂରି।୪୩।

ବ୍ରାହ୍ମଣ ବୋଇଲା ଦେବ ଥିଲେ ୟେହିଠାରେ

କେ ୟେଥୁଂ ଗୋପ୍ୟ କଲା ପ୍ରଭୁ ଚକ୍ରଧରେ।୪୪।

ଶବରମାନଙ୍କୁ ପଚାରଇ ଗାଲମାଧବ ନୃପମଣି

ଶବରେ ନକହନ୍ତି ପକାଇଲା ହାଣି।୪୫।

ଶୟେଛତିଶ ଜଣ ଶବର ଯେ ଥିଲେ

ବିଷ୍ଣୁ ଆଶ୍ରେ କରି ସମସ୍ତେ ନାଶଗଲେ।୪୬।

ବଂଶ ନାଶ ଦେଖିଣ ଯେ ବିଜେ କଲା ଜାରା

ମହା ଶହସ୍ରଧାରୀ ସେ ଅଟଇ ମହାବୀରା।୪୭।

ରାଜମୁଖ ଚାହିଣ ସେ କିରାତ କରଇ ରାଗ

କିମ୍ପାଇଂ ରାଜା ମୋହର ଅଦୋଷେ ନାଶିଲୁ ବର୍ଗ।୪୮।

ଆମ୍ଭେ ବନଚର ଆମ୍ଭରେ କିସ ହେତୁ

କନ୍ଦମୂଳ ଭକ୍ଷଣରେ ଜୀବନ ପୋଷି ବ୍ରତୁଂ।୪୯।

ଡାମଣା କାଠର ଧନୁକଣ୍ଟା ବାୟେଂଶର ଗୁଣ

ଫିରିକି ନାରାଜ ଯେ ଶୋହଇ ଧନୁ ତ୍ରୋଣ।୫୦।

ସୋଦର ମୃତୁପିଣ୍ଡ ଦେଖି କୋପକଲା ଜାରା

ଧନୁରେ ଫିରିକି ନାରାଜ ପୁରୋଇଲା ଶବରା।୫୧।

ଗୁଣେ ବସାବନ୍ତେ ବାରଣ ନ ଜାଇ ଶୂନ୍ୟ

ଗଜ ଅଶ୍ୱ ଅନେକ ପାଦାନ୍ତି ନାଶ ଗଲେ ଅନେକ ସଇନ।୫୨।

ଚାରି ସହସ୍ର ହାଥୀ ଚାରି ଅହିବ୍ରତେ ହୟେ

ଲକ୍ଷେକ ପାଦାନ୍ତି ସେ ୟେକାୟେ କଲା କ୍ଷୟେ।୫୩।

ୟେକା ଶବରକଇଂ ସେ ନୁଆରିଲେ ଜିଣି

ଆଦିତ୍ୟ ଅସ୍ତଗଲା ହୋଇଲାକ ରୟଣୀ।୫୪।

ବିସର୍ଜି ନରେନ୍ଦ୍ର ଯେ ଶୋଇଲା ସେହି ଠାବେ

ଜାରା ବଇକୁଲ୍ୟ ଯେ କୁଟୁମ୍ବ ଅଭାବେ।୫୫।

ଭାଳଇ ନରପତି ହୋଇଣ ବିମୁଖ

ତୋତେ ଲୋଡନ୍ତେ ସ୍ୱାମୀ ମୋହୋର ୟେତେ ଦୁଖ।୫୬।

ତୋତେ ଆଶ୍ରେ କରି ଯେ ଥିଲେ ଶବରପଲ୍ଲୀ

ଅଗ୍ୟାଂନେ ପଣେ ମୁଁ ସବୁନ୍ତି ମାଇଲି।୫୭।

ୟେକା ଶବରକେ ୟେବେ ମାଇଲା ମୋର ବଳ

ରାତ୍ର ପାଇଲେ ପୁଣ ସେ ମାରିବ ସକଳ।୫୮।

ପଶିଲି ଗହନ ବନେ ୟେ ଅନ୍ଧାରମୟ ଭୂମି

ୟେ ଦୁସହ ସଙ୍କଟୁ ମୋତେ ଉଦ୍ଧରି ଧର ସ୍ୱାମୀ।୫୯।

କିରାତ ବଂଶ ମାଇଲି ୟେବେ ମୁଁ ମରିବି

ସାଖା ସନ୍ୟ ନାଶ ଗଲେ ମୁଁ କିସ ଯେ କରିବି।୬୦।

ୟେତେ ବୋଲି ଆକୁଳେ ସେ ଭାଳଇ ଗାଲବ

ନିଶାକାଳେ ଦୃଶ୍ୟ ଆସି ହୋଇଲେ ଶ୍ରୀମାଧବ।୬୧।

ଦେଖିଣ ଗାଲବ ନୃପତି ପରିଣାମି

ଦେଖିଲି ଶଙ୍ଖ ଚକ୍ର ଚିହ୍ନ ୟେବେ ମରଇ କିନା ସ୍ୱାମୀ।୬୨।

ମାଧବ ବୋଇଲେ ରାଜା ତୁ ମନ୍ଦକୃତ୍ୟ କଲୁ

ଶବର ପୁତ୍ରନ୍ତ ମୋର କିମ୍ପାଇ ମାଇଲୁ।୬୩।

ତାହାଙ୍କର ଉପର ବଂଶେ ମୋତେ କରିଥିଲେ ପୂଜା

ତେଣୁ କରି ଭୟେଟି କଲା ଯମରାଜା।୬୪।

ୟେ ମୃତୁ ଭୁବନେ ଥିଲେ ମାଧବ ପ୍ରତିମା

ସମସ୍ତେ ମୋକ୍ଷ ହୋଇଲେ ମୁହିଂ କିସ କ୍ଷମା।୬୫।

ୟେତେ ବିଚାରି ମନେ ଯମ ଧର୍ମ ବେନି

ସଂଜୀବନୀକଇଂ ମୋତେ ଗଲେ ଘେନି।୬୬।

ଅନେକ ପାପୀମାନେ ହୋଇଲେ ତହିଂ ମୋକ୍ଷ

ତହୁଂ ନାଶକର ପାଇଲା ବିମୁକ୍ଷ।୬୭।

ପୁଣ ତହୁଂ ଆଣି ମୋତେ ଛାଡିଲା ଶବର ପାଶେ

ପୁଣ ମୋତେ ଶବର ଖଟିଲା ଆଦେଶେ।୬୮।

ଆହୋ ରାଜା ଶବରୀନାରାୟଣ ରୂପ ଧଇଲି ସତ୍ୟଯୁଗେ

ଶବରଙ୍କ ସଙ୍ଗେ ମୁ ମିଳିଲି ସଂଯୋଗେ।୬୯।

ବିଧୁମତି ବୋଲି ୟେକଇ ଶବର

ଶୀୟା ନାମରେ ଯେ ଦୋହିତା ତାହାର।୭୦।

ସେ ଶବରୀକି ଆମ୍ଭେ ହୋଇଲଇଂ ବିଭା

ଶବରୀ ନାରାୟଣ ରୂପେ ପାଇଂଲୁ ଆମ୍ଭେ ଶୋଭା।୭୧।

ଆହୋ ଶବରୀ ନାରାୟଣଙ୍କ ଭୋଗ ତୋତେ କହୁଂ

ଯେତେ ତୋତେ ଭୋଜନ କରୁ ଆମ୍ଭେ ତହୁଂ।୭୨।

ଗଣ୍ଡା ମୃଗ ମାଂସ ଶିଆଳୀପତ୍ରେ ଲୋଚି କରି

ଲୁଣ ବେସର ତହିଂ ସଙ୍ଗତରେ ଭରି।୭୩।

ୟେ ବିଧି ଯୋଗାଡ଼ ମାନନ୍ତ ଭିଆଇ

ପତ୍ରପୁଡା କରି ତହିଂ ଲତା ଗୁଡ଼ିଆଇ।୭୪।

ନିର୍ଧୁମ ଅଗ୍ନିରେ ବସାଇ ତାହାଆଣି

ସେ ପକ୍ୱ ମେଞ୍ଜନ ହୋୟେ ପାକସିଦ୍ଧ ପୁଣି।୭୫।

ସୁପକ ମାଂସ ହୋଇ ପାକସିଦ୍ଧି

ସ୍ୱଶରୀରକୁ ନିର୍ମଳ ସେ ସଉରୀ ଯୋଗ ବିଧି।୭୬।

ତଣ୍ଡୁଳ ଗୁଡ଼ାୟେ ବାଟି ପତ୍ର ଦନାୟେ ଭରି

ନିର୍ଧୂମ ଅଗ୍ନିରେ ତାହା ସଂଜାତ କରି ପୋଡି।୭୭।

ସେ ମହାସ୍ୱାଦ ହୋୟେ ୟେକ ବର୍ଣ୍ଣ ପିଠା

ଶରୀରକୁ ହିତ ସେ ସଉରୀ ଯୋଗାଡ଼ ଶ୍ରେଷ୍ଠା।୭୮।

ଲୁହାର ଚଟୁରେଣ ପିଠଉ ଲୋଚିୟେ ଭରଇ

ଅଗ୍ନିର ଭିତରେଣ ବସାଇ ତାହାନେଇ।୭୯।

ମହା ପରମହିତ ସେ ନକରଇ ରୋଗ ବାଧା

ସଉରୀ ଯୋଗାଡକୁ ଆମ୍ଭର ବଡ ଶ୍ରଦ୍ଧା।୮୦।

ୟେମନ୍ତ କରି ସେ ଆମ୍ଭକୁ ଦେଖେ ଶବରଣୀ

ମାତାହୁଂ ଅଧିକ କରି ଆମ୍ଭେ ତାହାଂକୁ ଜାଣି।୮୧।

ୟେତେ ବାଗେ ସେ ହୋଇଲା ମୋହୋର ଭଗତ

କି ନିମନ୍ତେ ତାହାଙ୍କର ବଂଶ କଲୁ ହତ।୮୨।

ମମ ଭଗତଂକୁ କଲୁ ଯେ ଝିଂଘାସ

ଆହୋ ଗାଲବ ରାଜା ତୋର ନରହିବ ବଂଶ।୮୩।

ୟେକା ଗୋଟିୟେକ ସିନା ରହିଲା କିରାତ

ୟେକୁ ଅନେକ ବଂଶ ତାହାର ହୋଇବ ବର୍ଦ୍ଧୁତ।୮୪।

ଆସ ଆସ ଗାଲବ ରାଜା ତୋତେ ଜାରାକୁ ସମର୍ପୁ

ତାହାର ତୋହର ଆଉ ଯେମନ୍ତେ ନୋହିବାକ ରିପୁ।୮୫।

ୟେତେ ବୋଲି ଦେବ ଗାଲବନ୍ତ ନେଲେ

ଜାରା ଶବର ତୁଲେ ପ୍ରୀତି କରାଇଲେ।୮୬।

ଦ୍ୱାପର ଯୁଗଅନ୍ତେ ପ୍ରବେଶ କଳିଯୁଗ

ଆମ୍ଭନ୍ତ ଥିତି ଆଉ ନାହିଂନା ମଧ୍ୟସ୍ୱର୍ଗ।୮୭।

ଆହୋ ତୋହୋର ଛାମୁରେ ଆମ୍ଭେ ହୋଉଅଛୁ ପାଷାଣ

ଯାମନିକ ତୀର୍ଥେ ତୁ ପ୍ରାସାଦ କର ଆରୋପଣ।୮୮।

ସେ କ୍ଷେତ୍ରେ ଆଧିପତି ଯମେଶ୍ୱର ଦେବ

ଆମ୍ଭର ନାମ ତହିଂ ହୋଇବ ନୀଳ ଯେ ମାଧବ।୮୯।

ୟେ ଜାରାଶବର ବଂଶ ଥିବ ମୋର କତି

ୟେହାଂକୁ ଦେଖିଲେ ଆମ୍ଭେ ହୋଇବୁ ତ୍ରିପୁତି।୯୦।

ନାଉକା ବିମାନେ ଆମ୍ଭକୁ ଘେନି ଯାଅ ନୃପ

ନୀଳଗିରି ସନ୍ନିଧାନେ ଆମ୍ଭନ୍ତ ନେଇ ଥାପ।୯୧।

ୟେତେକ ବୋଲିଣ ଦେବ ହୋଇଲେ ଅନ୍ତର୍ଦ୍ଧାୟେ

ପାଷାଣ ରୂପେ ଦେବ ପ୍ରକାଶିଲେ କାୟେ।୯୨।

ହୟିହୟେ ବଂଶେ ଯେ ଗାଲମଧବ ରାଜା

ସେହି ସେ ମାଧବନ୍ତ ବନୁଂ ଆଣି କଲା ପୂଜା।୯୩।

ଯମେଶ୍ୱର ବୋଲି ତହିଂ ଅଟନ୍ତି ଆଦିଦେବତା

ପ୍ରଳୟ ମହାପ୍ରଳୟ ସେ ବିଜେ କରିଥାନ୍ତା।୯୪।

ଶ୍ରୀନୀଳମାଧବ ଚରଣ ମମ ହୃଦେ

ପରମ ଗତି ଲଭିଲି ଶ୍ରୀମାଧବ ପ୍ରସାଦେ।୯୫।

ଦଧି ରସ ଜାଣି ଯାର ଶ୍ୱେତ ବର୍ଣ୍ଣ କାୟେ

ଶୁଦ୍ଧ ସଷ୍ଟିକ ବିକାଶଇ ନୀଳା ରେଖମୟେ।୯୬।

ମାଧବ ସୁମର ନରେ ଅନକୂଳ ସିଦ୍ଧି

ମାଧବ ସୁମର ନରେ ପ୍ରାପତ ହୋଉ ନିଧି।୯୭।

ମାଧବ ସୁମର ନରେ ପ୍ରାପତ ହେଉ ଧର୍ମ

ମାଧବ ସୁମର ନରେ ପ୍ରାପତ ହେଉ କର୍ମ।୯୮।

ମାଧବ ସୁମର ନରେ ଦୁଷୁକୃତ ଫିଟୁ

ମାଧବ ସୁମର ନରେ ପ୍ରମାଦମାନ ତୁଟୁ।୯୯।

ମାଧବ ସୁମର ନରେ ନ ପୀଡୁ ପାପବୃତ୍ତ

ମାଧବ ସୁମର ନରେ ଲକ୍ଷ୍ମୀ ହେଉ ପ୍ରାପତ।୧୦୦।

ମାଧବ ସୁମର ନରେ ଜନ୍ମର ସୁଫଳ

ମାଧବ ସୁମର ନରେ ଫିଟୁ ଯମର ଅର୍ଗଳ।୧୦୧।

ମାଧବ ସୁମର ନରେ ଜ୍ୱର ରୋଗ ତୁଟୁ

ମାଧବ ସୁମର ନରେ କ୍ରୋଧ ବନ୍ଧନ ଫିଟୁ।୧୦୨।

ମାଧବ ସୁମର ନରେ ରଣେ ହେଉ ଯଶ

ମାଧବ ସୁମରନରେ ବର୍ଦ୍ଧୁତ ହେଉ ବଂଶ୧୦୩

ମାଧବ ସୁମର ନରେ କୋଟିୟେ ତୀର୍ଥ ଦିଶୁ

ମାଧବ ସୁମର ନରେ ଅରଷ୍ଟି ନ ପଶୁ।୧୦୫।

ଯୁଗାନ୍ତେକ ନାଥ ୟେ ଯମେଶ୍ୱର ଲିଙ୍ଗ

ଦୁତୀୟେ ଦ୍ରଶନକର ନୀଳମାଧବ ଶ୍ରୀଅଙ୍ଗ।୧୦୬।

ଚାରିଲକ୍ଷ ବତିଶ ସହସ୍ର ବରଷ ଶ୍ରୀପୁରୁଷୋତ୍ତମେ

ତୁଳୁସାର ବଲ୍ଲଭନାଥ ଅବ୍ୟକ୍ତ ଜନ୍ମେ ଜନ୍ମେ।୧୦୭।

ଜୟ ତୁ ମାଧବ ଉଦିତ ନାମ ଗୋଟି

କବି ସାରୋଳଦାସ ମାଧେବ ଚରଣେ ଲୋଟି।୧୦୮।

ହେଉଛି ବୁଧଜନମାନେ ନ ଘେନିମା ମୋର ଦୋଷ

ଜନ୍ମେ ଜନ୍ମେ ମୁର୍ଖ ମୁହିଂ ଜ୍ଞାନ ମୋର କିସ।୧୦୯।

ଗ୍ୟାନେ ଅଗ୍ୟାନେ ହେଉ ସବ୍ୟେ ଅସବ୍ୟେ

ମମ ମନରେ ଭାବଇ ଶ୍ରୀବାସୁଦେବ।୧୧୦।

ଅଭୟ ବାଳଖିଳ ଅଗସ୍ତି ମହାବଳେ

ବାରାନିଧି ଗଣ୍ଡୁଷ କଲା ଯେ ଖେଡ଼ର କୁତୂହୋଳେ।୧୧୧।

ସେ ଅଗସ୍ତି ବକତା ବଇବସୁତ ମନୁ ଶ୍ରୋତା

କଥୟନ୍ତି ଅଗସ୍ତି ବ୍ରହ୍ମବେତ୍ତା ଗତ ଆଗତ ବାରତା।୧୧୨।୮୭୩।

 

Unknown

ନୀଳସୁନ୍ଦର ବର୍ଣ୍ଣନ ଓ ବଡ଼ଦେଉଳ ତୋଳାକଥା

ୟେଥୁ ଅନନ୍ତରେ ବିଲଂକ ଦେଶର ରାୟେ

ଅଗସ୍ତିଂକ ପାଦପଦ୍ମେ ଦିବ୍ୟ ପୂଜାକୟେ।୧।

ତବ ମୁଖୁଂ ଶୁଣିଲି ମୁଂ ଶ୍ରୀବିଷ୍ଣୁପୁରାଣ

ଯେଣେ ସଂସାରକୁ ମୁକତି କାରଣ।୨।

ଆବର କଥାୟେ ମୋତେ କହିବା ତପୋବନ୍ତ

କୃଷ୍ଣର ପିଣ୍ଡଯେ ଜଳେ ମେଲାଇଲା ପାଥ।୩।

ସେ ପିଣ୍ଡ ଜାରାଶବର କରି ଯେ ରକ୍ଷା

କିମ୍ଭୂତ ହୋଇଲା ଦେବ କହିବା ବ୍ରହ୍ମବଚ୍ଛା।୪।

କଥୟନ୍ତି ଅଗସ୍ତି ଶୁଣ ହୋ ମନୁ ରାୟେ

ଶ୍ରୀକୃଷ୍ଣର ଶାପେ ଗାଲବ ବଂଶ ଗଲା କ୍ଷୟେ।୫।

ବିରାଟର ନନ୍ଦନ ଯେ ଉତ୍ତରକୁମର

ତାହାର ନନ୍ଦନ ମଧୁ ଯେ କେଶର।୬।

ମଧୁକେଶର ପୁତ୍ର ଇନ୍ଦ୍ର ଦୁମନ ବୀର

ବଡାଇ ଧାର୍ମିକ ସେ ଯେ ଅଟଇ ନୃପବର।୭।

ୟେକ ଦିନ ପାତ୍ର ମନ୍ତ୍ରୀ ଘେନିଣ ନୃପତି

ଦିଗ ବିଜେ କରି ମିଳିଲା ଯମନିକ ତୀର୍ଥ କତି।୮।

ପୁରାଣ ବାଣୀ ତାକୁ କହନ୍ତି ଶୁକମୁନି

କହିଲେକ ଗାଲମାଧବ ଯେ ଧନି ଧନି।୯।

ନୀଳସୁନ୍ଦର ପର୍ବତ ୟେ ଯମନିକ ତୀର୍ଥ

ୟେଥେ ବିଜେ କରିବେ ସେ ଅବଶ୍ୟ ଜଗନ୍ନାଥ।୧୦।

ଶୁଣିଣ ପରବତ ଉପରେ ଉଠିଲେକ ମହାନୃପ

ୟେଥି ଦେଉଳ ତୋଳାଇବି ବୋଲି କଲାକ ସଂକଳ୍ପ।୧୧

ଶୁଣ ହୋ ରାଜନ ସିଦ୍ଧ ଅନକୂଳ ମନ୍ତ୍ରୀ କହିଲା

ଲକ୍ଷେ ଯୋଜନ ପର୍ବତ ଉଚ୍ଛର୍ଗ ହୋଇଲା।୧୨।

ବିରଞ୍ଚିର ରଥ ଯେ ଆକାଶେ ଗମନ୍ତେ

ଟାପୁ ବାଜି ଅଶ୍ୱେ ହୁଡି ପଡିଲେକ ୟେଥେ।୧୩।

ନୀଳସୁନ୍ଦର ପର୍ବତ କହଇ ଭାସ୍କର ଦେବତାର ଆଗେ

ମୁନିବ୍ରତ ବୋଲାଇ ୟେକଇ ସତ୍ୟଯୁଗେ।୧୪।

ସୁବଳୟା ଗିରି ନାମେ ଲଂକାରେଣ ତ୍ରେତୟା ଯୁଗେଣ

ରୁଦ୍ରପ୍ରଭା ବୋଲି କରି ହୋଇଲା ୟେକଇ ରାବଣ।୧୬।

ସହସ୍ରେକ ଶିର ତାର ବିରଞ୍ଚି ବରେଣ

ସତ୍ୟଯୁଗେଣ ସେହୁ ରାଜ୍ୟ କରୁଥିଲେ ସୁଖେଣ।।୧୭।

ସେହୁ ରାଜ୍ୟ ସତ୍ୟ ଯୁଗେଣ କରୁଥିଲା

ତ୍ରେତୟା ଯୁଗରୁ ସେ ସମୟେକ ଭୋଗ କଲା।୧୮।

କାମେ ହରି ନେଲା ସେ ଜନକ ଝିଅ ସୀତା

ବିଷମ କୃତ୍ୟ ସେ ରାମର ଅଟଇ ବନିତା।୧୯।

ଅସ୍କନ୍ଦ ବନରେ ସେ ରହିଲେ ଶ୍ରୀରାମ

ହରି ବଳଶାଖା ଘେନି ଲଙ୍କାକୁ କଲେକ ଗମନ।୨୦।

ସମୁଦ୍ରେ ବନ୍ଧ ବାନ୍ଧି ଗଲେ ସେ ଲଙ୍କାକୁ

ପର୍ବତ ବହି ବାନରେ ଆଣିଲେ ୟେକ ଠାବକୁ।୨୧।

ଅପାର କନ୍ଦର ଆଣି ରୁଣ୍ଡ କଲେ

ରଘୁନନ୍ଦନ-ନୀଳସୁନ୍ଦର ନୀଳଗିରି ଦୁଇ ପର୍ବତ ବାଛିଲେ।୨୨।

ବଇକୁଣ୍ଠକୁ ସମାନ ୟେ ଦୁଇ ପର୍ବତ ହୋଇଲେ

ଶରଧା କରି ବେନି ପର୍ବତ ସେ ରଖିଲେ।୨୩।

ସେତୁବନ୍ଧ ବାନ୍ଧିଲେ ସୁବଳୟା ସଳଖେ

ବନ୍ଧେ ଚଢ଼ିଯାଇ ସମର କଲେ ଲଂକେ।୨୪।

ମୋହର ଉପରେ ଯେ ଶ୍ରୀରାମ ଥିଲେ

ହନୁମନ୍ତ କାନ୍ଧରେ ଶ୍ରୀରାମ ଆକ୍ରେଷି ବସିଲେ।୨୫।

ନୀଳଗିରି ପର୍ବତ ମୋହୋରି ସଙ୍ଗେ ଥିଲା

ତାହାର ଉପରକୁ ହନୁମନ୍ତ ଡେଇଁଗଲା।୨୬।

ହନୁମନ୍ତ ପାଦ ଭାରା ସେ ସହି ନୁଆରିଲା

ପାତାଳେ ପଶିଣ ସେ ଗୋପ୍ୟାନ ହୋଇଲା।୨୭।

ଶୁଣିଲଟିକି ଇନ୍ଦ୍ରଦ୍ୟୁମନ ସିଦ୍ଧ ଅନକୂଳ ମନ୍ତ୍ରୀ କହିଲା

ସେ ନୀଳପର୍ବତଟି ଯେ ଦ୍ୱାରିକା ହୋଇଲା।୨୮।

ସୁନ୍ଦର ପର୍ବତ ୟେ ବଡ଼ାଇ ଉସର୍ଗ

ଆଦିତ୍ୟ ବୋଇଲେ ତୁ ତ ହୋଇଲୁ ବଡ଼ାଇ ଅମାର୍ଗ।୨୯।

କୋପେଣ ଶାପ ବହିଲେ କରତାର

ଭୀମର ହାଥେ ତୁ ହୋଇବୁ ଅପହାର।୩୦।

ସତ୍ୟଯୁଗେ ୟେ ସୁନ୍ଦର ପର୍ବତ ଲକ୍ଷେକ ଯୋଜନ

ଆଦିତ୍ୟର ଭୟେ ବପୁ ହୋୟେ କ୍ଷୀଣ।୩୧।

ତ୍ରେତୟା ଯୁଗେ ୟେ ଅହିବ୍ରତେକ ଯୋଜନ ଉଚ୍ଚ

ଦ୍ୱାପରଯୁଗେ ଅଷ୍ଟାଉତ୍ତର ଶତେ ଯୋଜନ ସଞ୍ଚ।୩୨।

ଅଷ୍ଟବକ୍ର ଋଷି ଶାପେ ଲୋହାର କପୋରା

ୟେହାର ଉପରେ ଲୋହାର କପୋରା ସେ ଘୋରିଲା ଭୀମ ବୀରା।୩୩।

ଘୋରନ୍ତେ ଛାଡିଲା ସେ ପର୍ବତ ଆୟତନ

କ୍ଷୁଦ୍ରଖଣ୍ଡିୟେ ରହିଲା ଫିଙ୍ଗିଦେଲାକ ଭୀମସେନ।୩୪।

ମୀନ ଗିଳିଲା, ସେ ମୀନ ନେଲା କଇବ୍ରତ ଧରି

ଜାରା ଶବରକୁ ମାଛ ଦିଲା ପ୍ରୀତିକରି।୩୫।

ମାଛ କାଟନ୍ତେ କିରାତ ସେ ଲୁହା ଖଣ୍ଡ ପାଇଲା

ଜାରା ନାମେ ଶବର ତାହା ନାରାଜ ଗଢ଼ାଇଲା।୩୬।

ତାହା ଘେନି ବିନ୍ଧିଲା ସେ କୃଷ୍ଣ ଦେବତାଂକୁ

ଅର୍ଜୁନ ଦହ ନକଲା ନେଇ ସେ ପିଣ୍ଡକୁ।୩୭।

ନ ପୋଡ଼ ଅର୍ଜୁନ ବୋଲି ଶୁଭିଲା ସ୍ୱର୍ଗବାଣୀ

କୋଳ କରି ନେଇ ପକାଇଲା ସିନ୍ଧୁପାଣି।୩୮।

ସେ ପିଣ୍ଡ କଳିଯୁଗରେ ହୋଇବ ହାଦେ ପୂଜା

ଶୁଣି ବିସରିଲା ଇନ୍ଦ୍ରଦ୍ରୁମନ ମହାରାଜା।୩୯।

ମୁହିଂ ତାହା ଲୋଡି ପାଇବିକି ମନ୍ତ୍ରୀ

ଦେଉଳ ତୋଳାଇବି ବିଷ୍ଣୁନାଥଂକୁ ଭଗତି।୪୦।

ସିଦ୍ଧ ଅନକୂଳ ମନ୍ତ୍ରୀ ବୋଇଲା ଲୋଡିଲେ ପାଇବାକ ପିଣ୍ଡ

ଦେଉଳକୁ ସଂକଳ୍ପ କଲା ନୃପତି ମାରତଣ୍ଡ।୪୧।

ନୀଳ କଲପବଟ ତଳେ ଭାଳଇ ରାୟେ ବସି

ଅଦଭୂତେ ବିନ୍ଧାଣି ୟେକ ଦ୍ରସନ କଲାକ ଆସି।୪୨।

କରପତ୍ର ଯୋଡି କରି ବୋଲଇ ବିନ୍ଧାଣି

ମୁହିଂ ନିର୍ବାଣ କରିବି ରାଜା ତୋହୋରି କୀର୍ତ୍ତି ଗୋଟି ପୁଣି।୪୩।

ଶୁଣିଣ ହରଷ ଯେ ହୋଇଲା ମହାରାଜା

ବିନ୍ଧାଣିକି ଅନେକ ମତେ କଲାକ ସେ ପୂଜା।୪୪।

ତୁଳମାସ କୃଷ୍ଣପକ୍ଷ ଚଉଠୀର ତିଥି

ରୋହିଣୀ ନକ୍ଷତ୍ର ଗୁରୁବାର ଯେ ପାହାନ୍ତି।୪୫।

ତତ୍ତୁଲ୍ୟ ନାମେ କରଣ ହୋୟେ ସିଦ୍ଧ ନାମେ ଯୋଗ

ତାରଚନ୍ଦ୍ର ବେଳ ଯେ ରୋହିଣୀ ଘରେ ଭୋଗ।୪୬।

ବିଶ୍ୱାବସୁ ବୋଲିଣ ୟେକ ଦ୍ୱିଜବରଇ

ସେ ଯାଇଂ ଦେଉଳକୁ ଶୁଭ ଅନକୂଳ କରଇ।୪୭।

ୟେକାମ୍ବରୁ ବନୁଂ ପାଷାଣନ୍ତ କାଟି

ଦେଉଳ ତୋଳାଇଲା ବିଷ୍ଣୁଦାସ ଶିଳାପିଟି।୪୮।

ତିନିତାଳ ଆୟତନ ତିନିତାଳ ଦୀର୍ଘ

ସିଦ୍ଧ ପାଷାଣର ତହିଂ ନୀଳ ପୀତ କଲା ସଲାଘ।୪୯।

ୟେ ବିଧିରେ ଦେଉଳକୁ ସର୍ଜନା କଲା ରାୟେ

ଯମେଶ୍ୱର ଦେବତାଠାରେ କାଷ୍ଠାକରି ଶୋୟେ।୫୦।

ଚଉବିଂଶ ବରଷ ନିରାଶ ଉପବାସେ

ଶୁତିଲେ ଇନ୍ଦ୍ରଦ୍ରୁମନ ୟମନିକ ଆଦେଶେ।୫୧।

କଠୋର ଦେଖିଣ ସେ ବିଜୟେ ମହାଲିଙ୍ଗ

ରାଜା ହୋଇ କିମ୍ପେ ପୀଡ଼ା ଦିଲୁ ଅଙ୍ଗ।୫୨।

ଇନ୍ଦ୍ରଦ୍ରୁମନ ରାଜା ପଡିଣ ପରିଣାମି

ଶୂନ୍ୟ ଶବଦ ଶୁଭଇ କେଟି ଦେବ ସ୍ୱାମୀ।୫୩।

ଆହୋ ଇନ୍ଦ୍ରଦ୍ରୁମନ ରାଜା ୟେ ଆଦି ଯମନିକ ତୀର୍ଥ

ଜନମାନେ ହତ୍ୟାଦୋଷ ବିମୋଚନ କରନ୍ତି ୟେଥ।୫୪।

ଚଉରାଶି କୋଟି ଜୀବ ଜନ୍ତୁ ଯମ ନାଶ କରଇ

ଯମେଶ୍ୱର ଦ୍ରଶନେ ସକଳ ପାପନ୍ତ ହରଇ।୫୫।

ଅବଦକେ ମକର ମାସ ଶ୍ରବଣା ଦିନଇଂ

ସେ ଦିନ ଯମଦେବତା ୟେଥକୁ ଆସଇ।୫୬।

ତାହାର ଦୋଷ ପାତକ କ୍ଷୟ କରଇ ୟେତ

ଶିବ ଗଙ୍ଗା ଦ୍ରଶନେ ହୋଅଇ ମୁକତ।୫୭।

ସର୍ବନାଶନ ବୋଲି ଯମର ଲେଖନକାରୀ

ସେହି ରହିଥାଇ ୟେ ଯମନିକ ତୀର୍ଥ ପୁରୀ।୫୮।

ଯେତେଲୋକ ଆସି ୟେ ତୀର୍ଥ କରନ୍ତି ରହି

ଲେଖନ କରି ଯମ ପାଖରେ ସମସ୍ତ କହଇ।୫୯।

ନାନାପାତକ କରୁଥାଇ ଯେ ଗ୍ୟାନେ ବା ଅଗ୍ୟାନେ

ଯମ ତାକୁ ଶାସ୍ତି ଦେଇ ନୁଆରଇ ଆନେ।୬୦।

ଆମ୍ଭେ ୟେ ଯମନିକ ତୀର୍ଥର ଆଧିପତି

ଦେଖିଲୁ କୀର୍ତ୍ତି ତୋହୋର ଉଠ ହୋ ନରପତି।୬୧।

ଶୁଣି ଇନ୍ଦ୍ରଦ୍ରୁମନ ନମଇ ଶତେବାର

କୃତକୃତ ହୋଇ ସେ କହଇ ଉତ୍ତର।୬୨।

ସ୍ୱାମୀ ମୁହିଂ ତୋଳାଇଲି ପ୍ରାସାଦ ଗୋଟିୟେ

ବିଜେକରିବେ ୟେଥେ କେବଣ ଦେବତାୟେ।୬୩।

ତହିଂକି କରିବା ମୋତେ ତୁକୁ କରଇ ସେବା

କେବଣ ଦେବତାୟେ ୟେଥେ ବିଜେ କରାଇବି ଆଗ୍ୟାଂ ମୋତେ ଦେବା।୬୪।

ଯମେଶ୍ୱର ବୋଇଲେ ତୋହୋର ଉତ୍ତମ ମହିମାଂ

ଉତ୍ତର ଦିଗେ ଅଛନ୍ତି ମାରକଣ୍ଡ ବ୍ରହ୍ମା।୬୫।

ଆମ୍ଭର ଆଗ୍ୟାଂରେ ସେ କ୍ଷେତ୍ରରେ ବିହରି

ସୃଷ୍ଟି କରତା ସେ କାଳେଣ ଅଧିକାରୀ।୬୬।

 

ତାହାନ୍ତ ଇନ୍ଦ୍ରଦ୍ରୁମନ କର ଯାଇ ପୁଚ୍ଛା

ସେ ତୋତେ କହିବେଟି ଯେବଣ ହିଂ ଦୀକ୍ଷା।୬୭।୯୮୫।

 

ମାରକଣ୍ଡ ବ୍ରହ୍ମାଙ୍କ ପୂର୍ବଜନ୍ମ ବୃତ୍ତାନ୍ତ ଓ
ଗୋମୁଖୀ ହରଙ୍କ କଥା

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ୟେଥି ଉତ୍ତାରେ ଯାହା ହେଲା ମୂଷଳୀ ପର୍ବ ରୀତି।୧।

ଇନ୍ଦ୍ରଦ୍ରୁମନ ବୋଇଲା ସେ ଯେବେ ଅଟନ୍ତି ଦେବବ୍ରହ୍ମା

ୟେ ମୃତୁ ମଣ୍ଡଳେ ଥିତି କିମ୍ପେ ମହାତମା।୨।

ବଦୟନ୍ତି ଯମେଶ୍ୱର ଶୁଣ ଇନ୍ଦ୍ରଦ୍ରୁମନ

ଭାରାଭର ନିବାରଣେ କୃଷ୍ଣ ମୃତୁମଣ୍ଡଳେ ଉତପନ।୩।

ଆଦି ଅବତାରେ ହରି ଯଦୁ ନାମେ ଋଷି

ବସୁଦେବ ବୋଲି କରି ଅଟେ ୟେହାଂକର ଶିଷି।୪।

ବସୁଦେବ ସୁତ ଅନନ୍ତ ନାମେ ଯତି

ସୁଦେବ ନାମେଣ ଯେ ତାହାର ସନ୍ତତି।୫।

ବସୁଦେବର ପୁତ୍ର ମାରକଣ୍ଡ ନାମ

ସାତ କଳପ ବଞ୍ଚିଲା ବିଷ୍ଣୁ ଗରଭେ ବିଶ୍ରାମ।୬।

ତୋଷେ ନାରାୟଣ ଦିଲେ ତାଂକୁ ୟେହି ଦୀକ୍ଷା

ବିହନ୍ତା ପୁରୁଷ ହୋ ତୋର ପୂରୁ ମନବାଞ୍ଛା।୭।

ସେ ମାରକଣ୍ଡ ଋଷି ବ୍ରହ୍ମା ରୂପ ଧରି

ନବସୃଷ୍ଟି କରତା ଆତଯାତ କରି।୮।

ମାରକଣ୍ଡଂକର ସୁତ ସୁରଥ ମହଋଷି

ସୁଷେଣ ନାମେ ତାର ୟେକ ଶିଷି।୯।

ସୁଷେଣର ପୁତ୍ର ବଇଷ୍ଣବ ନାମେ ଦ୍ୱିଜ

ତାହାର ନନ୍ଦନ ଅଟଇ ଅରୁଣତେଜ।୧୦।

ଅରୁଣତେଜର ନନ୍ଦନ ଅଟଇ ସୁଦେବ

ସୁଦେବର ପୁତ୍ର ଅଟଇ ବସୁଦେବ।୧୧।

ଶ୍ରୀକୃଷ୍ଣ ରଙ୍ଗାବତାର ବସୁଦେବ ଘରେ

ଯଶୋଦାଂକୁ ନେଇ ସମର୍ପିଲେ କଂସାସୁର ଡରେ।୧୨।

ଗୋପରେ କୃଷ୍ଣଚନ୍ଦ୍ର ନିଚିନ୍ତେ ବଢ଼ନ୍ତି

ଷୋଳ ସସ୍ର କନ୍ୟା ଘେନି ବିହାର କରନ୍ତି।୧୩।

ଅମରାବତୀ ସ୍ୱର୍ଗକୁ ବିଧିତ ସତ୍ୟ ଯୁଗେ ରାବଣ ଧାଡି ଦିଲା

ବତିଶସହସ୍ର କନ୍ୟାଂକୁ ବଳାକ୍ତାରେ ହରିନେଲା।୧୪।

ଲଂକା ଭୁବନକୁ ଘେନିଗଲା ଲଂକପତି

ବାଳୁତ କନ୍ୟା ସେ କେଭେଂ ନୋହିଲେ ରଜବତୀ।୧୫।

ରାବଣର ହାସ ପରିହାସ୍ୟ ଯୁଗତେ

ରଜବତୀ ନୋହିଲେ ତେପନ ଯୁଗ ପରିଯନ୍ତେ।୧୬।

ତେପନ ଯୁଗ ଅନ୍ତରେ ରାବଣ ନାଶ ଗଲା

ସେ କନ୍ୟା ସଙ୍ଗେ ନେଇ ଇନ୍ଦ୍ରଂକୁ ସ୍ୱର୍ଗେ ବିଭୀଷଣ ଦିଲା।୧୭।

ବିଭୀଷଣ ବୋଇଲା ୟେହାଂକୁ ରାବଣ ନେଲା ହରି

ତେପନ ଯୁଗେ ୟେତ ନୋହିଲେ ରଜକାରୀ।୧୮।

ଅସୁରେ ଦୂଷିତ ୟେ ନୋହିଲେ ଯୁବତୀ

ସମ୍ଭାଳ ୟେ କନ୍ୟା ହୋ ଦେବ ସୁରପତି।୧୯।

ଶତ୍ର ରାୟେ ବୋଇଲେ ୟେଥୁଂ ଷୋଳ ସସ୍ର ବାଳୀ

ଗୋପପୁରେ ବଢ଼ନ୍ତୁ ୟେ କୃଷ୍ଣର କୁତୂହୋଳୀ।୨୦

ରାବଣ ଯେ ହରିନେଲା ଶ୍ରୀରାମ ଘରଣୀ

ୟେମାନେ ସମସ୍ତେ ରାବଣ ଭାରିଯା ୟେହାଂକୁ ହରନ୍ତୁ
ଚକ୍ରପାଣି।୨୧।

ଆବର ଷୋଳ ସହସ୍ର ଥାଆନ୍ତୁ ତୁମ୍ଭର ତହିଂ

ନାରକା ଧାଡ଼ି ଦିଲେ ତୋଷ କରଇ ମୁଁ ୟେହାଂକୁ ଦେଇ।୨୨।

ନାରକାକୁ ବଧତ କରିବେ ବନମାଳୀ

ତାହା ତହୁଂ ନେମେ ୟେ ଷୋଳ ସସ୍ର ବାଳୀ।୨୩।

ୟେହି ବତିଶ ସହସ୍ର କନ୍ୟା କୃଷ୍ଣଂକୁ ଅଙ୍ଗ ଭୋଗ ଦ୍ୟନ୍ତୁ

ଅସୁର ହରଣ ଦୋଷ ପାର ଯେ କରନ୍ତୁ।୨୪।

ଗତ ପାତକ କ୍ଷୟେ ଯାଉ କୃଷ୍ଣର ଅଙ୍ଗ ଲାଗି

ଅମର ସ୍ୱର୍ଗେ ବସନ୍ତୁ ୟେ ସମସ୍ତ ଦୋଷ ପରିତ୍ୟାଗି।୨୫।

ଯମେଶ୍ୱର ବୋଇଲେ ହୋ ଶୁଣ ଇନ୍ଦ୍ରଦ୍ରମନ

ସେ ବତିଶ ସହସ୍ର କନ୍ୟା ଆସ୍ରେ ନନ୍ଦ ନନ୍ଦନ।୨୬।

ଯାବତ କାଳ ୟେ ନୁହନ୍ତି ରଜବତୀ

ଅସୁର କଟାଳନ୍ତେ ସନ୍ଧାନ ଦିଅଇ ସୁରପତି।୨୭।

ଦେବସ୍ତିରୀ ବୋଲି ଅସୁର ନିଅନ୍ତି ଉଷତେ

ଅସରଂକୁ ଭୋଗ ୟେ ନଦିଅନ୍ତି କଦାଶ୍ଚିତେ।୨୮।

ଦେବଦାନବେ ଯେ ନୁହନ୍ତି ରତିକାରୀ

ରଙ୍ଗା ଅବତାରକୁ ୟେ ଥାନ୍ତି ବାଳୁତ ରୂପଧରି।୨୯।

ଶ୍ରୀକୃଷ୍ଣ ବିତ୍ରକେ ଆନେ ନାହିଂ ରତି

ୟେହାନ୍ତ ହରି ଅସୁରେ ନାଶଯାନ୍ତି।୩୦।

ଆହୋ ଇନ୍ଦ୍ରଦ୍ରୁମନ ଆମ୍ଭର ୟେ ଥେ ବିଜେ କଲା

ମହାଶମ୍ଭୁ ହୋଇଲୁ ୟେଥେ ପଞ୍ଚାଣୋଇ ପ୍ରଳୟ ହୋଇଲା।୩୧।

ପ୍ରଳୟେକେ କୃଷ୍ଣ ଯେ ହୋଅଇ ରଙ୍ଗା ଅବତାର

ଯୁବତୀ ରଙ୍ଗେ ଭାରା ନିବାରଇ ପୁଣି ଛାଡଇ ଶରୀର।୩୨।

ସେହି ପିଣ୍ଡ ତ ନୀଳଗିରିରେ ହେବ ପୂଜା

ପଞ୍ଚଣୋଇ ବାର ହୋଇଲୁଣି ଇନ୍ଦ୍ରଦ୍ରୁମନ ରାଜା।୩୩।

ବସୁଦେବ ପାଲଟାଇ କୃଷ୍ଣ ହିଂ ଗୋପପୁରେ ଭ୍ରମି

ଗୋପପୁର ନାୟିକାମାନନ୍ତ ଶ୍ରୀକୃଷ୍ଣ ୟେ ରମି।୩୪।

ବଇଶାଖ ଶୁକ୍ଳପକ୍ଷ ଦ୍ୱିତୀୟାର ତିଥି

ରୋହିଣୀ ନକ୍ଷତ୍ର ବାର ଅଟେ ବୃହସ୍ପତ୍ତି।୩୫।

ଗୋପ ସ୍ତିରୀମାନନ୍ତ ଘେନି କୃଷ୍ଣ ଜଳକ୍ରୀଡା କରି

କୁଞ୍ଜବନ ଭିତରେ କୃଷ୍ଣ ଚରାଉତିଲେ ବାଛୁରୀ।୩୬।

ଗୋପୀନ୍ତ ଘେନି ହରି ପଶିଲେ ଯହୁଂ ଜଳେ

ମାରକଣ୍ଡ ବ୍ରହ୍ମା କୃଷ୍ଣଂକୁ ଲୋଡଇ ତେତେବେଳେ।୩୭।

କଂସର ଭୟ କଥା ଜଣାଇବ ବୋଇଲା

ଚଉକତି ଲୋଡି ବ୍ରହ୍ମା କୃଷ୍ଣଂକୁ ଦେଖି ତ ନୁଆରିଲା।୩୮।

ବୋଇଲା ଭାରା ନିବାରଣେ ୟେ ଯିବେ ସ୍ୱର୍ଗପୁରୀ

ଗୋପୀନ୍ତ ଘେନି ଯେୟେ କ୍ରୀଡ଼ାରଙ୍ଗେ ବିହରି।୩୯।

ୟେତେକ ବିଚାରି ସେ ମାରକଣ୍ଡ ବ୍ରହ୍ମା

ବଚ୍ଛା ପଲ୍ଲୀ ହରିଲା ସେ ବିହନ୍ତା ମହାତମା।୪୦।

ଆଦିତ୍ୟ ଦେବ ଯହୁଂ ହୋଇଲେ ମଧ୍ୟ ସ୍ଥାନେ

ଜଳକ୍ରୀଡ଼ା ସାରିଗଲେ ଗୋପସ୍ତିରୀମାନେ।୪୧।

ବନସ୍ତେ ଶ୍ରୀକୃଷ୍ଣ ଲୋଡ଼ନ୍ତ ବଚ୍ଛା ପଲ୍ଲୀ

ଗୋପସ୍ତିରୀମାନନ୍ତେ ଦେଖି ମୁଂ ତ ବଚ୍ଛାନ୍ତ ଛାଡ଼ିଲି।୪୨।

ବେଳଶେଷ ହୋଇଲା ଯିବେନି ଗୋଗୋଷ୍ଠ

ଗାବ ବଚ୍ଛା ନିକି ହୋଅନ୍ତି ୟେକ ଭେଟ।୪୩।

ନପୁଣ କ୍ଷୀରଯାକ ପିବନ୍ତି ବଚ୍ଛା ପଲ୍ଲୀ

କଂସର ନିଯୋଗକୁ ନନ୍ଦ କିସ ଦେବ କାଲି।୪୪।

ୟେତେକ ବୋଲି କୃଷ୍ଣ ଧାବନ୍ତି ଗୋଗୋଷ୍ଠକୁ

ଗାବମାନେ ହମ୍ବାଳନ୍ତି ନପାଇ ବଚ୍ଛାଂକୁ।୪୫।

ନନ୍ଦ ମହାଖଡ଼ ଲୋଡ଼ଇ ଚଉକତି ଚାହିଂ

ଉଚ୍ଚସ୍ୱରେ ଡ଼ାକନ୍ତି ରେ କହ୍ନାଇ କହ୍ନାଇ।୪୬।

ନନ୍ଦର ଡ଼ାକରେ ଦାମନ୍ତି ଦେବହରି

ପିତାୟେ ଅବା ମୋର ପାଇଲେ ବାଛୁରୀ।୪୭।

ସନ୍ନିଧାନେ କୃଷ୍ଣଚନ୍ଦ୍ର ହୋଇଲେକ ଯାଇ

ନନ୍ଦ ବୋଇଲେ ତୁହିତ ଅଇଲୁରେ କୃଷ୍ଣ

ବଚ୍ଛାମାନେ ଯେ କାହିଂ।୪୮।

ସମସ୍ୟା ନଦେଇଣ ରୋଦନ୍ତି ଶ୍ରୀରଙ୍ଗେ

କୃଷ୍ଣର ଚୂଳଗୋଟି ନନ୍ଦ ଧଇଲାକ ରାଗେ।୪୯।

ଛାଟକେ ଘେନି ପିଟଇ ନନ୍ଦ ମହାଖୁଡ଼

କୋମଳ ଶରୀରେ ବାଜି ବହଇ ରକତ ଧୀର।୫୦।

କାନ୍ଦିଣ ଶ୍ରୀକୃଷ୍ଣ ଯେ ଦିଅନ୍ତି ଘୋଡ଼ାଲୋଟି

ବଛାନ୍ତ ଚଉକତି ନନ୍ଦ ଲୋଡ଼ନ୍ତି ହେଟି।୫୧।

ଛାଟ ପିଟନ୍ତେ ହରି ଶରୀର ବଡ଼ ବଇରାଗୀ

ଧ୍ୟାନେଣ ନିରୋପିଲେ ସେ ବାଳୁତ ବୁଦ୍ଧି ତ୍ୟାଗୀ।୫୨।

ଦେଖିଲେ ଆକାଶେ ରହିଛି ମାରକଣ୍ଡ

ରାଗେଣ ଶରୀର କମ୍ପାଇଲେ କମ୍ପଇ ବ୍ରହ୍ମାଣ୍ଡ।୫୩।

କୃଷ୍ଣ ବୋଇଲେ ତୁ ୟେଡ଼େ ମନ୍ଦ ଅଟୁ

ଦୟା ନ ବସିଲା ତୋର ନନ୍ଦ ଛାଟ ଫିଟୁ୫୪

ୟେତେକ କଷଣ କଲୁ ତୁରେ ମୋତେ

ଅପୂଜ୍ୟକ ହୁଅ ତୁମ୍ଭେ ମୃତ୍ୟୁ ମଣ୍ଡଳେ ଯୁଗତେ।୫୫।

ଶୁଣି ମାରକଣ୍ଡ ବହୁତ ବିନୟେ

ଅପାର ବିନୋୟୀ ଖଟିଲେ ଦେବରାୟେ।୫୬।

ସେ ମାରକଣ୍ଡ ବ୍ରହ୍ମା ଅଶ୍ୱ ରୂପ ହୋଇ

ସେ କୃଷ୍ଣନାଥଂକୁ ନିତ୍ୟପତି ବହଇ।୫୭।

ସମୟେକେ ଜାଣିଲେ ଦେବ ଯେ ଅଚ୍ୟୁତ

ଆସ ଆସ ମାରକଣ୍ଡ ତୁ ଅଟୁ ମୋର ଜ୍ୟେଷ୍ଠ ଭ୍ରାଥ୫୮

ଯଦୁ ବଂଶରେ ତୁ ଅଟୁ ପରମଗୁରୁ

ଶାପକୁ ଭୟ କରି ତୁ ୟେତେ ମୋତେ ଡରୁ।୫୯।

ଯମନିକ ତୀର୍ଥେ ନୀଳ କଳପବଟେ

ସୁନ୍ଦର ପରବତ ମଉଦଧିର ନିକଟେ।୬୦।

ମାରକଣ୍ଡେଶ୍ୱର ହୋଇ ହୁଅ ଲିଙ୍ଗ ଗୋଟି

ତହିଂ ତୋତେ ପୂଜନ୍ତା ହୋଇବେ କୋଟିକୋଟି।୬୧।

ଦକ୍ଷିଣ ଯମେଶ୍ୱର ଉତ୍ତରେ ମାରକଣ୍ଡ

ମଧ୍ୟେଣ ପୂଜା ଘେନିମା ୟେ ମୋହୋର ପିଣ୍ଡ।୬୨।

ଶୁଣ ହୋ ଇନ୍ଦ୍ରଦ୍ରୁମନ କହିଲେ ଯମେଶ୍ୱର ସ୍ୱାମୀ

ୟେ ମାରକଣ୍ଡେଶ୍ୱର କ୍ଷେତ୍ରଟି ଅଟଇ ଉତ୍ତମି।୬୩।

ଦ୍ୱାପର ଯୁଗରେ ସେ ଶମ୍ଭୁ ମହାଯତି

ବିଷ୍ଣୁର ଆଗ୍ୟାଂୟେ ମାରକଣ୍ଡେଶ୍ୱର କ୍ଷେତ୍ର ଆଧିପତି।୬୪।

ତୁ ଯାଇ ପଚାର ମାରକଣ୍ଡକୁ ଆଦ୍ୟ କଥା

ସେ ଜାଣନ୍ତି ଯେ ୟେଥେ ହୋଇବ ଦେବତା।୬୫।

ଶୁଣିଲା ଇନ୍ଦ୍ରଦ୍ରୁମନ ଯମେଶ୍ୱର ଦୀକ୍ଷା

ଇନ୍ଦ୍ରଦ୍ରୁମନ ଯାଇ ମାରକଣ୍ଡକୁ କରଇ ପୁଚ୍ଛା।୬୬।

ଚଳଇ ଇନ୍ଦ୍ରଦ୍ରୁମନ ଯେ ଗୟା ନାଭିକୁଣ୍ଡେ

ଲୋଡ଼ଇ ଚଉକତି ଲିଙ୍ଗ ମାରକଣ୍ଡେ।୬୭।

ଲୋଡ଼ି ଲୋଡ଼ି ବ୍ରହ୍ମା ଚିହ୍ନ ବର୍ଣ୍ଣ ନପାଇଲା ନୃପ

କେଉଣ ସ୍ତାନେ ସ୍ୱାମୀ ହୋଇଅଛ ଗୋପ୍ୟ।୬୮।

ଅନେକ ଲୟ କରି ଲୋଡ଼ି ମନ ଧ୍ୟାନେ

ନିରାଶେ ଉପବାସ କରଇ ପଞ୍ଚଦଶ ଦିନେ।୬୯।

ମୀନ କୃଷ୍ଣପକ୍ଷ ଅଟେ ଦଶମୀର ତିଥି

ଅଦଭୂତରେ ସ୍ୱପନ ଦେଖିଲେ ସେ ରାତି।୭୦।

ଶୁକ୍ଳାମ୍ବର ଶରୀର ମଉଳି ୟେକ ଜଟା

ଶ୍ରୀକରେ ଦଣ୍ଡ କମଣ୍ଡଳ ଗୋଟି କଟିରେ ତମ୍ବାର କାଛଟା।୭୧।

ଅଂଶୁ ବିଲେପନ ଯେ ଅନନ୍ତ ପଇତା

ତ୍ରିଅମ୍ବେକ ମହୁରା ଗୋଟି ଗୋପୀ ଚନ୍ଦନ ଚିତା।୭୨।

ଉଠ ଉଠ ଇନ୍ଦ୍ରଦ୍ରୁମନ ଅଟୁ ତୁ ମହୀଦଣ୍ଡ

ଆମ୍ଭେ ସେ ବ୍ରହ୍ମା ଅବତାର ମାରକଣ୍ଡ।୭୩।

ସରୂପ ଦେଖିକରି ଉଠଇ ମହାରାଜା

ସ୍ୱାମୀଂକ ଚରଣେ କରଇ ବହୁତ ପୂଜା।୭୪।

ମହାକ୍ଷେତ୍ର ବୋଲି ଯେ ତୋଳାଇଲି ପ୍ରାସାଦ

କେବଣ ଦେବତା ୟେଥକୁ କରାଇବି ସମ୍ପାଦ।୭୫।

ଆଦିତୀର୍ଥ ୟେ ଯେ ଯମ୍ବେଶ୍ୱର ଦେବସ୍ୱାମୀ

କ୍ଷତ୍ର ଆଧିପତ୍ୟ ମାରକଣ୍ଡେଶ୍ୱର ଭୂମି।୭୬।

ଯୁଗ ଅନ୍ତକ ୟେ ନୀଳସୁନ୍ଦର ପର୍ବତ

ୟେଣେ ବିଜେ କରିବେ ରାମକୃଷ୍ଣ ବେନିଭ୍ରାଥ।୭୭।

ଆହୋ ରାଜା ଆମ୍ଭେ ଯେ କୃଷ୍ଣର ତହୁଂ ପାଇଲୁ ଅଭିଶାପ

ଆଗ୍ୟାଂ ଦିଲେ ଗୟାତୀର୍ଥେ କରଯାଇଂ ତପ।୭୮।

ସେ ତୀର୍ଥରେ ପୁଷ୍କର ରହିଥିଲା

ଆମର ଭୟେ ସେ ଯେ ପାତାଳଗାମୀ ହୋଇଲା।୭୯।

ଆମ୍ଭେ ଯେ ଗୋଡ଼ାଇ ଅଇଲୁ ପୁଷ୍କର ଦେବତାଂକୁ

ଅଭିଷେକ ହୋଇ କୃଷ୍ଣର ଶାପୁଂ ତରିବାକୁ।୮୦।

ପୁଷ୍କର ବୋଇଲାନ ନାରାୟଣଂକର ବିନୁ ଆଗ୍ୟାଂ

ମୁହିଂ କେହେନେକ ଭାଙ୍ଗିବି କୃଷ୍ଣର ପ୍ରତଗ୍ୟାଂ।୮୧।

ୟେତେ ବୋଲି ପୁଷ୍କର କୋଟିୟେ ତୀର୍ଥ ଘେନି

ଗୋପ୍ୟାନ ହୋଇଲା ସେ ପାତାଳ ଗାମିନୀ।୮୨।

ଆମ୍ଭେ ଗୋଡ଼ାଇଲୁ ସେ ପୁଷ୍କର ଦେବତାକୁ

କୋଟିୟେ ତୀର୍ଥ ଘେନି ସେ ଗୋପ୍ୟ ହୋଇବାକୁ।୮୩।

ତିନିଶତ ଯୋଜନ ସେ ପକାଇଲା ଘୋଟି

ଗୋଡ଼ାବନ୍ତେ ୟେହି ବିମ୍ବରେ ଆସି ଫୁଟି।୮୪।

ଆମ୍ଭେ ବାହାର ହୋଇ ଆସିଲୁ ୟେହିଲାଗି

ଆସିଣ ପୁଷ୍କରୟେ ଯମେଶ୍ୱର ଦେବ ସେବି।୮୫।

ଗୟା ମାରକଣ୍ଡ ଅଟଇ ୟେକ ବଟ

ନଅକୋଟି ତୀର୍ଥ ଘେନି ପୁଷ୍କର ରହିଲା ୟେହି ଘାଟ।୮୬।

ଆହୋ ଇନ୍ଦ୍ରଦ୍ରୁମନ ୟେହି ନୀଳଗିରି ପର୍ବତେ ସେ ହୋଇଅଛି ଗୁପତ

ଯେତେବେଳେ ରାମକୃଷ୍ଣ ବିଜେ କରିବେ ୟେଥ।୮୭।

ନବକୋଟି ତୀର୍ଥ ଘେନି ସେ ରାମକୃଷ୍ଣ ଚରଣାରବିନ୍ଦେ

ତହିଂରେ ପୁଷ୍କର ତମିବ ମନର ଆନନ୍ଦେ।୮୮।

ଇନ୍ଦ୍ରଦ୍ରୁମନ ପଚାରଇ ମାରକଣ୍ଡ ଚରଣ ସେବି

ସେ ନାରାୟଣ ଦେବତାଂକୁ ମୁଂ କାହିଂରେ ପାଇବି।୮୯।

ମାରକଣ୍ଡ ବୋଇଲେ ସେ ଜାରା ନାମେ ଶବର

ପ୍ରୀତି ଉପୁଜାଇ କରି ତାହାନ୍ତ ପଚାର।୯୦।

ଶୁଣି ଇନ୍ଦ୍ରଦ୍ୟୁମନ ଯେ ଲୋଡ଼ି ଜାରାକୁ

ଗୋ ସାଗର ତୀର୍ଥେ ଭେଟିଲା ତାହାଂକୁ।୯୧।

ଜାରା କଇବ୍ରତ ଜାରା ନାମେ କିରାତ

ଶବର କଇବ୍ରତ ବେନି ଅଟନ୍ତି ମଇତ୍ର।୯୨।

ଲୋଡ଼ଇ ଇନ୍ଦ୍ରଦ୍ରୁମନ ଜାରାକୁ ୟେକସରେ

ସିଦ୍ଧ ଅନକୂଳ ମନ୍ତ୍ରୀ ଅଛଇ ସଙ୍ଗତରେ।୯୩।

ଗୋଡ଼ାଇ କଇବ୍ରତକୁ ଭେଟିଲେ ୟେକ ତୀର୍ଥେ

ତହୁଂ ହୋଇଲେ ଯାଇ ଗୋସାଗର ତୀର୍ଥେ।୯୪।

କିରାତ କଇବ୍ରତ ଦେଖିଲେ ଯାଇ ପଲ୍ଲୀ

ଇନ୍ଦ୍ରଦ୍ରୁମନ ବୋଇଲା ମୁଂ ନିସ୍ତରିଲି ନିସ୍ତରିଲି।୯୫।

ତୁ ପୁଣ କିରାତ ନାମ ତୋହୋର ନାମ ଜାରା

ସିଦ୍ଧ ଅନକୂଳ ମନ୍ତ୍ରୀ ବୋଲନ୍ତି ଯେ ବାଳି ପୁତ୍ର ଅଂଗଦ
ମହାବୀରା।୯୬।

ଶ୍ରୀମୁଖ ଘେନିଯାଇ ଭାଙ୍ଗିଲା ଲଂକାଦ୍ୱାର

ତୋଷେଣ ଶ୍ରୀରାମଚନ୍ଦ୍ର ଦିଲେ ୟେହାକଇଂ ବର।୯୭।

ୟେହାର ପିତାଂକୁ ଯହିଂ ଶ୍ରୀରାମ ମାରିଛନ୍ତି

ୟେହି ବୋଇଲା ତୋତେ ମାରିବି ରଘୁପତି।୯୮।

ଶ୍ରୀରାମ ବୋଇଲେ ହୋ ଦ୍ୱାପର ଯୁଗ ଭାଗେ

କିରାତ ରୂପେ ଜାତ ହୋଇବୁ ମଧ୍ୟ ସ୍ୱର୍ଗେ।୯୯।

ସେ ଅବତାରେ ଆମ୍ଭଂକୁ ନାରାଜ ଘାତକର

ତୋହୋର ହାତେ ପ୍ରାଣ ଦେବୁ ବୋଇଲେ ରଘୁବୀର।୧୦୦।

ଇନ୍ଦ୍ରଦ୍ରୁମନ ଆଗେ ସିଦ୍ଧ ଅନକୂଳ ମନ୍ତ୍ରୀ ୟେମନ୍ତ କହିଲା

ତେଣୁ କରି କୃଷ୍ଣଂକୁ ୟେ ଶରାଘାତ କଲା।୧୦୧।

ଅର୍ଜୁନ ଯେ ଦହନ କଲା ଶ୍ରୀକୃଷ୍ଣ କଳେବର

ଆକାଶର ବାଣୀ ଶୁଭିଲା ୟେ ପିଣ୍ଡ ନାଶ ନକର।୧୦୨।

କଳିଯୁଗ ପ୍ରବେଶ ହୋଇଲାକ ଆସି

ନରଲୋକନ୍ତ ବାନ୍ଧିବା ୟେ କାଳ କୂଟ ଫାଶି।୧୦୩।

ଧର୍ମ ବାଟ ଛାଡି କଳି କରାଇବ ଅଧର୍ମ

ତେଣୁକରି ନରମାନନ୍ତ ଶାସ୍ତି ଦେବ ଯମ।୧୦୪।

ୟେହି ପିଣ୍ଡ ଯେ ବସିବ ନୀଳଗିରି

ଦଶନେ ଜନଂକର ଦୁରିତ ଯିବ ପାରି।୧୦୫।

କଳିଯୁଗ ଚାରିଲକ୍ଷ ବତିଶ ସହସ୍ର ବରଷ ପରିଯନ୍ତେ

ୟେ ପିଣ୍ଡ ପୂଜା ପାଇବ ଶୁଣ ବୀର ପାଥେ।୧୦୬।

ଆକାଶର ବାଣୀ ଯେ ଶୁଣିଲା ବୀର ଫାଲଗୁନି

ସମୁଦ୍ରେ ମେଲିଲା କୋଳେ ତାହାଘେନି।୧୦୭।

ୟେ ଜାରା ରକ୍ଷା କରଇ ନିଜ କାୟେ

ୟେହାରେ ସଂସାରକୁ ସଦଗତି ଅଛି ରାୟେ।୧୦୮।

ମନ୍ତ୍ରୀର ବଚନେ ଯେ ରାଜା ଇନ୍ଦ୍ରଦ୍ରୁମନ

ଜାରାକୁ ଭୂଷଣ କଲା ଲକ୍ଷେକ ରତନ।୧୦୯।

ବାବୁ ତୁ ବନସ୍ତର ପତି ମୁଂ ମୃତୁ ମଣ୍ଡଳେ ରାଜା

ଦୁହେଂ ହୋଇ କୃଷ୍ଣର ପିଣ୍ଡକୁ କରିବାକୁ ପୂଜା।୧୧୦।

ଜାରା ବୋଇଲା ତୁମ୍ଭେ ଶୁଣ ମଞ୍ଚେଶ୍ୱର

ପ୍ରସନ୍ନେ ନାରାୟଣ ଗୋମୁଖୀ ଚକ୍ରଧର।୧୧୧।

ତୁ ୟେଥେ ରହି ରାମକୃଷ୍ଣକଇଂ କର ପୁଚ୍ଛା

ସେ କୃଷ୍ଣର ପିଣ୍ଡ ଯେବେ ଭୋଗକୁ ଧିବ ଇଚ୍ଛା।୧୧୨।

ଗୋମୁଖୀ କେଶବ ସତ୍ୟୟୁଗର ଦେବତା

ଶୁଣ ହୋ ଇନ୍ଦ୍ରଦ୍ରୁମନ ତୋତେ ବୁଝାଇ କହଇ ଗତ କଥା।୧୧୩।

ଋତୁ ବସନ୍ତ ସତ୍ୟଯୁଗେ ଈଶ୍ୱର ସୁମେକ ଋଷି ରୂପ

ଆକାଶଗଙ୍ଗା କୂଳେ କରନ୍ତି ଦେବ ତପ।୧୧୪।

ମିଥୁନ ଶୁକଳ ପକ୍ଷ ଅଟେ ୟେକାଦଶୀ

ଅର୍କବାର ସେଦିନର ସ୍ୱାତୂ ତୁଳାରାଶି।୧୧୫

ସେହି ଦିନ ଈଶ୍ୱର ଯେ କାଟିଲେକ କୁଶ

କାଟିଲେକ କୁଶ ଯାଇ ବିଡ଼ା ସେ ଷୋଡ଼ଶ।୧୧୬।

ବିଡ଼ି ବିଡ଼ି କରି ଥୋଅନ୍ତେ ଗଙ୍ଗାକୂଳେ

ଦୂବଲତା ଉପରେ ଶୁଖାଇଲେ ମଧ୍ୟାନର କାଳେ।୧୧୭।

ଆଦିମାତା କପିଳା ଦୋହିତା ସୁରଭି

ସେ ସୁରଭିର ଦୋହିତା ନାମ ନନ୍ଦିନୀଦେବୀ।୧୧୮।

ଗଙ୍ଗାକୂଳକୁ ସେ ଗଲେ ପାଣି ହେରି

ଉଚ୍ଛର୍ଗ ଦେଖିକରି ଦୁବନ୍ତ ସେ ଚିରି।୧୧୯।

ଦୂବ ଚରନ୍ତେଣ ଖାଇଲେ କୁଶ ବିଡ଼ି

ଦେଖିଣ ଶଂକର ସେ ଧାମନ୍ତି ତପ ଛାଡ଼ି।୧୨୦।

କୁଶ ନ ଦେଖିଣ ସେ ମହାକୋପ କଲେ

ଋଷି ରୂପ ଛାଡ଼ିଣ ଭଇରୋବ ରୂପ ହେଲେ।୧୨୧।

କ୍ଷୁଧାରେ ଆଦିମାତା ନଇଂଣ ଚରୁଥିଲା

ଶୂଳ ପଡ଼ନ୍ତେ ଶିର ତାର ଛିଡ଼ିଣ ପଡ଼ିଲା।୧୨୨।

ଦେଖିଣ ଈଶ୍ୱର ମହା ଭୟେ କଲେ

ଋଷି ରୂପ ଛାଡ଼ିଣ ଭଇରୋବ ରୂପ ହେଲେ।୧୨୩।

ଖପର କଠୋର ଯେ ତ୍ରିଶୂଳ ଡ଼ମ୍ବରୁ

ମହାଖଳା ରୂପେ ଖେଚର ଭୂଚର ରୂପ ଧରୁ।୧୨୪।

କିଂଶୁକ ମନ୍ଦାର ଯେ ରକତ ବସ୍ରେ ଲାଗି

ମହାଖଳା ବୀରନ୍ତ ଭୋ ମଦିରା ରସେ ଭୋଗୀ।୧୨୫।

କେ ଗୁରୁ କେ ବ୍ରାହ୍ମଣ କେହୁ ଯେ ଦେବତା

କେହୁ ଚନ୍ଦ୍ର ସୂର୍ଯ୍ୟ କେହୁ ଅବା ପିତା ମାତା।୧୨୬।

ଭାଂଜିଲେ ଦେବ ଶାହାସ୍ର ହୋଇଲେ ମହାଯୋଗୀ

ଅମାର୍ଗ ମାର୍ଗେ ପଶି ଅଖାଇଦ ଫଳ ଭୋଗୀ।୧୨୭।

ଶୁଣ ହୋ ଚଇତନ ଧନୁ ଶୁକ୍ଳପକ୍ଷ ତ୍ରୟୋଦଶୀ ଶୁକ୍ରବାର

ମୃଗଶିରା ନକ୍ଷତ୍ର ଯେ ବେଳ ଦ୍ୱିପ୍ରହର।୧୨୮।

ଇନ୍ଦ୍ର ନାମେ ଯୋଗ ପୁଣି କଉଳୋବ କରଣ

ହୋଇଥିଲା କଣି ମକରର ସଂକ୍ରମଣ।୧୨୯।

ମହାଖେଳା ବୀରନ୍ତ ଘେନି ମତୁଆଳ ନାଟେ

ବିହରନ୍ତି ଭଇରୋବ ମେରୁ ସଭାର ନିକଟେ।୧୩୦।

ନୟନ ବୁଲାଇ ଯହୁଂ ଚାହିଂଲେ ଭଇରୋବ

ଦେଖିଣ ପଳାଇଲେ ସମସ୍ତ ସୁରଦେବ।୧୩୧।

ଆସ୍ତାନ ତେଜିଣ ପଳାଇଲେ ସୁରପତି

ନାଶିକାରେ କର ଦେଇ ହସିଲେ ଶ୍ରୀପତି।୧୩୨।

ନାରାୟଣେ ବୋଇଲେ ମତୁଆଳ ତାର କିସ ଗ୍ୟାଂନ

ଦେଖୁଂ ଦେଖୁଂ ଗୋମାତାର ଶିର କଲାକ ଛେଦନ।୧୩୩।

ଶଂକର ବୋଇଲେ କେ ଗାବ କେ ଅବା ବ୍ରାହ୍ମଣ

ୟେ ବେନି ମାଂସ ଭକ୍ଷିବି ମୁଂ ସୁରା କରିବି ଭୋଜନ।୧୩୪।

ଶ୍ରୀକୃଷ୍ଣ ବୋଇଲେ ତୁ ମଦିରା ପାନ କଲୁ

ଅଗ୍ୟାଂନ ପିଣ୍ଡ ଗୋଟି ଯିସ ଅବା ବୋଇଲେ ବୋଇଲୁ।୧୩୫।

ଶୁଣି କରି ଶାପ ଯେ ଦିଲେକ ଭଇରୋବ

ଯାଅସିରେ ହୁଅ ତୁ ଗୋମୁଖୀ କେଶବ।୧୩୬।

ୟେସନେକ ଶାପ ଯହୁଂ ଦିଲେ ଭଇରୋବ ମୂର୍ତ୍ତି

କୃଷ୍ଣ ବୋଇଲେକ ତୋର ଶାପକୁ ମୋର ଭିତି।୧୩୭।

ୟେହା ଚିତ୍ତରେ ତୁ ନବିଚାର ପଶୁପତି

ୟେମନ୍ତ ବିଚାରେ ନୁହଇୟେ ରୀତି।୧୩୮।

ଶୁଣିଣ ଭଇରୋବ ଯେ ମାଇଲା କୋଠାରେ

ସେ ମୁଣ୍ଡ ଛିଡ଼ି ପଡ଼ିଲା କେଶବ ଅବତାରେ।୧୩୯।

କେଶବର ମୁଣ୍ଡ ଯେ ଘେନିଣ ପଶୁପତି

ଗଣ୍ଡ ସ୍ଥଳେ ଲଗାଇଲେ ଅଳଂକାର ସୁଗତି।୧୪୦।

ସେ ଭଇରୋବ ଖପରେ ଯେ ଥିଲା ଗୋମାତାର ମୁଣ୍ଡଗୋଟି

କେଶବର କନ୍ଧେ ନେଇ ଲମ୍ବାଇଲେ ଧୂର୍ଜଟୀ।୧୪୧।

ମହାମନ୍ତ୍ର ପଢିଣ ଫୁଙ୍କିଲେ ଦେବ କର୍ଣ୍ଣେ

ତତକ୍ଷଣେ କେଶବ ବସିଲେ ଚେତନେ।୧୪୨।

ଶଙ୍ଖ ଚକ୍ର ଗଦା ଅଭୟେ ଚାରିଭୁଜ

ତହୁଂ ଗୋମୁଖ କେଶବ ହୋଇଲେ ଦେବରାଜ।୧୪୩।

ବଜସିଂହ ବୋଲି ଯେ ୟେକଇ ଦଇତ

ମୟେସିଂହ ବୋଲି ତାହାର ୟେକପୁତ୍ର।୧୪୪।

ମୟେସିଂହ ପୁତ୍ର କାଳସିଂହ ବୀର

ଅମୟେସିଂହ ବୋଲି ତାହାର କୁମର।୧୪୫।

ଅମୟସିଂହର ପୁତ୍ର କଣୟସିଂହ ବୋଲି

ୟେହାର ପୁତ୍ର ଯେ କପିଳସିଂହ କହିଲି।୧୪୬।

କପିଳସିଂହର ପୁତ୍ର ଅଟଇ ସିଂହନାଦ

ସିଂହନାଦର ପୁତ୍ର ଅଟଇ ପ୍ରହଲାଦ।୧୪୭।

ପ୍ରହଲାଦ ପୁତ୍ର ଅଟଇ ପିଙ୍ଗଲା ସୁରବୀର

ୟେହାର ପୁତ୍ର ନାମ ଅଟି ସିଂହସାଗର।୧୪୮।

ସିଂହସାଗର ଯେ ୟେଥୁ ରାଜ୍ୟକରି

ପୃଥୀରେ ଯେତେ ଜୀବଜନ୍ତୁ ଖାଇଲା ପୋଡ଼ିକରି।୧୪୯।

ଭୋ ନାଥ ସିନ୍ଧୁମର୍ଦ୍ଦନ ବୋଲି ୟେ ସତ୍ୟଯୁଗ କଥା

କହିଲେ ନସରଇ ଲୁହର ତଦନ୍ତା।୧୫୦।

ମୁକୁଇ ସର୍ବ ଦିଶଇ ଲେଖନ୍ତା ଲୋକ ନାହିଂ

ଯୋଗ ବ୍ରହ୍ମସାଧନ ନ ଜାଣଇ ମୁହିଂ।୧୫୧।

ଶିବର ଦ୍ୱାରପାଳ ମୁଂ ଅଭିସାରକ କବି

ମାନୁଷ ଯୋନିରେ ଜାତ ପ୍ରସନ୍ନ ବାକ୍ୟଦେବୀ।୧୫୨।

ନୀଳଗିରି ଆଖ୍ୟାନ ବହୁତ ବହୁତ କଥା

ଠିକ ଠିକ କରିଣ ମୁଂ କହି ବକତା।୧୫୩।

ଜନମହୁଂ ମୂର୍ଖ ମୁଂ କିସ ମୋହର ଗରିମା

ହେଉଛି ପଣ୍ଡିତ ଜନେ ମୋର ଦୋଷ ନ ଘେନିମା।୧୫୪।

ନ ପଢିଲି ବେଦଶାସ୍ତ୍ର ନ ଛୁଇଂଲି ଖଡି

ୟେକେତ ଅଗ୍ୟାଂନ ଶାହାସ୍ର ବୁଝିତ ନୁଆରି।୧୫୫।

ମନକୁ ବୁଝାଇ ଚଇତନ ବୋଲେ ହରି

ୟେକେତ ଅପାଠକ ଲୋକ ମୁଁ କିସ ଗ୍ରନ୍ଥକରି।୧୫୬।

ଅଭୟ ପଦ୍ମଆସନୀ ସିଦ୍ଧ ଯେ ସାରୋଳା

ସେ ମୋର ବକ୍ଷସ୍ଥଳେ ଲୁଚାଇ ବନମାଳା।୧୫୭।

ବଦୟନ୍ତି ଗ୍ରନ୍ଥକାର କବି ସାରୋଳା ଦାସ

ୟେ ଭବ ଜଳୁ ମୋତେ ଉଦ୍ଧରି ଧର ଲକ୍ଷ୍ମୀର ବିଳାସ।୧୫୮।୧୦୫୨।

 

ମାରକଣ୍ଡ ବ୍ରହ୍ମାଙ୍କ ପୂର୍ବଜନ୍ମ ବୃତ୍ତାନ୍ତ ଓ
ଗୋମୁଖୀ ହରିଙ୍କ କଥା

ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

ଅଶେଷ ମହାଭାରତ ୟେ ଅମୀୟ କାମଧେନୁ।୧।

ଜାରା ଶବର କହଇ ଶୁଣ ହୋ ଇନ୍ଦ୍ରଦ୍ୟୁମନ

ସାଗରାସୁର ଭୟ ଲାଗିଲା ମୃତୁ ଭୁବନ।୨।

ପିତାମହ ଆଗ୍ୟାଂ ଦିଲେ ଶୁଣ ହୋ କେଶବ

ତୁ ଯାଇ ବଧକର ସାଗରସିଂହ ଦାନବ।୩।

ପରମେଷ୍ଠୀର ବଚନେ ବିଜୟେ ମୁରାରି

ଚଲନ୍ତି ନାରାୟଣ ଗୋମୁଖ ଚକ୍ରଧାରୀ।୪।

ବିଜୟ ନାରାୟଣ ଅଗ୍ନି କୋଣ ଦ୍ୱାରେ

ସାମାନ୍ୟ ରୂପ ଧରି ମିଳିଲେ ଗୁପତ ପ୍ରକାରେ।୫।

ଗୋମୁଖ ଦେଖିକରି ଯେ ଧାମଇ କଉଣୋପ

ଆହାର ନିମନ୍ତେ ହେ କରିଅଛି ଧାପ।୬।

ଆକ୍ରେଷିଣ ଗୋଧନ ଧଇଲା ବେନିଭୁଜେ

ଗର୍ଭ ବିସ୍ତାରିଣ ସେ ଗିଳିଲା ଦନୁଜେ।୭।

ଗିଳନ୍ତେ ଶରୀରକୁ ତାର ଲାଗିଲା ମହାଜାଳା

ସାଗରେ ପଶିଲା ସେ ଦାନବ ଅଚାର୍ଗଳା।୮।

ଗର୍ଭ ଭିତରେ ଯେ ପଶିଲେ କେଶବ ଗୋମୁଖ

ବିକାଶିଲେ ବିଶ୍ୱରୂପ ଗଗନପତି ଶିଖ।୯।

ଶିଂଗେଣ ମାରିଣ ତାର ବିଦାରିଲେ ବୁକୁ

ବେନି ଫାଳ କରି ଦେବ ଚିରିଲେ ଅସୁରକୁ।୧୦।

ଧନୁ ଶୁକ୍ଳପକ୍ଷ ତ୍ରୟୋଦଶୀ ଅର୍କବାର

ପୁନର୍ବସୁ ନକ୍ଷତ୍ର ବେଳ ତିନି ଯେ ପ୍ରହର।୧୧।

ବିଷ୍କୁମ୍ଭ ନାମେ ଯୋଗ ବିଷ୍ଟି ନାମେ ଯେ କରଣ

ସେ ଦିନରେ ହୋଇବ ଯେ ମକର ସଂକ୍ରମଣ।୧୨।

ମହୋଦଧି ଭିତରେ ପଶି ଦେବ କଲେ ଜଳକ୍ରୀଡ଼ା

ସେ ଦିନ ସାଗରସିଂହକୁ ମାଗଇ ଲହଡ଼ା।୧୩।

ଅସୁର ବଧ ଦେଖି ବୃନ୍ଦାରକ ଲୋଡେ

ସାନନ୍ଦେ ବିଜୟ କଲେ ନିଭୟେ ନିଶଂକେ।୧୪।

ଛପନ କୋଟି ଜୀବ ଜନ୍ତୁ ଯେ ଲୁଚାଇଥିଲେ ପିତା

ଗୋସାଗରୁ ଆଣିଣ ସମସ୍ତ ଛାଡ଼ିଲେ ଯେ ଧାତା।୧୫।

ଗୋସାଗରୁ ବାହାର ହୋଇଲେ ଛପନ କୋଟି ଜୀବ

ଗୋମୁଖ କେଶବଂକୁ ହୋୟେ ମକର ଉଛବ।୧୬।

ଦେବତା ମାନବେ ସମସ୍ତେ ହୋଇଲେକ ୟେକ

କେଶବ ପ୍ରସନ୍ନ ସେ ହୋଇଲେ ନିଶଂକ।୧୭।

ଉଚ୍ଛବ ବେଳେ ଯେ ବୋଇଲା ଯମ ଦେବତାର

ଅଠାଇଶ କୋଟି ଭକ୍ଷିଲା ସାଗର ଅସୁର।୧୮।

ସେ ପୁଣ କେସନେକ ସର୍ଜନ ହୋଇବେ ଧାତା

ବ୍ରହ୍ମା ବୋଇଲେ ଯେ ହକାର ବିଶ୍ୱାମିତ୍ରା।୧୯।

ଅଠାଇଶ କୋଟି ଜୀବ ଯେ ଅସୁର ଭୋଗକଲା

ଭୋ ବିଶ୍ୱାମିତ୍ର ୟେହାନ୍ତ ଭିଆଅ ବୋଲି ଯେ ପିତାମହ
ବୋଇଲା।୨୦।

ବ୍ରହ୍ମାର ବଚନେ ଯେ ଭିଆଇଲେ ବିଶ୍ୱାମିତ୍ରା

ଅଠାଇଶ କୋଟି ଜୀବ ଯେ ଭିଆଇଲେ ତପୋବନ୍ତା।୨୧।

ବ୍ରହ୍ମା ଭିଆଇଲେ ଯେବଣ ଜୀବ ଛପନ କୋଟି

ୟେ ବିଧିରେ ଚଉରାଶି କୋଟି ଜୀବ ହୋଇଲେକ ସୃଷ୍ଟି।୨୨।

ବୋଲଇ ଜାରାଶବର ଶୁଣସି ରାଜନ

ଗୋମୁଖ କେଶବ ଯେ ଅନାଦି ନିରଞ୍ଜନ।୨୩।

ମକର ସଂକରାନ୍ତିରେ ମଉଦଧିରେ କରଇ ସ୍ରାହାନ

ରାତ୍ରେଣ ଜାଗର ଦେଇ ନିରାହାରେ ଦୀପ ଦାନ।୨୪।

କେଶବ ସୁମରାଣ କରନ୍ତି ଯେବଣ ଜନଗ୍ୟାଂତା

ତାହାର କତିକି ଆସି ନୁଆରଇ ଯମ ଯେ ଦେବତା।୨୫।

ଗୋମୁଖ କେଶବର ଲାଞ୍ଜ ଯେ ପଚ୍ଛିମ ମୂରତି

ତହୁଂ ସେ ପ୍ରାଚୀ ନାମେ ହେଲା ନଦୀୟେ ଉତପତ୍ତି।୨୬।

ଅଶି ସହସ୍ର ଗନ୍ଧର୍ବ ଆଣିଲେ ତାହା ଖୋଳି

କେଶବ ଲାଞ୍ଜ ଛାଡ଼ିଲେ ଯେ ବାଜିଣ କୋଦାଳି।୨୭।

ଆଠ ଖଣ୍ଡ ହୋଇ ଛିଡ଼ିଗଲା ଯେ ଲାଙ୍ଗୁଡ଼

ଅଷ୍ଟଶମ୍ଭୁ ହୋଇଲେ ସେ ପ୍ରାଚୀନଦୀ କୂଳର।୨୮।

ଗୋକର୍ଣ୍ଣେଶ୍ୱର କପଳେଶ୍ୱର ଶୋଭନେଶ୍ୱର ଗ୍ରାମେଶ୍ୱର

ହରଶଂକରେଶ୍ୱର ସୋମେଶ୍ୱର ନଟକେଶ୍ୱର ଶୁକ୍ଳେଶ୍ୱର।୨୯।

ମଙ୍ଗଳରୂପୀ ପିଙ୍ଗଳରୂପୀ ମହାମାୟା

କହୁଂ ନସରି ଯେ ତାହାକିଂ କାୟା।୩୦।

ଭୋ ରାଜନ ମକର ସଂକ୍ରାନ୍ତିରେ ଯେ ପ୍ରାଚୀରେ କରନ୍ତି ସ୍ରାହାନ

ଉପବାସେ ମଉନେ ଅଷ୍ଟଶମ୍ଭୁ କରନ୍ତି ଦରଶନ।୩୧।

ନବକୋଟି ତୀର୍ଥସଙ୍ଗେ ଘେନିଣ ପୁଷ୍କର

ରାତ୍ର ଦିବସେ ଆମ୍ଭେ ୟେ ପ୍ରାଚୀ ନଦୀ ତୀର।୩୨।

ଅଷ୍ଟଶମ୍ଭୁ ଦ୍ରଶନ କରି ଯେ ଗୋମୁଖେ ପଶଇ

ନକ୍ଷତ୍ର ଡେଇଂଣ ସେ ସ୍ୱର୍ଗରେ ବସଇ।୩୩।

ନାଟକେଶ୍ୱର ଠାବରେ ସେହୁ ଅସକତ ହୁଅନ୍ତି

ଶତେ ବରଷ ପର୍ଯ୍ୟନ୍ତେ ସେ ସ୍ୱର୍ଗରେ ବସନ୍ତି।୩୪।

ଗୟା ବାରାଣସୀ ଯେ ପ୍ରୟାଗ ତୀର୍ଥ

ୟେ ତୀର୍ଥ କଲେ ଲିଙ୍ଗେକ ହେଉଛି ହେ ଅଇ ସତ।୩୫।

ଗଙ୍ଗାଗୟା ହୋୟେ ବାରାଣାସୀ ପୁରସ୍ତାନ

ୟେତେ ଲିଙ୍ଗ ଦ୍ରଶନେ ଅଛଇ ଅନେକ ପୁଣ୍ୟ।୩୬।

ୟେ ମୃତୁ ମଣ୍ଡଳେ ସେ ପାଉଣ ଥାନ୍ତି ପୂଜା

ୟେ ତୀର୍ଥ କଲେ ନକ୍ଷତ୍ର ହୋଇ ହ୍ୱନ୍ତି ସ୍ୱର୍ଗେ ରାଜା।୩୬।

ଜାରା ଶବର କହିଲା ତାଂଙ୍କୁ ସେ କ୍ଷେତ୍ରଧର୍ମ

ଇନ୍ଦ୍ରଦ୍ରୁମନ ରାଜା ଶୁଣି ଚିତ୍ତ କଲା ଶମ।୩୭।

ସାଧୁ ସାଧୁ ମହାତମା ହୋ ଜୀବନ ତୋହୋର

ଅନେକ ସୁଫଳ ଯେ ହୋଇଲାନ ମୋହୋର।୩୮।

ସାଗରେ ସ୍ରାହାନ କରି ଦେଖିଲେ କେଶବ ଗୋମୁଖ

ଖଣ୍ଡିଲେ ଅଶେଷ କୋଟି ଜନ୍ମର ଯେ ଦୁଖ।୩୯।

ଭୋ ଗୋମୁଖ କେଶବ ପ୍ରସାଦ ମାଗଇ ମୁହିଂ ତୋତେ

ସତ୍ୟ ବାକ୍ୟେଣ ତୁ ପ୍ରସନ୍ନ ହୋଇ ମୋତେ।୪୦।

ଜାରା ବୋଇଲା ତ୍ରିବାର ମୋର ସତ୍ୟ

ତୁ ଯାହା ମାଗିବୁ ତାହା ଦେବଇ ନିରୁତାନ୍ତ।୪୧।

ଜାରା ବୋଇଲା ବାବୁ ଯେବଣ ପିଣ୍ଡ ଦହନ କରିଥିଲା କିରୀଟୀ

ଆକାଶର ବାଣୀ ଶୁଣି ଜଳେ ମେଲିଲା ନାରାୟଣ ପିଣ୍ଡଗୋଟି।୪୨।

ତୁ ତାହା ଜାଣୁ ଯିବାକ ତାହା ଘେନି

ନୀଳଗିରିରେ ପୂଜା କରିବା ଦୁହେଂ ପୁଣି।୪୩।

ଜାରା ବୋଇଲା ସେ ପଡ଼ିଲା ଅଗାଦ ଜଳେ

ଅପାର କାଳହୁଂ ଜଗିଅଛି ୟେହି କୂଳେ।୪୪।

ୟେ ମୃତୁମଣ୍ଡଳେ ଯେବେ ତାର ପୂଜାକୁ ଅଛି ଇଚ୍ଛା

ଆଜ ଲୟେ କରି ମୁଂ ମାଗଇକିନା ଦୀକ୍ଷା।୪୫।

ତୁମ୍ଭେ ରହିଥାଅ ଯେ ଚନ୍ଦ୍ରଭାଗା ଅର୍କ ତୀର୍ଥେ

ୟେକ ରାତ୍ରହୁଂ ୟେଥେ ଯେ ନରହିବି ଦୁଇ ରାତ୍ରେ।୪୬।

ବିଷ୍ଣୁର ତହୁଂ ଯେବେ ମୁଁ ସମ୍ପାଦ ପାଇବି

ତୋହର ତହିଂକି ଅବଶ୍ୟ ମୁହିଂ ଯିବି।୪୭।

ଜାରାଶବର ବଚନେ ଚଳଇ ମହୀପାଳ

ତୁଲେଣ ଅଛଇ ମନ୍ତ୍ରୀ ତାର ସିଦ୍ଧ ଅନକୂଳ।୪୮।

ବିଜୟେ କଣାଅର୍କ ତୀର୍ଥେ ବିରଞ୍ଚି ନାରାୟଣ

ଇନ୍ଦ୍ରଦ୍ରୁମନ ରାଜା ତାଂକୁ କରଇ ପ୍ରତିକ୍ଷଣ।୪୯।

ରାତ୍ରେଣ ସିନ୍ଧୁକୂଳେ ଯେ ନିରୋପଇ କିରାତ

ସାଗରୁ ବାହାର ହୋଇ କୃଷ୍ଣ ଉପଗତ।୫୦।

ଦେଖିଣ ଜରାଶବର ହୋଇଲା ପରିଣାମି

ନିଳଗିରିକି ବିଜୟେ କରିବିକି ଦେବସ୍ୱାମୀ।୫୧।

ଶ୍ରୀକୃଷ୍ଣ ବୋଇଲେ ହେଉଛି ୟେଥି ବ୍ରହ୍ମାର ଯେହ୍ନେ ଇଚ୍ଛା

କଳିଯୁଗେ ଚାରିଲକ୍ଷ ବତିଶି ସହସ୍ର ବରଷ ଭୋଗ ବାଞ୍ଛା।୫୨।

ବଉଧ ଅବତାର ଅବଶ୍ୟ ବିହରିବୁ

ଦୁଷ୍ଟ ଜନ ମାରି ସନ୍ଥଜନ ପ୍ରତୁପାଳିବୁ।୫୩।

କ୍ଷୀରୋଦ୍ର ଶାହୀରେ ଯାହା ଦେବତା ଛନ୍ତିକହି

ଯିବୁଂ ନୀଳଗିରିକି ସଂଶୟ କିଛିନାହିଂ।୫୪।

ୟେହା ଶୁଣି ଯେ ଜାରାଶବର ବୋଇଲା

ସ୍ୱାମୀ ବିଷ୍ଣୁପ୍ରତିମା ନଦେଖି ରାଜା ବହୁତ କୋପକଲା।୫୫।

ସ୍ୱାମୀ ଅନେକ ବିନୋୟୀ ଯେ ଇନ୍ଦ୍ରଦ୍ୟୁମନ ରାଜା

ପ୍ରାସାଦ କରିଅଛି କରିବ ତୋତେ ପୂଜା।୫୬

କୃଷ୍ଣ ବୋଇଲେ ଇନ୍ଦ୍ରଦ୍ୟୁମନକୁ ଘେନି ଯାଆ

କାଲି ପ୍ରଭାତେ ରୋହିଣୀକୁଣ୍ଡ ଜଗିଥାଆ।୫୭।

ରୋହିଣୀକୁଣ୍ଡେ ଆମ୍ଭେ କାୟା ଯେ ବିସ୍ତାରୁ

ୟେ ପିଣ୍ଡ ଗୋଟିକ କାଳେ ହୋଇବାକ ଦାରୁ।୫୮।

ଜାରାକୁ କହି କୃଷ୍ଣ ହୋଇଲେ ଅନ୍ତର

ଚଳଇ ଜାରା ତହୁଂ ଅର୍କ ନାମେ ତୀର୍ଥର।୫୯।

ଜାରା କଇବ୍ରତକୁ ବୋଇଲା ଆସ ଯିବା ମିତେ

କଇବ୍ରତ ବୋଇଲା ୟେହାଉଂ ଆନ କିସ ତୀର୍ଥେ।୬୦।

ରହିଲା କଇବ୍ରତ ଗୋମୁଖ ଆଶ୍ରିତେ

ଅନେକ କୁଟୁମ୍ବ ତାର ହୋଇଲା ଅପ୍ରମିତେ।୬୧।

ଜରାଶବରକୁ ପଥ ନିରୋପଇ ଇନ୍ଦ୍ରଦ୍ୟୁମନ

ସତେହେଂକି ଜାରାଶବର ଛାଡ଼ିବ ସେ ସ୍ତାନ।୬୨।

ଭାଳିଣ ଚାହାନ୍ତେ ନିଚଳ ବେନିଆଖି

ଚନ୍ଦ୍ରଭାଗାୟେ ସାହାନ କରୁ ଜାରାଶବରକଇଂ ଦେଖି।୬୩।

ଧାଇଂ ଧାଇଂ ନରେନ୍ଦ୍ର ଯେ ଜାରାକୁ କଲା କୋଳ

ନିଚୟେ କାର୍ଯ୍ୟ ମୋର ହୋଇଲା ସୁଫଳ।୬୪।

ଜାରା ବୋଇଲା ହୋ ୟେକଥା ଅଟଇ ସତ୍ୟ

ଚାଲ ହୋ ନୀଳଗିରିକି ଯିବାକ ତୁରିତ।୬୫।

ଜାରାଶବର ଇନ୍ଦ୍ରଦ୍ରୁମନ ସିଦ୍ଧ ଅନକୂଳ ମନ୍ତ୍ରୀ

ତିନିହେଂ ପ୍ରବେଶ ହୋଇଲେ ନୀଳସୁନ୍ଦର ପର୍ବତ କତି୬୬

ଇନ୍ଦ୍ରଦ୍ୟୁମନ ବୋଇଲା ଶୁଣସି ହୋ ମିତ୍ର

ଦେଖ ଦେଖ ପ୍ରାସାଦ ମୋର ପୂର୍ବର ଯେହ୍ନେ କୃତ୍ୟ।୬୭।

ଜାରା ଦେଖଇ ନୀଳସୁନ୍ଦର ଗିରି ପରିମଲ

ଅତିଅନ୍ତ ସୁସଞ୍ଚ ଦେଖ ୟେ ଦେଉଳ।୬୮।

ବ୍ରହ୍ମାଂକୁ ଆଣି ମୁଂ ଯେ କଲିଟି ୟେହିଗ୍ରାମ

ଶ୍ରୀପୁରୁଷୋତ୍ତମ ପାଟଣା ନାମ ଆଶ୍ରମ।୬୯।

ବେଦପତି ବୋଇଲେ କି ପୂଜା କରିବୁ

ବିଷ୍ଣୁ ପ୍ରତିମା ନଥିଲେ ଆମ୍ଭେହେଂ ନୁଆରିବୁ।୭୦।

କୋପିତ ହୋଇ ଧାତା ବୋଲନ୍ତି ବଚନ

ଯହୁଂ ତହୁଂ ବିଷ୍ଣୁ ପ୍ରତିମାମାନ।୭୧।

ଧାତାର ବଚନେ ମୁଂ ଗଲିଟି ଅନ୍ତରୀକ୍ଷେ

ସ୍ୱର୍ଗ ମଞ୍ଚ ପାତାଳ ବୁଲିଲି ପ୍ରତକ୍ଷେ।୭୨।

ଲୋଡ଼ି ଖୋଜି ମୁଂ ତ କାହିଂ ନପାଇଲି

ବିଷ୍ଣୁଭଗତି ଲୋକ ବୋଲି ମୁଂ ତୁକୁ ଆଶ୍ରେକଲି।୭୩।

ପାରିଲା କାରଣ ତୁମ୍ଭେ କର ଭୋଜନାଳୟ ମଇତ୍ର

ବିଜେ କରାଅ ୟେଥେ ସରୂପେ ଜଗନ୍ନାଥ।୭୪।

ୟେଥେ ଯେ ବିଷ୍ଣୁପ୍ରତିମା ବିଜୟେ କରିବେ

ବ୍ରହ୍ମା ସହିତେ ସକଳ ସୁରପତି ୟେଥକୁ ଆସିବେ।୭୫।

ନଇଲେ ଭୋ ମଇତ୍ର କାରଣ ନାହିଂ ୟେଥେ

ଅନେକ କଷ୍ଠୋରେ ମୁଂ କହୁଅଛି ତୋତେ।୭୬।

ରାଜାର ବଚନ ବୋଲଇ କିରାତ ନାମେ ଶବର

ଆତଂକେ ନ ଭାଳ ତୁ ମୋହୋର ବୋଲ କର।୭୭।

ଅନେକ କଷ୍ଠୋରେ ତପେ ସେବା କରିଅଛି ତାଂକୁ

ସେ କୃଷ୍ଣ ବୋଇଲେ କହ ଜାରା ଇନ୍ଦ୍ରଦ୍ୟୁମନକୁ।୭୮।

ରୋହିଣୀ କୁଣ୍ଡରେ ପଶି ବିଜେ କରିବୁ

ନୀଲସୁନ୍ଦର କଳପବଟରେ ରହିବୁ।୭୯।

ତୁମ୍ଭେ ୟେବେ ରାଜା ହୋ ନୁହସି ତରସ୍ତ

ୟେହି ରୋହିଣୀ କୁଣ୍ଡେ ତୁମ୍ଭେ ଦେଖିବ ସରୂପ ଜଗନ୍ନାଥ।୮୦।

ଦିବା ରାତ୍ରେ ଜଗିଥିବଟି ୟେହିଠାବେ

ପ୍ରତକ୍ଷେ ୟେଠାରେ ବିଜେ କରିବେ ଶ୍ରୀବାସୁଦେବେ।୮୧।

ରାଜା ଜରାଶବର କଥା ହୁଅନ୍ତେ ୟେମନ୍ତ ବାଣୀ

ଦିବସ ଶେଷ ହୋଇ ପାହିଲା ରୟଣୀ।୮୨।

ଶୁଣ ହୋ ସୁଜନେ ୟେଥୁ ଅପୂର୍ବ କଥା

ନୀଳଗିରିରେ ବିଜେ କରିବାକ ସରୂପ ଜଗନ୍ନାଥା।୮୩।

ବ୍ରହ୍ମାଦି ଦେବତାୟେ ସ୍ୱର୍ଗରେ ଭାଳେଣି

କଳିଯୁଗ କରିବାକୁ ବିଜେ କରିବେ ଚକ୍ରପାଣି ।୮୪।

ନାରଦେ ବୋଲନ୍ତି ହୋ ଶୁଣ ବଜ୍ରଧାରୀ

ଶ୍ରୀକୃଷ୍ଣ ବିଜେ କରିବେଟି ନୀଳସୁନ୍ଦର ଗିରି।୮୫।

ବ୍ରହ୍ମା ରୁଦ୍ର ଇନ୍ଦ୍ର ଚନ୍ଦ୍ର ଆଦି ଯେ କୁବେର

ସମସ୍ତେ ବିଜେ କଲେ ଗୋସାଗର ତୀର୍ଥର।୮୬।

କୃଷ୍ଣ ବୋଇଲେ ଆହୋ ଶୁଣସି ବିରଞ୍ଚି

କଳିଯୁଗରେ ନୀଳଗିରିରେ ମୁଂ ପୂଜା ଘେନୁଅଛି ।୮୭।

ଈଶ୍ୱର ବୋଇଲେ ଆମ୍ଭେ ଥିବୁଂ ତୁମ୍ଭ ତୁଲେ

ବଳଦେବ ରୂପ ତହିଂ ଈଶ୍ୱର ଧଇଲେ।୮୮।

ପିତାୟେ ବୋଇଲେ ୟେବେ ଆମ୍ଭେ ହୋଇଲୁ ଯେ ୟେକ

ଆମ୍ଭର ଛାଡି ତୋହୋର କିସ ଭୋଗ ସୁଖ ।୮୯।

ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ଆମ ସଙ୍ଗେ ଥିବ

ଇନ୍ଦ୍ର ଚନ୍ଦ୍ର କୁବେର ତୁମ୍ଭେ କାହିଂକି ଆଉ ଯିବ ।୯୦।

ୟେତେ ବିଚାରିଣ ସେ ସମସ୍ତ ଦିଗପାଳେ

ଚଳିଲେ ନିଜ କର୍ମେ ଶୂନ୍ୟ ଯେ ମଣ୍ଡଳେ।୯୧।

ରୋହିଣୀକୁଣ୍ଡେ କିରାତ ରାୟେ ନିରୋପଇ ଆସି

ପାତାଳୁଂ ଫୁଟିଣ କୃଷ୍ଣ କଳେବର ଦିଶି।୯୨।

ଅଷ୍ଟାଦଶ ହାଥ ଉଚ୍ଛର୍ଗ ୟେକକାୟେ

ସବୁନ୍ତି ଦିଶିଲେ ହରି ରକତ ଚନ୍ଦନବୃକ୍ଷ ପ୍ରାୟେ।୯୩।

ଇନ୍ଦ୍ରଦ୍ୟୁମନ ଚାହିଂଲା ଜାରାଶବର ମୁଖ

ଜାରାଶବର ବୋଇଲା ୟେକୃଷ୍ଣ ପିଣ୍ଡଟି ପ୍ରତକ୍ଷ ।୯୪।

ବ୍ରାହ୍ମଣ ସାମନ୍ତ ଅଷ୍ଟାଦଶ ପାତ୍ରମୂଳେ

ଅହିବ୍ରତେକ ବିପ୍ର ଧଇଲେ ମହାବଳେ।୯୫।

ଦୃମନ ପର୍ବତ ଜିଣିଣ ସେହୁ ଗରୁ

କାହାରି ବଳେହେଂ ସେ ନଚଳଇ ଦାରୁ।୯୬।

କ୍ଷୁଧା ପିପାସେ ଆଦିତ୍ୟ ହୋଇଲେକ ଅସ୍ତ

ଚାଳି ନୁଆରିଲେ କେହୁ ଉପବାସେ ଅଶକତ।୯୭।

ପ୍ରାଣ ନିବେଶି ରାଜା ଚିନ୍ତଇ ମନ ଧ୍ୟାନେ

ଶ୍ରୀକୃଷ୍ଣ କହିଲେ ଯେ ନିଶାୟେ ସପନେ।୯୮।

ଆହୋ ଇନ୍ଦ୍ରଦ୍ରୁମନ ସେ ନୋହେ ଚନ୍ଦନ ଦାରୁ

ଆମ୍ଭର ପଣ୍ଡିତ ଅଟଇ ମହାଗରୁ।୯୯।

ସମରାଷ୍ଟ୍ର ଲାଗିଲେ ନୁଆରିବ ୟେହାକୁ ଚାଳି

ଜାରାଶବର ବସୁବ୍ରାହ୍ମାଣ ପାରନ୍ତି ଯେ ତୋଳି।୧୦୦।

ସପନ ଚେତିଣ ଯେ ଉଠଇ ନରେନ୍ଦ୍ର

ବସୁ ବ୍ରାହ୍ମଣ ଜାରା ନାମେ ଅସକନ୍ଦ।୧୦୧।

ଶ୍ରୀକୃଷ୍ଣ ଚନ୍ଦ୍ରେ ଆଜି ଆଗ୍ୟାଂ ଦିଲେ ମୋତେ

ଦାରୁ ବୋଲି ମୁହିଂ କରିଥିଲି ପ୍ରତେ।୧୦୨।

ୟେବେ ଜାଣିଲି ସେ କୃଷ୍ଣର ପିଣ୍ଡ ଗୋଟି

ଆନ କେହି ନୁଆରିଲେ ତୁମ୍ଭର ବେଳେଉଠି ।୧୦୩।

ବସୁନାମେ ବ୍ରାହ୍ମଣ ଜାରା ନାମେ ଶବର

ଦୁହେଂ ଆକ୍ରେଷି ଯାଇ ଧଇଲେ କଳେବର।୧୦୪।

ହାସ୍ୟ ପରିହାସେ ଉଚ୍ଛୁକ ଭାବମତି

ଶବର ବ୍ରାହ୍ମଣ ଯେ ଅନେକ ପୀରତି।୧୦୫।

ବ୍ରାହ୍ମଣ ଆଡ଼େ ତାଡ଼ଇ ଶବର ଆଡ଼େ ଉଠଇ

ଶ୍ରୀକୃଷ୍ଣ ଆଗ୍ୟାଂରେ ସେ ଉଞ୍ଚକ ନିଷ୍ଠଇ।୧୦୬।

ସେ କୁଣ୍ଡ ଭିତରୁ ତୋଳିଲେ ଅବନୀଳେ

କଉତୁକେ ତାହାଂକୁ ନେଇ ଭରିଲେ ଦେଉଳେ।୧୦୭।

ଭାଳଇ ଇନ୍ଦ୍ରଦ୍ୟୁମନ ହୋଇବ ୟେ କେମନ୍ତ

ପ୍ରାସାଦ ନ ଅଣ୍ଟଇ ଯେ ଉଚ୍ଛର୍ଗ ବହୁତ ।୧୦୮।

ଇନ୍ଦ୍ରଦ୍ୟୁମନ ରାଜା ଧ୍ୟାୟେ କରି ଚିନ୍ତଇ

ଶ୍ରୀଜଗନ୍ନାଥ ସ୍ୱାମୀ ହେଲେ ଉପଗତଇ ।୧୦୯।

ତୁହୋ କିଛି ବିସ୍ମୟେ ନୋହସି ମହାରାୟେ

ଜାରାଶବର ଆମ୍ଭର ନିର୍ବାଣ କରିବ କାୟେ।୧୧୦।

ସପନ ଚେତି ସେ ଉଠଇ ନତପତି

ଜାରାଶବରକଇଂ ବିନୟ ଭଗତି।୧୧୧।

ଯଦ୍ୟପି ୟେଥିରେ ମୁଂ ତୋଳାଇଲି ଦେଉଳ

କୃଷ୍ଣର ଅନୁରାଗେ ତୁ ୟେଥକଇଂ ମୂଳ।୧୧୨।

କେମନ୍ତ କରିବୁଟି ତୁହି ଜାଣସି ଭଲେ

ପ୍ରତିମା ନିର୍ବାଣ କର ତୋତେ ଶ୍ରୀକୃଷ୍ଣ ଆଗ୍ୟାଂ ଦିଲେ ।୧୧୩।

ଅନେକ ରତ୍ନ ଦେଇ ରାଜା କଲେ କୋଳ

ବହୁତ ବିନୋୟୀ କରି ଭରିଲେ ଦେଉଳ ।୧୧୪।

କପାଟ ପାଡ଼ିଣ ଯେ ରହିଲେ ଦେଉଳ ଭିତର

ଅଦଭୂତେ ବ୍ରାହ୍ମଣେକ ହୋଇଲା ସଙ୍ଗର।୧୧୫।

ତିନି ଖଣ୍ଡ କରିଣ ଦାରୁକୁ କରତି

ଜ୍ୟେଷ୍ଠ ମଧ୍ୟ କନିଷ୍ଠ କଲେକ ତିନିମୂର୍ତ୍ତି ।୧୧୬।

ମିଥୁନ କୃଷ୍ଣପକ୍ଷ ପଞ୍ଚମୀ ଗୁରୁବାର

ଶ୍ରବଣା ନକ୍ଷେତ୍ର ଯେ ଅଟଇ ସେ ଦିନର।୧୧୭।

ବାଳବ ନାମେ କରଣ ଯେ ଇନ୍ଦ୍ର ନାମେ ଯୋଗ

ସେଦିନ ସ୍ୱାମୀର ସଞ୍ଚିତ ଦିନ ଦୀର୍ଘ।୧୧୮।

ପଞ୍ଚମୀ ପଷ୍ଠୀ ସପ୍ତମୀ ଅଷ୍ଟମୀ ନବମୀ

ଦଶମୀ ୟେକାଦଶୀ ଦ୍ୱାଦଶୀ ଉତ୍ତମୀ ୧୧୯

ବୃହସ୍ପତି ରୋହିଣୀ ଯେ ଅଟଇ ସେ ଦିନର

ସର୍ବସିଦ୍ଧ ହୋଇଲା ସମସ୍ତ ମକର।୧୨୦।

ମିଥୁନ ସଂକ୍ରରାନ୍ତି ପଞ୍ଚମୀ ଦିନର

ଇନ୍ଦ୍ରଦ୍ରୁମନ ତହିଂ ବିଚାରଇ ମନର।୧୨୧।

ଭାଳଇ ରାଜନ ଯେ ଦଶ ଦିନ ଗଲା

ଦେଉଳ ଠୁକୁ ଠୁକୁ କିଛି ନଶୁଭିଲା।୧୨୨।

କି ଅବା ପଳାଇଲା ଜାରା ଯେ ଶବର

ୟେତେ ତ ବିଚାରି ନରେନ୍ଦ୍ର ଫେଡ଼ାଇଲା ଦୁଆର ୧୨୩

ମିଥୁନ ତ୍ରୟୋଦଶୀ କୃଷ୍ଣପକ୍ଷ ଶୁକ୍ରବାର ନକ୍ଷତ୍ର ରୋହିଣୀ

ଶୁକ୍ରଂକର ବେଳା ଯେ ସାତଦଣ୍ଡ ସେ ରୟଣୀ।୧୨୪।

ଦିହୁଡ଼ି ଲଗାଇ ରାଜା ପଶିଲା ଭିତରେ

ଦିଶଇ ଜଗମୋହନ ସିଂଘାସନ ଉପରେ।୧୨୫।

ଶ୍ୱେର କୁଂକୁମ କୃଷ୍ଣ ୟେ ତିନି ପ୍ରତିମା

ଦେଖି ଇନ୍ଦ୍ରଦ୍ୟୁମନ ଶତ ସହସ୍ର ଦଣ୍ଡ ପ୍ରଳମ୍ବା।୧୨୬।

ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତି

ଅଦଭୂତେ ବ୍ରାହ୍ମଣେ କାହୁଂ ହୋଇଲା ଉତପତ୍ତି।୧୨୭।

କହ ମୁନି ସେ ବ୍ରାହ୍ମଣ କିସ କଲା କାହିଂକି ସେ ଗଲା

କହିବା ଅଗସ୍ତି ମୋତେ ଗୋଚର ନଗଲା।୧୨୮।

ଅଗସ୍ତି ବୋଇଲେ ଶୁଣ ରାଜା ମନୁ ପୁରୁଷ

ଦେଉଳେ ପଶି ଜାରାଶବର ବୋଲଇ ମୁଁ କରିବି କିସ।୧୨୯।

ନ ଜାଣଇ ଘଟଣ ନ ଦେଖଇ ଚିତ୍ରକର୍ମ

ଦେଉଳ ସମାନେ ଯେ ପିଣ୍ଡ ଉଚ୍ଛର୍ଗ ହୋୟେ ପୁଣ।୧୩୦।

ଉଚ୍ଛର୍ଗ ଦେବତାକଇଂ କେହୁ କରିବାକ ପୂଜା

ମାନବ ହୋଇକେ ୟେହାକୁ ଦେଇପାରିବ ବଳିଭୋଜା।୧୩୧।

ୟେତେ ବୋଲି ମନେ ବିଚାରଇ କିରାତ

ମୋହୋର ବେଳେ ୟେହାକଇଂ ନୋହୋଇ ଖଟିତ।୧୩୨।

ୟେସନେକ ବିଚାରନ୍ତେ ବିଜୟ କଲେ ବ୍ରହ୍ମା

ବ୍ରାହ୍ମଣ ରୂପ ଧରି ବିଜେ କଲେ ବିଶ୍ୱକର୍ମା ।୧୩୩।

ତ୍ରିୟଖଣ୍ଡ କରି ତହିଂ ବିବଧିଲେ ଶାଖା

ଉଞ୍ଚ ମଧ୍ୟ କନେଷ୍ଠ କଲେ ଆର ଲେଖା।୧୩୪।

କୃଷ୍ଣ ବୋଇଲେ ୟେହା ନିର୍ବାଣ କର ଜାରା

ନିଜ ପିଣ୍ଡ ଆମ୍ଭର ଗୁପ୍ତ କରା।୧୩୫।

କଳିଯୁଗ ଲୋକେ ନଦେଖନ୍ତୁ ୟେ ବର୍ଣ୍ଣ

ସେହି ଶରୀରେ ସମସ୍ତ ହୋଇବଟି ଲୀନ ।୧୩୬।

ଶାଳବୃକ୍ଷ ଚିରି ବାହାର କଲେ ଲସା

ଅଉଷଧ କରି ତାହା ଲେପନ କଲେ ମିଶା ।୧୩୭।

ରାତ୍ରେ ବାହାର କରି ଆଣଇ ଯହିଂ ତାହା

ବାଟିଣ ଲେପନ କରଇ କୃଷ୍ଣର ପିଣ୍ଡ ବାହା।୧୩୮।

ଅଗସ୍ତି ବୋଲନ୍ତି ଯାହା ପୁଚ୍ଛା କଲୁ ମନୁ

ସେହି ବ୍ରାହ୍ମଣ ଲୀନ ହେଲା ମଧ୍ୟ ପ୍ରତିମା ତନୁ।୧୩୯।

ଇନ୍ଦ୍ରଦ୍ରୁମନ ପଚାରଇ ବସୁ ବ୍ରାହ୍ମଣକୁ

ୟେ ତିନି ମୂର୍ତ୍ତି କେ କେ ଗୋଚର ନଗଲା ମୁକୁ।୧୪୦।

ବ୍ରାହ୍ମଣ ବୋଲନ୍ତି ୟେ ଦକ୍ଷିଣ ପ୍ରତିମା

ରୁଦ୍ର ଇବତାର ଧବଳ ବର୍ଣ୍ଣ ନାମ ବଳରାମା।୧୪୧।

ଦକ୍ଷିଣ ସଉନନ୍ଦ ବାମେ ବଜ୍ର ଯେ ଲଙ୍ଗଳ

କୃଷ୍ଣଂକର ୟେ ଜ୍ୟେଷ୍ଠ ଅଟନ୍ତି କାମପାଳ।୧୪୨।

ମଧ୍ୟ ପ୍ରତିମାୟେ କୁଂକୁମ ବର୍ଣ୍ଣ ରୂପ

ବ୍ରହ୍ମା ଅବତାର ୟେ ଶାପେଣ ଅନୁରୂପ।୧୪୩।

କୃଷ୍ଣ ବର୍ଣ୍ଣ ନୀଳରୁଚିର ଯାର କାୟେ

ଶଙ୍ଖ ଚକ୍ର ଗଦା ପଦ୍ମୟେ ଶ୍ରୀଜଗନ୍ନାଥ ସ୍ୱୟେଂ।୧୪୪।

ସୋହୋଦ୍ରା ରାମ କୃଷ୍ଣ ୟେ ତିନି ପ୍ରତିମା

ବ୍ରହ୍ମାଈଶ୍ୱର ୟେ ଶ୍ରୀପୁରୁଷୋତ୍ତମା।୧୪୫।

ଶ୍ରୀପୁରୁଷୋତ୍ତମେ ହୋଇଲେ ମୁକତ

ଦ୍ରଶନେ ଜନଂକର ପାପ ଯେ ମୁକତ।୧୪୬।

କଳିଯୁଗର ଲୋକର ତହିଂ କୃଷ୍ଣର ନାହିଂ ଦୟେ

ସେ କାରଣେ ପଦ୍ମପାଦୁକା ନ ଦେଖାୟେ।୧୪୭।

ହରିହର ୟେକ ଆତ୍ମା ଅଟନ୍ତି ହୋ ଜାଣ

ୟେକ ପୂଜନ୍ତେ ବେନି ସନ୍ତୋଷ ହୋନ୍ତି ପୁଣ।୧୪୮।

ଚାରିଲକ୍ଷ ବତିଶସହସ୍ର କଳିଯୁଗ

ତେଣୁ ସେ ନୀଳସୁନ୍ଦର ପର୍ବତେ ଉଦିଯୋଗ।୧୪୯।

ଶୁଣିଣ ସାନନ୍ଦ ହେଲେ ମହାରାଜା

ବସୁବ୍ରହ୍ମାଣ ମୂଳେ କରାଇଲା କୋଟି ପୂଜା।୧୫୦।

ଯାହା ସେ ସର୍ଜନା କଲେ ଦେବ ଧାତା

ଜାରାଶବର ବଂଶ ହୋଇଲେ ଦୟିତା।୧୫୧।

କୃଷ୍ଣର ଆଗ୍ୟାଂରେ ସେ ନିର୍ବାଣ ଅଟଇ

ମିଥୁନ ମାସକୃଷ୍ଣ ପକ୍ଷ ସେ କରିବ ଓଷୋଧଇ।୧୫୨।

ବସୁବ୍ରାହ୍ମଣ ବଂଶ କରିବାକ ପୂଜା

ୟେହେନେକ ପ୍ରସ୍ତାବ ବାକ୍ୟ ମାଗିଲା ଇନ୍ଦ୍ରଦ୍ରୁମନ ରାଜା।୧୫୩।

ଜୟ ତୁ ନୀଳସୁନ୍ଦର ଗିରିବାସୀ

ପୁରୁଷୋତ୍ତମ ନାଥ ଅନନ୍ତ କୋଟିରାଶି।୧୫୪।

କୋଟିୟେ ତୀର୍ଥ ଘେନି ପୁଷ୍କର ଗୋପ୍ୟାନ ହୋଇଥିଲା

କୃଷ୍ଣର ଚରଣେ ଆସି ସେ ଅବିଷେକ କଲା।୧୫୫।

କ୍ଷେତ୍ରର ଈଶାନ୍ୟ କୋଣେ ଯେବଣ ହିଂ କୁଣ୍ଡ

ତହୁଂ ବିକାଶିଲା ଇନ୍ଦ୍ର ଦେବତାର ପିଣ୍ଡ।୧୫୬।

ଯମ କୋବେର ଯେ ବାହାର ତହୁଂ ବେନି

ତହୁଂ ସେ ବାହିଲା ନାମ ଇନ୍ଦ୍ରଜାମୁନି।୧୫୭।

କଳିକାଳ ଧସିଂବାକୁ ଆକାଶ ଭୁବନ ଛାଡ଼ି

କୃଷ୍ଣର ଆଶ୍ରିତେ ରହିଲି ସର୍ବ ତୀର୍ଥ ମାଡ଼ି।୧୫୮।

ଧର୍ମଦେବତା ତହିଂ ଶ୍ୱେତମାଧବ ରୂପ

ଧର୍ମ ବିଚାରି ସେ ହୋଇଲାକ ଗୋପ୍ୟ।୧୫୯।

ବାରାନିଧି ସହିତେ ଆବର ରତ୍ନାକର

ସେହି ଆର୍ଦ୍ଧନା କରନ୍ତି ନୀଳ ସୁନ୍ଦର ଗିରିର।୧୬୦।

ବ୍ରହ୍ମା ବୋଇଲେ ନାଶକର ଦେବତାଂକୁ

ତୁ ମାତ୍ର ନପଶିବୁ ୟେ କ୍ଷେତ୍ର ଭିତରକୁ।୧୬୧।

 

ବସୁବ୍ରହ୍ମାଣର ମୃତପୁତ୍ର ବଳଦେବଙ୍କ ଦ୍ୱାରା
ପୁନର୍ଜୀବନ ପ୍ରାପ୍ତ

ବସୁବ୍ରାହ୍ମଣର ପୁତ୍ରେକ ହୋଇଲା

ତିନିମାସ ତେର ଦିନେ ତାକୁ ଯମଦେବତା ହରିନେଲା।୧।

ପୁତ୍ରର ଅଭାବେ ସେ ବ୍ରାହ୍ମଣ ବ୍ରାହ୍ମଣୀ

କାନ୍ଦନ୍ତି ଉଚ୍ଚସ୍ୱରେ ପୁତ୍ରର ନାମ ଗୁଣି।୨।

ସେ କ୍ଷେତ୍ର ମଧ୍ୟରେ ଶୁଭିଲା ଯହୁଂ ଗୋଳ

ଯମର ଅନୀତି ବୋଲି ଶୁଣିଲେ କାମପାଳ।୩।

ବଳରାମ ଆଗ୍ୟାଂ ଦିଲେ ଜାରାଶବରକୁ

ୟେ ସ୍ଥଳୀରେ ପଶି ନଦେବୁ ଯମ ଦେବତାକୁ।୪।

ମୋତେ ଆଶ୍ରାକରି ରହିଥାନ୍ତି ଜନେ

ୟେ ଭୁବନେ ବିଶ୍ରାମ ନକରିବେ ଯମଗଣେ।୫।

ଯମ ବୋଇଲା ଦେବ କଳିଯୁଗେ ସମସ୍ତେ ଗ୍ୟାଂନଭ୍ରଷ୍ଟ

ଅନେକ ପାପ କରି ପଶିବେ ୟେ ତୀର୍ଥର ନିକଟ।୬।

ସମସ୍ତହେଂ ମୋକ୍ଷ ଯେ ହୋଇବେ ଦେବହଳୀ

ମୁହିଂ କିସ ଯମ ଧର୍ମ ଅଟଇ ଯୁଗକଳି।୭।

ଯମ ବୋଇଲା କେ ଭ୍ରଷ୍ଟ କରିବ ତୁମ୍ଭ ବଚନ

ନିର୍ଯ୍ୟାପ ଆଗ୍ୟାଂ ମୋତେ ଦେବାକ ସଂକ୍ରିଷେଣ।୮।

ବଳରାମେ ବୋଇଲେ ଯମେଶ୍ୱରଠାରୁ ମାରକଣ୍ଡେଶ୍ୱର ପରିଯନ୍ତେ

ଅନେକ ପାପୀଥିଲେ ହେଂ ତୁ ନପଶିବୁ କଦାଶ୍ଚିତେ।୯।

ଯମ ବୋଇଲା ଦେବ ମୋହର ସତ୍ୟସତ୍ୟ

ଅନେକ ପାପୀଥିଲେହେଂ ନପଶିବି ୟେଥ।୧୦।

ବସୁବ୍ରାହ୍ମଣ ପୁତ୍ରକୁ ଯମ ଜୀଆଂଇଣ ଦିଲା

ଭୟେଣ ଦ୍ୱିଜବର ତାକୁ ଶ୍ରୀପୁରୁଷୋତ୍ତମ ନାମ ଦିଲା।୧୧।

ପୁଣି ଜାରାଶବରର ପୁତ୍ରେକ ହୋଇଲା

ବଳରାମ ବୋଲି ତାହାର ନାମଦିଲା।୧୨।

ଜୟ ତୁ ନୀଳଗିରି ନୀଳ ସୁନ୍ଦରଉତ୍ତମ

ବ୍ରହ୍ମା ରୁଦ୍ର ଅବତାର ଶ୍ରୀପୁରୁଷଉତ୍ତମ।୧୩।

କଳି କାଳ ନିବାରଣେ ବିଜୟେ ମହାପ୍ରଭୁ

ନବକୋଟି ତୀର୍ଥ ଘେନି ପୁଷ୍କର ପାଦେରହୁ।୧୪।

ପରମ ସାତୁକୀ ନାଥ ଅଭୟେ ପରମଯୋଗୀ

ଜନ୍ମେ ଜନ୍ମେ ସେବଇ ମୁହିଂ ତବ ପଦ୍ମପାଦ ଲାଗି।୧୫।

ଶ୍ୱେତ କୁଂକୁମ ହୋଇଲେ ତିନି ମୂର୍ତ୍ତି

ସତ୍ତ୍ୱ ରଜ ତମ ତ୍ରିଗୁଣରେ ଥିତି।୧୬।

ସତ୍ତ୍ୱରେ ବିଷ୍ଣୁ ହୋୟେ ଜଗନ୍ନାଥ ରୂପ

ରଜେ ସୋହୋଦ୍ରା ତମେ ନୀଳାମ୍ବର ସରୂପ।୧୭।

ମନ ବଚନ କର୍ତ୍ତବ୍ୟେ ମୋହୋର ଆନ ନୋହୁ

ଶ୍ରୀପୁରୁଷୋତ୍ତମ ଆଶ୍ରେ କରି ମୋହୋର ଦିନଯାଉ।୧୮।

ନୀଳଗିରି ଆଖ୍ୟାନ କରିବାକ ମୋହୋର ମମତା

ନବକୋଟି ତୀର୍ଥଯହିଂ ତେତିସ କୋଟି ଦେବତା।୧୯।

ଦୋହିତା ସମର୍ପି ଯଉତୁକ ବାରାନିଧି

ସପତ ସମୁଦ୍ର ଘେନି ରତ୍ନାକର ଖଟଇ ଅବଧି।୨୦।

ଅନନ୍ତ ବାସୁକି ତୁଲେ ଅଷ୍ଟକୁଳା ନାଗ ଥାଇ

ନିରାକୁଳ ରୂପେ ଯାହାର ଚରଣେ ଲାଗଇ।୨୧।

ବାଳକାଳେ ବ୍ରହ୍ମା ହରିଲେ ତୋର ବଚ୍ଛା

ତାହାକୁ ମୁକତି କଲୁ ଦୋଷ କଲୁ ଉପେକ୍ଷା।୨୨।

ସ୍ୱାମୀ ତୋହୋର ମୁହିଂ ଜନ୍ମେ ଜନ୍ମେ ଦାସ ଅଟଇ

ତୋହୋର ଭଗତି ବିନା ମୋହୋର ଆନ ନାହିଂ।୨୩।

ବଦୟନ୍ତି ଶ୍ରୀଚଣ୍ଡିର ପୁତ୍ର ଶୁଦ୍ରମୁନି ସାରୋଳଦାସ

ଭବଜଳୁଂ ଉଦ୍ଧରି ଧର ମୋତେ ଲକ୍ଷ୍ମୀର ବିଳାସ।୨୪।

ତୁଳୁସାର ବଲ୍ଲଭ ମୁଂ ଜନ୍ମେ ଜନ୍ମେ ଦାସ

ଶୂଦ୍ରମୁନି ସାରୋଳାଦାସ ଜନ୍ମେ ଜନ୍ମେ ଅଭ୍ୟାସ।୨୫।୧୩୭୧।